ଶିବଙ୍କ ସାମ୍ରାଜ୍ୟରେ ଗଞ୍ଜେଇ ଗଞ୍ଜଣା!

0

ବିଭୂତି ପତି 

 

ଯୁକ୍ତରାଷ୍ଟ୍ର ଆମେରିକାର ଚାପ ସମ୍ଭାଳି ନପାରି ଭାରତ ଗଞ୍ଜେଇକୁ ନିଷିଦ୍ଧ ଘୋଷଣା କରିଦେଲା । ଅଥଚ ଆମେରିକା ଆମର ସମ୍ମାନ ଉପରେ ଆଧିପତ୍ୟ ଜାହିର କରି ବିପୁଳ ଲାଭରେ ତା’ର  ସାମଗ୍ରୀଗୁଡ଼ିକୁ ବିକ୍ରି କଲା । ଜୈବ ସମ୍ବଳର ଏପରି ଲୁଣ୍ଠନ ବନ୍ଦ ହେବା ଆବଶ୍ୟକ  ।

ଶିବଙ୍କ ଭାରତରେ ନିଜ ପାଖରେ ମାତ୍ର ୫୯ ଗ୍ରାମ ଗଞ୍ଜେଇ ରଖିଥିବାର ଅଭିଯୋଗରେ ଆମେ ରିଆ ଚକ୍ରବର୍ତ୍ତୀଙ୍କୁ ଫାଶୀରେ ଝୁଲାଇ ଦେଲା ଭଳି କରିବା  କ’ଣ ଉଚିତ କଥା ?  ରିଆଙ୍କୁ ଗଞ୍ଜେଇର ଗଞ୍ଜଣା ହୁଏତ ତାଙ୍କୁ  ସିଧାସଳଖ ମୃତ୍ୟୁ ମୁହଁରେ ଜିଅନ୍ତା ଛଟପଟ କରିବ ଏବଂ ତାଙ୍କ ସହିତ  ସମସ୍ତ ପ୍ରକାରର ନିନ୍ଦା, ଅପମାନ ଓ ତିରସ୍କାର ଚରିତ୍ରର ଛାପ ହୋଇ ସବୁଦିନ ପାଇଁ ରହିଯିବ । ଆଇନତଃ ଦେଖିବାକୁ ଗଲେ ଭାରତର ନାରକୋଟିକ୍ ଡ୍ରଗସ ଆଣ୍ଡ୍ ସାଇକୋଟ୍ରୋପିକ୍ ସବଷ୍ଟାନସେସ୍ (ଏନ.ଡି.ପି.ଏସ୍) ଆକ୍ଟରେ ଏକ କିଲୋଗ୍ରାମ କିମ୍ବା ତା’ ଠାରୁ କମ୍ ପରିମାଣର ଗଞ୍ଜେଇକୁ  ସ୍ୱଳ୍ପ ପରିମାଣର ବୋଲି ବିବେଚନା କରାଯାଏ । ଏତିକି ପରିମାଣର ଗଞ୍ଜେଇ ସହ ଧରାପଡ଼ିଲେ ଜୋରିମାନା ଦେବା ପରେ କ୍ଷମା ମିଳିପାରିବ । ଏହି ଆଇନରେ ଧାର୍ଯ୍ୟ କରାଯାଇଥିବା ସୀମାର ମାତ୍ର ୫.୮୯% ପରିମାଣର ଗଞ୍ଜେଇ ତାଙ୍କ ପାଖରେ ଥିବା ସତ୍ତ୍ୱେ   କୋଭିଡ -୧୯ସମୟରେ ରିଆଙ୍କ ଜୀବନକୁ ବିପଦଗ୍ରସ୍ତ କରି ଜେଲରେ ଭର୍ତ୍ତି କରି ଗଞ୍ଜେଇ ପାଇଁ ଗଞ୍ଜଣା ଦିଆଯାଇଛି ।

ଗଞ୍ଜେଇର ଅପରାଧୀକରଣ ହେଉଛି ଆମମାନଙ୍କ ଭାବଧାରା ଏବଂ ଆମ ପୂର୍ବ ପୁରୁଷମାନଙ୍କର ଜ୍ଞାନ ବିରୁଦ୍ଧରେ କରାଯାଇଥିବା ଏକ ଚାଲ୍ । ଏହା ଭାରତର ପୁରାଣ, ସଂସ୍କୃତି ଏବଂ ଦେବାଦେବୀମାନଙ୍କୁ ବୈଦେଶିକ ଉପନିବେଶର ଅଂଶବିଶେଷ ବୋଲି ଉଦ୍ଘୋଷଣା  । ଅଥର୍ବ ବେଦ ମୁତାବକ ଗଞ୍ଜେଇ ହେଉଛି ଭାରତୀୟ ସଂସ୍କୃତିର ପାଞ୍ଚଟି ପବିତ୍ରତମ ଉଦ୍ଭିଦ ମଧ୍ୟରୁ ଅନ୍ୟତମ । ଏହା ଏକ ଔଷଧୀୟ ଉଦ୍ଭିଦ ଏବଂ ମହାଦେବ ଶିବଙ୍କର ବିଭିନ୍ନ ପୂଜା ବିଧି ସହିତ ସଂପୃକ୍ତ । ମାତ୍ର ଲର୍ଡ ମ୍ୟାକଲେଙ୍କ ଶିଷ୍ୟମାନଙ୍କର ଅନୁଗ୍ରହ ଯୋଗୁଁ ଭାରତର ପାରମ୍ପରିକ ଜ୍ଞାନ ଓ ପରମ୍ପରାକୁ ଭାରତୀୟଙ୍କ ବିରୁଦ୍ଧରେ ଅସ୍ତ୍ର ରୂପେ ବ୍ୟବହାର କରାଯାଉଛି । ଇତିମଧ୍ୟରେ ସ୍ୱିଜରଲ୍ୟାଣ୍ଡ ଠାରୁ ଆରମ୍ଭ କରି କାନାଡ଼ା ପର୍ଯ୍ୟନ୍ତ ବିଭିନ୍ନ ବିକଶିତ ରାଷ୍ଟ୍ର ଗଞ୍ଜେଇ ବ୍ୟବହାରକୁ ସମ୍ପୂର୍ଣ୍ଣ ରୂପେ କିମ୍ବା ଆଂଶିକ ରୂପେ ଅପରାଧ ମୁକ୍ତ ବୋଲି ଘୋଷଣା କଲେଣି । କିନ୍ତୁ ଏହା ସତ୍ତ୍ୱେ ଭାରତର ନିଶା ବିରୋଧୀ ଯୁଦ୍ଧରେ ରିଆ ଆଉ ଏକ ବଳିଛାଗ ରୂପେ ଉର୍ତ୍ସଗୀକୃତ ହୋଇଛନ୍ତି  ।

ଏବେ କ’ଣ ଭାରତର ପ୍ରବର୍ତ୍ତନ ସଂସ୍ଥାମାନେ ଦେଶର ଲକ୍ଷଲକ୍ଷ ସାଧୁମାନଙ୍କୁ ଗିରଫ କରିବେ, ଯେଉଁମାନେ ଗଞ୍ଜେଇ ରଖି ଥାଆନ୍ତି ଏବଂ ମହାଦେବଙ୍କ ଆରାଧନା ରୂପେ ଗଞ୍ଜେଇ ସେବନ କରିଥାଆନ୍ତି ? ଅନାଦି ଅନନ୍ତ କାଳରୁ ବନାରସ ମହାପ୍ରଭୂଙ୍କର ଆରାଧନାସ୍ଥଳୀ ରୂପେ ପରିଚିତ ଏବଂ ଭାଙ୍ଗ ଓ ଗଞ୍ଜେଇ ଏହି ନଗରୀର ସଂସ୍କୃତିର ଏକ ପବିତ୍ର ଅଙ୍ଗ ରୂପେ ରହିଆସିଛି । ଏମ.ଡି.ପି.ଏସ୍. ଆଇନରେ ବ୍ୟବସ୍ଥା ରହିଛି, ଯେଉଁ ଘରେ ବା ସମ୍ପତ୍ତିରେ ନିଶାଦ୍ରବ୍ୟର ବ୍ୟବହାର କରାଯାଉଥିବ ସେହି ସମ୍ପତ୍ତିକୁ ବାଜ୍ୟାପ୍ତ କରାଯିବ । ତେବେ କ’ଣ ସରକାର ସମଗ୍ର କୁମ୍ଭମେଳା ପଡିଆରେ ବର୍ଷ ବର୍ଷ ଧରି ନାଗା ସାଧୁମାନେ ଖୋଲାଖୋଲି ଭାବରେ ଗଞ୍ଜେଇ ପିଅନ୍ତି ଏବଂ ନିଜ ପାଖରେ ମଧ୍ୟ ଗଞ୍ଜେଇ ରଖନ୍ତି । ଏହାକୁ ସରକାର ନିଷେଧ କରି ସମସ୍ତଙ୍କୁ ଗିରଫ କରିବେ ଏବଂ କୁମ୍ଭମେଳା ଭଳି ସାଂସ୍କୃତିକ ମେଳା ମହୋତ୍ସବକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବେ? ସମ୍ଭବତଃ ସେମାନେ ପାଖରେ ରଖୁଥିବା ଗଞ୍ଜେଇର  ପରିମାଣ ୫୯ ଗ୍ରାମରୁ ମଧ୍ୟ ଅଧିକ । ପୁନଶ୍ଚ ଅନ୍ୟ ଏକ ପ୍ରଶ୍ନ  ଊଠୁଛି, ତେବେ ଏନ.ସି.ବି.  କ’ଣ ମୃତ୍ୟୁର ଦ୍ୱାର ଦେଶରେ ଥିବା ହଜାର ହଜାର କ୍ୟାନସର ରୋଗୀମାନଙ୍କୁ ମଧ୍ୟ ଗିରଫ କରିବ ଏବଂ  ଯେଉଁମାନେ କି ଭାରତରେ ଆଇନଗତ ସ୍ୱୀକୃତି ନଥିବା ଗଞ୍ଜେଇରୁ ପ୍ରସ୍ତୁତ ଔଷଧ ବ୍ୟବହାର କରୁଛନ୍ତ !! ସେମାନଙ୍କ ଉପରେ ଆଇନଗତ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ  ? ଶ୍ରାବଣ ମାସରେ ମହାପ୍ରଭୁ ଶିବଙ୍କର ହଜାର ହଜାର ବୋଲବମ୍ ଭକ୍ତମାନେ ପାଣି ଢାଳିବା ପାଇଁ ଖାଲି ପାଦରେ ବିଭିନ୍ନ ଶୈବପୀଠକୁ ଯାତ୍ରା କରିଥାଆନ୍ତି । ଯାତ୍ରା କାଳରେ ସେମାନେ ରାସ୍ତାକଡ଼ରେ ଆଶ୍ରୟ ନେବାବେଳେ ଖୋଲାଖୋଲି ଭାବରେ ଗଞ୍ଜେଇ ଟାଣିଥାଆନ୍ତି । ଏପରିକି ବିଭିନ୍ନ ଶିବଭକ୍ତମାନେ ଏହି ବୋଲବମ୍ ଭକ୍ତମାନଙ୍କୁ ମାଗଣାରେ ଖାଦ୍ୟ ଓ ଗଞ୍ଜେଇ ଯୋଗାଇ ଥାଆନ୍ତି । ଏ ଦିଗରେ କ’ଣ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ?

