ବେଲଗୁଣ୍ଠା,୨୫/୧୦, -(ଶିବରାମ ଚୌଧୁରୀ )-ସ୍ଥାନୀୟ ବେଲଗୁଣ୍ଠା ସହର ସମେତ ବ୍ଲକ୍ର ବିଭିନ୍ନ ଗ୍ରାମରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହାସମାରୋହରେ ଆରମ୍ଭ ହୋଇଛି। ଏହି ଅବସରରେ ସହରର ଜଗନ୍ନାଥପ୍ରସାଦ ରୋଡ୍ସ୍ଥିତ ଲକ୍ଷ୍ମୀ ବଜାର, ହାଟପଦା, ପଣ୍ଡା ସାହି, କୋଳିସାହି ଓ ଧନିଜାପଲ୍ଲୀ ଆଦି ସ୍ଥାନରେ ମା’ଙ୍କ ପୂଜାର୍ଚ୍ଚନା ନିମନ୍ତେ ଆକର୍ଷଣୀୟ ଆୟୋଜନ କରାଯାଇଛି। ସେହିପରି ଗୋବରା, କ୍ଷତ୍ରିୟବରପୁର, ଗାଙ୍ଗପୁର, ଚାଞ୍ଚଡ଼ାପଲ୍ଲୀ ଓ ପୁରୁଣାବୋରୀ ଗ୍ରାମରେ ମଧ୍ୟ ଭକ୍ତିମୟ ପରିବେଶରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହେଉଛି।ପୂଜା ଅବସରରେ ଶନିବାର ଜଳଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ରବିବାରଠାରୁ ବିଧିବିଧାନ ଅନୁଯାୟୀ ପୂଜାକର୍ମ ଆରମ୍ଭ ହୋଇଛି। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମା’ଙ୍କ ଆଳତି, ପୂଜାର୍ଚ୍ଚନା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରସାଦ ବଣ୍ଟନର ବ୍ୟବସ୍ଥା ରହିଛି। ଏଥିରେ ଶ୍ରଦ୍ଧାଳୁମାନେ ଯୋଗଦେଇ ମା’ଙ୍କ ଆଶୀର୍ବାଦ ଲାଭ କରୁଛନ୍ତି।ବେଲଗୁଣ୍ଠା ପଣ୍ଡା ସାହି ପୂଜାରେ ପୁରୋହିତ ପ୍ରବୀଣ ଷଡ଼ଙ୍ଗୀ ପୂଜାକର୍ମ ସମ୍ପାଦନ କରୁଥିବା ବେଳେ ମୁଖ୍ୟ କର୍ମକର୍ତ୍ତା ଦୀନେଶ ଶତପଥୀ ଓ ବିଛେନ୍ଦ୍ର ତ୍ରିପାଠୀଙ୍କ ସମେତ ଅନ୍ୟ ସଦସ୍ୟମାନେ ପୂଜା ଆୟୋଜନରେ ସହଯୋଗ କରୁଛନ୍ତି। ପୂଜକ ଦିବାନା ପତିଙ୍କ ପୌରୋହିତ୍ୟରେ ବେଲଗୁଣ୍ଠା ଭଞ୍ଜ ମାର୍କେଟ ସାମନାରେ ମାଆ ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହେଉଛି। ମା’ ଗଜଲକ୍ଷ୍ମୀଙ୍କ ପୂଜାକୁ ନେଇ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି।