ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟର ବରିଷ୍ଠ ସହାୟକ ବାବୁଲୁ ସୁନାଙ୍କୁ ଗିରଫ କଲା ଓଡ଼ିଶା ଭିଜିଲାନ୍ସ
କଳାହାଣ୍ଡି/ରୋହିତ କୁମାର ନାଏକ (ଶାସକ ପ୍ରଶାସକ )ନୂଆପଡ଼ା/ଭବାନୀପାଟଣା: ଦୁର୍ନୀତି ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ସ୍ୱରୂପ, ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟର ବରିଷ୍ଠ ସହାୟକ ତଥା ପ୍ରତିଷ୍ଠାନ ବିଭାଗର ଦାୟିତ୍ୱରେ ଥିବା ବାବୁଲୁ ସୁନାଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। MACP/RACP ଯୋଜନା ଅଧୀନରେ ଜାଲ୍ ବିଲ୍ ପ୍ରସ୍ତୁତ କରି ୨ କୋଟି ୬୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସରକାରୀ ଅର୍ଥ ହଡ଼ପ କରିଥିବା ତାଙ୍କ ବିରୋଧରେ ଅଭିଯୋଗ ହୋଇଛି। ତାଙ୍କୁ ଭବାନୀପାଟଣାସ୍ଥିତ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଅଦାଲତରେ ହାଜର କରାଯିବ।
ସୂଚନା ଅନୁଯାୟୀ, ବାବୁଲୁ ସୁନା ଗତ ପ୍ରାୟ ଛଅ ମାସ ଧରି ଫେରାର୍ ଥିବାବେଳେ ଗତ ରାତିରେ ବଲାଙ୍ଗୀରରୁ ତାଙ୍କୁ ଧରିବାରେ ଭିଜିଲାନ୍ସ ସଫଳ ହୋଇଛି।
ସରକାରୀ ଅର୍ଥ ହଡ଼ପ ସମ୍ପର୍କରେ ଅଭିଯୋଗ ମିଳିବା ପରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଘଟଣାର ବିସ୍ତୃତ ଯାଞ୍ଚ କରାଯାଇଥିଲା। ତଦନ୍ତରୁ ଅଭିଯୁକ୍ତ ନିଜ ପଦବୀର ଅପବ୍ୟବହାର କରି ଜାଲିଆତିପୂର୍ଣ୍ଣ ଆର୍ଥିକ କାରବାର କରିଥିବା ଜଣାପଡ଼ିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ତଦନ୍ତ ଅନୁଯାୟୀ, ବାବୁଲୁ ସୁନା ମଡିଫାଏଡ୍ ଆସ୍ୟୁର୍ଡ କ୍ୟାରିୟର ପ୍ରୋଗ୍ରେସନ୍ (MACP) ଏବଂ ରିଭାଇଜ୍ଡ ଆସ୍ୟୁର୍ଡ କ୍ୟାରିୟର ପ୍ରୋଗ୍ରେସନ୍ (RACP) ଯୋଜନା ଅଧୀନରେ ଜାଲ୍ ବକେୟା ଦରମା ବିଲ୍ ପ୍ରସ୍ତୁତ କରିଥିଲେ। ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡର ପୂର୍ବତନ, ଅବସରପ୍ରାପ୍ତ ଏବଂ ମୃତ କର୍ମଚାରୀଙ୍କ ନାମ ଓ ପରିଚୟ ବ୍ୟବହାର କରି ଏହି ଜାଲ୍ ବିଲ୍ଗୁଡ଼ିକୁ ପ୍ରସ୍ତୁତ କରାଯାଇଥିଲା। ଏହା ଜରିଆରେ ହଡ଼ପ କରାଯାଇଥିବା ସରକାରୀ ଅର୍ଥକୁ ତାଙ୍କ ପତ୍ନୀ, ଭାଇ, ଭଉଣୀ ଏବଂ ଅନ୍ୟ ଦୁଇ ଜଣ ଘନିଷ୍ଠ ସହଯୋଗୀଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଖାତାକୁ ପଠାଯାଇଥିବା ତଦନ୍ତରୁ ଜଣାପଡ଼ିଛି।
ଏଥିସହ ଅଭିଯୁକ୍ତ ନିଜର ଦରମା ବୃଦ୍ଧି ସମ୍ପର୍କିତ ସରକାରୀ ରେକର୍ଡରେ ମଧ୍ୟ ହେରଫେର କରିଥିବା ଅଭିଯୋଗ ହୋଇଛି। ନିୟମ ଅନୁଯାୟୀ ଯେତିକି ଦରମା ବୃଦ୍ଧି ପାଇବାକୁ ସେ ହକ୍ଦାର ନଥିଲେ, ତାହାଠାରୁ ଅଧିକ ଦରମା ବୃଦ୍ଧି ହାସଲ କରିବା ପାଇଁ ସେ ଏପରି କରିଥିବା ତଦନ୍ତରେ ଜଣାପଡ଼ିଛି। ଏହାଦ୍ୱାରା ଦୀର୍ଘ ସମୟ ଧରି ଅତିରିକ୍ତ ମାସିକ ଦରମା ବିଲ୍ ପ୍ରସ୍ତୁତ କରି ସେ ୧୦ ଲକ୍ଷ ୫୮ ହଜାର ଟଙ୍କାରୁ ଅଧିକ ଅର୍ଥ ବେଆଇନ ଭାବେ ଉଠାଇଥିବା ଅଭିଯୋଗ ରହିଛି।
ଭିଜିଲାନ୍ସର ତଦନ୍ତ ଅନୁଯାୟୀ, ଏହି ମାମଲାରେ ମୋଟ ୨ କୋଟି ୬୦ ଲକ୍ଷ ୨୧ ହଜାର ୩୦୬ ଟଙ୍କା ହଡ଼ପ ହୋଇଥିବା ଆକଳନ କରାଯାଇଛି।
ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୨୪ ଓ ୨୫/୨୦୨୬ରେ ଦୁଇଟି ମାମଲା ରୁଜୁ ହୋଇଛି। ଏଥିରେ ଦୁର୍ନୀତି ନିବାରଣ ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତା (BNS)ର ସମ୍ପୃକ୍ତ ଧାରା ଲାଗୁ କରାଯାଇଛି। ଏହି ଅର୍ଥ ହଡ଼ପ ମାମଲାରେ ଭିଜିଲାନ୍ସର ତଦନ୍ତ ଜାରି ରହିଛି।