ଗଞ୍ଜେଇରୁ ଡଲାର ରୋଜଗାରର ମୋହ

ଭାରତରେ ସିନା ଗଞ୍ଜେଇକୁ ପ୍ରତିବନ୍ଧିତ କରାଯାଇଛି, ମାତ୍ର ଆମ ପଡେ଼ାଶୀ ଦେଶଗୁଡ଼ିକ ଗଞ୍ଜେଇକୁ ନିଷିଦ୍ଧ କରିବାର ଅବାସ୍ତବ  ପଦକ୍ଷେପ ଗ୍ରହଣ କରିନାହାନ୍ତି, କି ନିଷ୍କ୍ରିୟ  ହୋଇ ରହିନାହାନ୍ତି । ପାକିସ୍ତାନ ଏକ ପ୍ରଗତୀଶୀଳ ପଦକ୍ଷେପ ଗ୍ରହଣ କରି ଏହାର ଅର୍ଥନୀତିକୁ ୨୦ ଲକ୍ଷ ଡଲାରର ଏକ ଅଭିବୃଦ୍ଧି ଦେବା ପାଇଁ ଶିଳ୍ପରେ ଗଞ୍ଜେଇ ଓ ଛଣର (ନିଶାଦ୍ରବ୍ୟ ପ୍ରସ୍ତୁତ ହୁଏ)ବ୍ୟବହାର ଓ ଚାଷକୁ  ଆଇନ ସମ୍ମତ କରି ଦେଇଛି । ସେହିପରି ନେପାଳର ସାଂସଦମାନେ ମଧ୍ୟ ଗଞ୍ଜେଇର ବ୍ୟବହାରକୁ ଆଇନ ସମ୍ମତ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଭୂଟାନ ନିଜ ଦେଶରେ ଥିବା ଗଞ୍ଜେଇ ପ୍ରଜାତିଗୁଡ଼ିକର ଚିହ୍ନଟ ସକାଶେ ଏକ ମିଳିତ ଉଦ୍ୟମରେ କାର୍ଯ୍ୟ କରୁଛି । ଗଞ୍ଜେଇ କ୍ଷେତ୍ରରେ ଚୀନ ବେଶ ଆଗରେ । କେବଳ ଗଞ୍ଜେଇ ପାଇଁ ଏହାର ଏକ ଗବେଷଣା ଓ ଉନ୍ନୟନ ବିଭାଗ ରହିଛି ଏବଂ ଏବେ ଚୀନରେ ହଜାର ହଜାର ଏକର ଜମିରେ ଗଞ୍ଜେଇ ଚାଷ କରାଯାଉଛି । ଯୁକ୍ତରାଷ୍ଟ୍ର ଆମେରିକା ଗଞ୍ଜେଇ ଶିଳ୍ପ କ୍ଷେତ୍ରରେ ବିକ୍ରୟ ୪୦% ବୃଦ୍ଧି ପାଇଛି ଏବଂ ୨୦୨୦ ମସିହାର ଡିସେମ୍ବର ମାସ ବେଳକୁ କେବଳ ଯୁକ୍ତରାଷ୍ଟ୍ର ଆମେରିକା ଗଞ୍ଜେଇ ବ୍ୟବସାୟରୁ ୧୫୦୦କୋଟି ଡଲାର ରୋଜଗାର କରିସାରିଥିବ ବୋଲି ଆଶା କରାଯାଉଛି ।

