ମହୁଲପାଲିରୁ ବୁକୁରାମୁଣ୍ଡା ଯାଏଁ ବିଜେଡିର ଜନସମ୍ପର୍କ ପଦଯାତ୍ରା

6

ପାଇକମାଳ : ଜନସାଧାରଣଙ୍କ ସହ ସୁସମ୍ପର୍କ ସ୍ଥାପନ, ଦଳୀୟ ସଂଗଠନକୁ ମଜଭୁତ କରିବା ଏବଂ ଲୋକଙ୍କ ସମସ୍ୟାକୁ ନିକଟରୁ ଜାଣିବା ଉଦ୍ଦେଶ୍ୟରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଆୟୋଜିତ ହୋଇଛି। ପାଇକମାଳ ବ୍ଳକ ମହୁଲପାଲିଠାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ବୁକୁରାମୁଣ୍ଡା ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ଦଳୀୟ ନେତା, ମହିଳା ନେତ୍ରୀ ଓ ବହୁ କର୍ମୀ ସାମିଲ ହୋଇ ଜନସାଧାରଣଙ୍କ ସହ ମତବିନିମୟ କରିଥିଲେ।

ଏହି ଅବସରରେ ଆୟୋଜିତ ସଭାରେ ହୃଦାନନ୍ଦ ବାରିକ ସଭାପତିତ୍ୱ କରିଥିବାବେଳେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଭାବନା ସିଂ, ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ମହାପାତ୍ର, ଜିଲ୍ଲା ବିଜେଡି ମହିଳା ସଭାପତି କଳ୍ପନା ମାଝୀ, ଜିଲ୍ଲା ବିଜେଡି ଉପସଭାପତି ରଜନୀ ସାହୁ ଓ ଟାଇଲ ଚନ୍ଦ୍ର ଭୋଇ, ବ୍ଲକ ବିଜେଡି ସଭାପତି ବିଜୟ ସ୍ୱାଇଁ, ବ୍ଳକ ବିଜୁ ଜନତା ଦଳ କୋଷାଧ୍ୟକ୍ଷ ଗୁଲାମ ରସୁଲ ରଙ୍ଗରେଜ୍ ଏବଂ ବ୍ଲକ ବିଜେଡି ସଭାନେତ୍ରୀ ବନିତା ମହାନନ୍ଦ ଯୋଗଦେଇଥିଲେ। ନିଜ ଅଭିଭାଷଣରେ ବିଧାୟିକା ବର୍ଷା ସିଂ ବରିହା ଜନସାଧାରଣଙ୍କ ସହ ନିରନ୍ତର ସମ୍ପର୍କ ରଖିବା ଏବଂ ସେମାନଙ୍କ ସୁଖଦୁଃଖରେ ସାମିଲ ହେବା ଉପରେ ଗୁରୁତ୍ୱ ଦେଇଥିଲେ।

ଲୋକଙ୍କ ସମସ୍ୟା ଓ ଅଭାବ ଅସୁବିଧାକୁ ନିକଟରୁ ବୁଝିବା ସହ ତାହାର ସମାଧାନ ଦିଗରେ ଉଦ୍ୟମ କରିବା ଦଳୀୟ କର୍ମୀଙ୍କ ଦାୟିତ୍ୱ ବୋଲି ସେ ମତବ୍ୟକ୍ତ କରିଥିଲେ। ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ଅଧିକ ସକ୍ରିୟ ଓ ସୁଦୃଢ଼ କରିବା ସହ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଜିତିବା ପାଇଁ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ ଆହ୍ୱାନ ଦେଇଥିଲେ।ପଦଯାତ୍ରା ସମୟରେ ଦଳୀୟ ନେତା ଓ କର୍ମୀମାନେ ବିଭିନ୍ନ ଗ୍ରାମରେ ଲୋକଙ୍କ ସହ ଆଲୋଚନା କରି ଅଞ୍ଚଳର ସମସ୍ୟା, ମୌଳିକ ସୁବିଧା ଓ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ମତାମତ ନେଇଥିଲେ। ଗ୍ରାମାଞ୍ଚଳରେ ଲୋକମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟାକୁ ଶୁଣିବା ସହ ସେଗୁଡ଼ିକର ସମାଧାନ ଦିଗରେ ଉଦ୍ୟମ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଏଥିସହ ବିଜେଡିର ନୀତି, ଆଦର୍ଶ ଓ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ଅଧିକ ସକ୍ରିୟ କରିବା ଉପରେ ନେତାମାନେ ଗୁରୁତ୍ୱ ଦେଇଥିଲେ।ଜନସାଧାରଣଙ୍କ ସହ ନିରନ୍ତର ସମ୍ପର୍କ ରଖିବା, ସେମାନଙ୍କ ଅଭିଯୋଗ ଶୁଣିବା ଏବଂ ଆଶା ଓ ଆକାଂକ୍ଷାକୁ ଗୁରୁତ୍ୱ ଦେବା ଦଳର ପ୍ରମୁଖ ଉଦ୍ଦେଶ୍ୟ ବୋଲି ଏହି ପଦଯାତ୍ରା ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା। ଜନସମ୍ପର୍କ ପଦଯାତ୍ରା କେବଳ ଏକ ଦଳୀୟ କାର୍ଯ୍ୟକ୍ରମ ନୁହେଁ, ବରଂ ଲୋକଙ୍କ ସହ ସିଧାସଳଖ ଯୋଡ଼ି ହୋଇ ସେମାନଙ୍କ ସମସ୍ୟା ଓ ଆବଶ୍ୟକତାକୁ ବୁଝିବାର ଏକ ମାଧ୍ୟମ ବୋଲି ଦଳୀୟ ନେତା ଓ କର୍ମୀମାନେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବ୍ଳକ ବିଜୁ ଯୁବ ଜନତା ସଭାପତି ଗୌତମ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.