ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ ପାଇଁ ପ୍ରସ୍ତୁତି ବୈଠକ 

0 2

ଝାରସୁଗୁଡା:(ସୁଭାଷ ସହାରେ) – ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନିମନ୍ତେ ଆଜି ଡିଏମ୍ଏଫ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଭୋଟର ତାଲିକାକୁ ତ୍ରୁଟିଶୂନ୍ୟ କରିବା,ନୂଆ ଭୋଟର ପଞ୍ଜିକରଣ, ଅଧିକରୁ ଅଧିକ ସଂଖ୍ୟାରେ ମହିଳା ଭୋଟରଙ୍କ ନାମ ଭୋଟର ତାଲିକାରେ ଦରଜ କରିବା ନେଇ ସଚେତନତା ସୃଷ୍ଟି ଉପରେ ଜିଲ୍ଲାପାଳ ଶ୍ରୀ ସାମଲ ଗୁରୁତ୍ୱାରୋପ କରିଥିଲେ ଏଥିପାଇଁ ସେ ଉପସ୍ଥିତ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବୁଥ ସ୍ତରୀୟ ଏଜେଣ୍ଟ ନିଯୁକ୍ତି ପାଇଁ ଜିଲ୍ଲାପାଳ ଉପସ୍ଥିତ ପ୍ରତିନିଧିମାନଙ୍କୁ କହିଥିଲେ । ଚଳିତ ନଭେମ୍ବର ୧୬ ତାରିଖରେ ଡ୍ରାଫ୍ଟ ପବ୍ଲିକେସନ ହୋଇଥିବା ବେଳେ ଆସନ୍ତା ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଭୋଟରମାନେ ଭୋଟର ତାଲିକା ଓ ଫଟୋ ପରିଚୟ ପତ୍ରରେ ସଂଶୋଧନ,ନାମ ପଞ୍ଜୀକରଣ ତଥା ବାଦ ପାଇଁ ନିଜ ନିଜ ବୁଥରେ  ଆବେଦନ କରିପାରିବେ । ନୂତନ ଭାବରେ ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ଆସନ୍ତା ଜାନୁଆରୀ ୧ ତାରିଖକୁ ଯୋଗ୍ୟତା ସୂଚକ ତାରିଖ ହିସାବରେ ଧାର୍ଯ୍ୟ କରାଯାଇଛି । ଏହି ତାରିଖ ସୁଦ୍ଧା ଯେଉଁମାନଙ୍କୁ ୧୮ ବର୍ଷ ହୋଇଥିବ ସେମାନେ ଭୋଟର ତାଲିକାରେ ନାମ ପଞ୍ଜୀକରଣ କରିପାରିବେ । ଚଳିତ ନଭେମ୍ବର ମାସ ୨୮ ( ଶନିବାର ) , ୨୯ତାରିଖ ( ରବିବାର )  ଓ ଡିସେମ୍ବର ମାସ ୫ତାରିଖ ( ଶନିବାର ) , ୬ତାରିଖ ( ରବିବାର ) ଏଥି ପାଇଁ ସ୍ୱତନ୍ତ୍ର ଅଭିଯାନ କରାଯିବ । ଏହି ଦିନ ମାନଙ୍କରେ ବୁଥ ସ୍ତରୀୟ ଅଧିକାରୀମାନେ ବୁଥରେ ଉପସ୍ଥିତ ରହି ଭୋଟରମାନଙ୍କ ନିକଟରୁ ନିର୍ଦ୍ଧାରିତ ଫର୍ମ ମାଧ୍ୟମରେ ବିଭିନ୍ନ ଆପତ୍ତି ଅଭିଯୋଗ ଓ ନାମ ପଞ୍ଜୀକରଣ ପାଇଁ ଆବେଦନ ଗ୍ରହଣ କରିବେ । ଧାର୍ଯ୍ୟ ସମୟ ସୀମା ମଧ୍ୟରେ ମିଳିଥିବା ଆବେଦନ ଗୁଡିକର ଆସନ୍ତା ଜାନୁଆରୀ ୫ ତାରିଖ ସୁଦ୍ଧା ଶୁଣାଣି ଓ ୧୫ ତାରିଖ ଦିନ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଏହି ବୈଠକରେ ଉପ ଜିଲ୍ଲାପାଳ ଶିବ ଟପ୍ପୋ , ଡେପୁଟି କଲେକ୍ଟର (ନିର୍ବାଚନ) ନିବେଦିତା ପ୍ରଧାନଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିବୃନ୍ଦ ତ୍ରିନାଥ ଗୁଆଲ , ରଘୁନନ୍ଦନ ପାଢ଼ୀ, ବିରେନ୍ଦ୍ର ଭୋଳ , ମନୀଷ ବାଜପେୟୀ ଓ ଭୁଜବଳ ସାହ ପ୍ରମୁଖ ଉପସ୍ଥିତ ଥିଲେ । ଯତୀନ୍ଦ୍ର ଭୋଇ ଓ ସାହେବଲାଲ ପ୍ରଧାନ ଵୈଠକ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.