ଆମେମାନେ ୧୯୮୫ମସିହାର କଥା ଜାଣିବା ଏକାନ୍ତ ଆବଶ୍ୟକ । ସେହି ବର୍ଷ ଯୁକ୍ତରାଷ୍ଟ୍ର ଆମେରିକାର ତକ୍ରାଳୀନ ରାଷ୍ଟ୍ରପତି ଭାରତକୁ ଧମକାଇଥିଲେ ଯେ, ଗଞ୍ଜେଇକୁ ନିଷିଦ୍ଧ କର ନହେଲେ ପରିଣାମ ବିଷମୟ ହେବ । ଯୁକ୍ତରାଷ୍ଟ୍ର ଆମେରିକାର ଚାପ ସମ୍ଭାଳି ନପାରି ଭାରତ, ନେପାଳ ଓ ଅନ୍ୟ ଦେଶମାନେ ନିଜନିଜ ଇଚ୍ଛା ବିରୁଦ୍ଧରେ ଗଞ୍ଜେଇକୁ ପ୍ରତିବନ୍ଧିତ କଲେ ଏବଂ ସେମାନଙ୍କ ଦେଶର ବିହନ, ଜୈବିକ ଐତିହ୍ୟ ଏବଂ ସଂସ୍କୃତିକୁ  ହଡପ ହେବାକୁ  ଛାଡିଦେଲେ । ଗଞ୍ଜେଇକୁ ନିଷିଦ୍ଧ କରିବା ପ୍ରତିବଦଳରେ ଭାରତ ଭାଙ୍ଗକୁ ଏହି ପ୍ରତିବନ୍ଧକରୁ ମୁକ୍ତ ରଖିବାକୁ ବିନତି କଲା, କାରଣ ଏହା ଭାରତୀୟମାନଙ୍କ ସକାଶେ ଧାର୍ମିକ ଗୁରୁତ୍ୱ ବହନ କରେ  । ୧୫ବର୍ଷ ମଧ୍ୟରେ ଗଞ୍ଜେଇ ଉପରେ ବିଭିନ୍ନ ଦେଶରେ ଥିବା ପ୍ରତିବନ୍ଧକକୁ ଏକ ଢାଲ ରୂପେ ବ୍ୟବହାର କରି ଯୁକ୍ତରାଷ୍ଟ୍ର ଆମେରିକାର ଶିଳ୍ପ ସାମ୍ରାଜ୍ୟ ଜୋରସୋରରେ କାର୍ଯ୍ୟ କଲା, ଗଞ୍ଜେଇ ଗଛର ପ୍ରତ୍ୟେକଟି ଦିଗ ସମ୍ପର୍କରେ ବିସ୍ତୃତ ଗବେଷଣା କଲା ଏବଂ ବ୍ୟାପକ  ରୂପେ ବ୍ୟବସାୟିକ ଉତ୍ପାଦନ ଆରମ୍ଭ କରିଦେଲା । ଗଞ୍ଜେଇ ଗଛର ପ୍ରତ୍ୟେକଟି ଅଂଶକୁ ଜିନ୍ ଦୃଷ୍ଟିରୁ ପରିବର୍ତ୍ତିତ  କରାଗଲା ଏବଂ ୧୯୯୬ମସିହା ବେଳକୁ ଆନ୍ତର୍ଜାତିକ ଚୁକ୍ତିନାମାର ପ୍ରତିବନ୍ଧକ ସତ୍ତ୍ୱେ  ଆମେରିକା ଔଷଧ ପାଇଁ ଗଞ୍ଜେଇର ବ୍ୟବହାରକୁ ଆଇନ ସମ୍ମତ କରିଦେଲା । ଯେତେବେଳେ ଭାରତ, ଗଞ୍ଜେଇକୁ ଏହାର ସଂସ୍କୃତିରୁ ବିିଚ୍ଛିନ୍ନ କରିବା ସକାଶେ କ୍ରମାଗତ ଉଦ୍ୟମ ଜାରି ରଖିଥିଲା, ସେତେବେଳେ ‘ଲାଭଖୋର ଆମେରିକା’ ସଫଳତାର ସହ ଆମର  ଗଞ୍ଜେଇ ସମ୍ବଳକୁ ନିଜର ସାମ୍ରାଜ୍ୟବାଦର ଅଂଶବିଶେଷ କରିନେଲା ଏବଂ ଗଞ୍ଜେଇରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀକୁ ଏହା ଚଢା ଦରରେ ଭାରତ ଏବଂ ବିଶ୍ୱର ଅନ୍ୟାନ୍ୟ ଦେଶଗଡ଼ିକୁ ବିକି୍ର କରିବା ଆରମ୍ଭ କରିଦେଇଥିଲା । 

ବଜାରର ରିପୋର୍ଟରୁ ଜଣାପଡିଛି ଯେ, ୨୦୨୦ ମସିହାରେ ବିଶ୍ୱ ବ୍ୟାପୀ ଗଞ୍ଜେଇ ଶିଳ୍ପର ମୋଟ ବ୍ୟବସାୟ ପ୍ରାୟ ୧୦ହଜାର କୋଟି ଡଲାର ଛୁଇଁବ, କାରଣ ଅଧିକରୁ ଅଧିକ ସଂଖ୍ୟକ ଦେଶମାନେ ଏବେ ଗଞ୍ଜେଇକୁ ଆଇନ ସମ୍ମତ ବୋଲି ଘୋଷଣା କରି ତାହାର ରପ୍ତାନିକରଣ  ଆରମ୍ଭ କରିଦେଲେଣି  । ଇସ୍ରାଏଲ ଏବଂ ଜର୍ମାନୀ ଏବେ କୋଟି କୋଟି ଡଲାର ମୂଲ୍ୟର ଔଷଧୀୟ ଗଞ୍ଜେଇ ଫୁଲ୍ ଆମଦାନୀ କରୁଛନ୍ତି । ମାତ୍ର ଏହା ଗଞ୍ଜେଇ ବ୍ୟବସାୟର ଏକ କ୍ଷୁଦ୍ର ଅଂଶ  । ଗଞ୍ଜେଇ ଗଛକୁ ଏବେ ଏକ ‘ସୁପର ଶିଳ୍ପ ପାଇଁ କଞ୍ଚାମାଲ ବୋଲି କୁହାଯାଉଛି, କାରଣ ଏହାକୁ ବେଶି ଦିନ ଚାଲୁଥିବା ଲୁଗାଠାରୁ ଆରମ୍ଭ କରି ଜୈବ ଇନ୍ଧନ ରୂପେ ମଧ୍ୟ ବ୍ୟବହାର କରାଯାଇପାରିବ ।

ଏତେ ସବୁ ସୁଯୋଗମାନ ରହିଥିବାବେଳେ ଭାରତ କ’ଣ କରୁଛି? ପ୍ରା୍ୟତଃ କିଛି ନୁହେଁ ବୋଲି କୁହାଯାଇପାରିବ । ଓଡ଼ିଶା, ଉତ୍ତରାଖଣ୍ଡ ପରି ପ୍ରଗତିଶୀଳ ରାଜ୍ୟମାନେ କେତେକ ପ୍ରାରମ୍ଭିକ ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ ମୌନ ଅବଲମ୍ବନ କରୁଛନ୍ତି । କେନ୍ଦ୍ର ସରକାର ଏକଥାକୁ ବିଚାରକୁ ନେଉନାହାନ୍ତି ଯେ, ‘କାନ୍ନାବିସ୍ ଇଣ୍ଡିକାର’ (ଗଞ୍ଜେଇ ଗଛ) ବିଭିନ୍ନ ପ୍ରଜାତି କ୍ଷେତ୍ରରେ ଭାରତରେ ବ୍ୟାପକ ଉଦ୍ଭିଦ ଜେନେଟିକ୍ ସମ୍ବଳ ରହିଛି । ଜୈବିକ ସମ୍ବଳର ଚୋରି ଏବଂ ଆମ ବିହନ ତଥା ଆମର ଜୈବିକ ଐତିହ୍ୟ କଳୁଷିତ ହେବା ସଙ୍କଟର ସମ୍ମୁଖୀନ ହୋଇଛି ଭାରତ ବର୍ଷ । ନିଶାଦ୍ରବ୍ୟ ନିୟନ୍ତ୍ରଣ ଚୁକ୍ତି ଅନୁଯାୟୀ ବେଆଇନ ଘୋଷିତ  ହୋଇଥିବାରୁ ମାରିଜୁଆନା ପି.ଜି.ଆର. (ଗଞ୍ଜେଇ ଚାଷ) ଜୈବ ବିବିଧତା ସମ୍ମିଳନୀରେ ଅନ୍ତର୍ଭୁକ୍ତ ହୋଇନାହିଁ । ଏହା ଜୈବ ଲୁଣ୍ଠନକାରୀ ଏବଂ ମାଫିଆ ଏଜେଣ୍ଟମାନଙ୍କୁ ସାରା ଭାରତରେ ବୁଲି ବୁଲି ଆମର ଦେଶୀ ସମ୍ବଳ ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା  ଘରୋଇ ଜର୍ମପ୍ଲାଜମ୍ କେନ୍ଦ୍ରଗୁଡ଼ିକ ହାତକୁ ଟେକି ଦେବାରେ ସହାୟକ ହୋଇଛି ।

ଆମ ପୂର୍ବପୁରୁଷମାନଙ୍କ କଷ୍ଟୋପାର୍ଜିତ ଜ୍ଞାନକୁ ନେଇ ଗବେଷଣା ଓ ବିକାଶ କରି ଅନ୍ୟ ଦେଶମାନେ ଶହଶହ କୋଟି ଡଲାର ଉପାର୍ଜନ କରୁଥିଲେ ମଧ୍ୟ ଆମ ଦେଶରେ ଗୋଟିଏ ହେଲେ ଗଞ୍ଝେଇ ବିହନ ବା ଜର୍ମପ୍ଲାଜମ କେନ୍ଦ୍ର ନଥିବା ଅତ୍ୟନ୍ତ ପରିତାପର ବିଷୟ । ଭାରତରେ ଆଇନ ସମ୍ମତ ଭାବେ ଭାଙ୍ଗ ବିକ୍ରି ହୁଏ  । ଏହା ସତ୍ତ୍ୱେ  ଘରୋଇ ଉଦ୍ୟୋଗକୁ ଗଞ୍ଜେଇ ସମ୍ପର୍କରେ ଗବେଷଣା କରିବାକୁ କିମ୍ବା ଗଞ୍ଜେଇ ଗଛର ପ୍ରଜାତିଗୁଡ଼ିକର ସଂରକ୍ଷଣ କରିବାକୁ ଅନୁମତି ଦିଆଯାଇନାହିଁ । ଗବେଷଣା ପାଇଁ ବଜେଟ ଖୁବ୍ କମ୍ ହୋଇଥିବାରୁ ଆଇ.ସି.ଏ.ଆର. ବା ସି.ଏସ୍ .ଆଇ. ଆର୍. ଦକ୍ଷତାର ସହ ଏହି ଗବେଷଣା କରିପାରିବେ ନାହିଁ । ତେଣୁ ଅର୍ଥାଭାବରେ ଥିବା ସରକାର କ’ଣ କରିପାରିବେ? ସମ୍ଭବତଃ ଏଥିପାଇଁ ପୁଣି ଥରେ ଯୁକ୍ତରାଷ୍ଟ୍ର ଆମେରିକା ଠାରୁ ଆମେମାନେ  ପ୍ରେରଣା  ପାଇପାରିବା । ସେଠାରେ ଘରୋଇ କ୍ଷେତ୍ର ଗଞ୍ଜେଇ ବ୍ୟବସାୟରେ ବ୍ୟାପକ ଉନ୍ନତି କରିଛି । ଯୁକ୍ତରାଷ୍ଟ୍ର  ଆମେରିକାର ଜଲୋରାଡୋ ଠାରୁ ଆରମ୍ଭ କରି କାଲିଫର୍ଣ୍ଣିଆ ପର୍ଯ୍ୟନ୍ତ ରାଜ୍ୟମାନେ  ଗଞ୍ଜେଇ ବେପାରରୁ କୋଟିକୋଟି ଡଲାର ରୋଜଗାର କରି  ରାଜକୋଷ ଭର୍ତ୍ତି କରିଛନ୍ତି । ଅନ୍ୟପକ୍ଷରେ ପାକିସ୍ତାନ, ଉରୁଗୁଏ, ପେରୁ ଏବଂ ଥାଇଲାଣ୍ଡ ପରି ରାଜ୍ୟମାନେ ମଧ୍ୟ ବେଶି ପଛରେ ପଡିନାହାନ୍ତି ।

କୃଷକ ଏବଂ ଘରୋଇ ଶିଳ୍ପର ସ୍ୱାର୍ଥ ଦୃଷ୍ଟିରୁ ଭାରତ ହେମ୍ପ୍ ବା ଛଣ (ତନ୍ତଯୁକ୍ତ, ନିଶା ହେଉନଥିବା ପ୍ରଜାତି)କୁ ନିୟନ୍ତ୍ରଣ ମୁକ୍ତ କରିବା ଆବଶ୍ୟକ । ଉତ୍ତରାଖଣ୍ଡ ମଡେଲକୁ ସମ୍ପ୍ରସାରିତ କରାଯିବା ଜରୁରୀ । କୃଷି ବିଶ୍ୱବିଦ୍ୟାଳୟ, ଜୈବ ବିବିଧତା ସଂସ୍ଥାନ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ସଂରକ୍ଷଣ ଓ ଗବେଷଣା ପାଇଁ ପ୍ରୋତ୍ସାହିତ କରିବା ଦରକାର । ଅନ୍ୟପକ୍ଷରେ ଭାରତୀୟ ବିହନ କମ୍ପାନୀ ମାନଙ୍କୁ ଗବେଷଣା କେନ୍ଦ୍ରମାନ ସ୍ଥାପନ କରିବା ପରି ଅନୁମତି ପ୍ରଦାନ କରାଯିବା ସଙ୍ଗେ ସଙ୍ଗେ ଏହି ପ୍ରଜାତିଗୁଡ଼ିକର ସଂରକ୍ଷଣ ଏବଂ ବିକଶିତ କରାଯିବାକୁ (ଉଭୟ ହେମ୍ପ୍ ଏବଂ ଗଞ୍ଜେଇ ଗଛର) ଲାଇସେନ୍ସ ପ୍ରଦାନ କରାଯିବା ଆବଶ୍ୟକ । ତେବେ ଏହାର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ? 

ଏକ ଉତ୍ପାଦନକାରୀ ବାଣିଜ୍ୟ ପ୍ରୋତ୍ସାହନ ନୀତି ପ୍ରସ୍ତୁତ କରାଯାଇ କୃଷକମାନଙ୍କୁ ଓ ପ୍ରକ୍ରିୟାକରଣକାରୀ ଏବଂ ବନ୍ଦରଗୁଡ଼ିକୁ ଯୋଡ଼ା ଯିବା ଆବଶ୍ୟକ  । ଏହାଦ୍ୱାରା  କ୍ରମାଗତ ଭାବରେ ବଢିଚାଲିଥିବା ଆର୍ନ୍ତଜାତିକ ଚାହିଦାକୁ ପୂରଣ କରାଯାଇପାରିବ । ଏପରି ପଦକ୍ଷେପ ଏକଥାକୁ ସୁନିଶ୍ଚିତ କରିପାରିବ ଯେ, ଭାରତକୁ ଗଞ୍ଜେଇ ଡଲାର ଆସିବା ଆରମ୍ଭ ହୋଇପାରିବ ଏବଂ ଅର୍ଥନୀତି ସମୃଦ୍ଧ ଆଡକୁ ଗତି କରିବ । ଏହା ଫଳରେ ଭାରତ ବିଶ୍ୱର ଗଞ୍ଜେଇ ଏବଂ ହେମ୍ପ୍ ଚାହିଦା ମେଣ୍ଟାଇ ପାରିବ ଖାଲି ସେତିକି ନୁହେଁ । ବରଂ ଏହା ମଧ୍ୟ ଆମର ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ବିଦେଶୀ କମ୍ପାନୀଗୁଡ଼ିକ ସହ ଯୋଡି ହୋଇ ଉଚ୍ଚତର ଅନୁଧ୍ୟାନ, ଗବେଷଣା ଏବଂ ସର୍ବୋପରି ମେକ୍ ଇନ୍ ଇଣ୍ଡିଆ ସ୍ୱପ୍ନ ସଫଳ ହୋଇପାରିବ ତଥା ବୈଦେଶିକ ମୁଦ୍ରା ଭାରତ ମଧ୍ୟ ଆସିପାରିବ  । 

ଗଞ୍ଜେଇର ମୋଟ ସମ୍ଭାବନା କେତେ ସେ କଥା ଆକଳନ କରିବା କଷ୍ଟ ସାଧ୍ୟ । କିନ୍ତୁ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଖୁବଶୀଘ୍ର ଗଞ୍ଜେଇ ଆମ ଅର୍ଥନୀତିର ପ୍ରାୟ ସମସ୍ତ ଅଂଶରେ ପ୍ରବେଶ କରିଯିବ । ଔଷଧ କମ୍ପାନୀ ଓ ପ୍ରସାଧନ ଶିଳ୍ପ ଗଞ୍ଜେଇକୁ ଗ୍ରହଣ କରିସାରିଛି  । ଥରଟିଏ ଗଞ୍ଜେଇର ପୂର୍ଣ୍ଣ ସମ୍ଭାବନାକୁ ବିନିଯୋଗ କରାଯାଏ  ତେବେ ଏହା ‘ଲକ୍ଷ କୋଟି’ ଆକାରରେ ବୈଦେଶିକ ଅର୍ଥ ରୋଜଗାର କରିପାରିବ ।

ମହାଦେବଙ୍କ ଗଞ୍ଜେଇକୁ ନିର୍ବାସନ!

ଆମ ସଂସ୍କୃତିରେ ଗଞ୍ଜେଇ ସହ ଆମର ଗଭୀର ସମ୍ପର୍କ ରହିଛି । ବିଗତ ୫ହଜାର ବର୍ଷ ହେଲା ଆମର ମୁନୀ ଋଷି ଏବଂ ବୈଦ୍ୟମାନେ ଯାହା କହି ଆସୁଥିଲେ, ସେ କଥାକୁ ପାଶ୍ଚାତ୍ୟ ରାଷ୍ଟ୍ରର ଗବେଷକମାନେ ନିକଟରେ ଆବିଷ୍କାର କରିଛନ୍ତି । ଆମେମାନେ ପୁଣି ଥରେ ଏହି ବୃକ୍ଷର ପବିତ୍ରତାର ପୁନର୍ବାର କରିବା ଉଚିତ । ବ୍ୟକ୍ତିଗତ ଭାବେ ପାଖରେ ଗଞ୍ଜେଇ ଥିଲେ ତାହାକୁ ଅପରାଧ ବୋଲି ବିଚାର କରାଯିବାରୁ ଏହାକୁ ମୁକ୍ତ କରାଯିବା ଆବଶ୍ୟକ ।

ପର୍ତ୍ତୃଗାଲ, ପେରୁ, ନେଦରଲାଣ୍ଡ ପରି ବହୁ ବିଜ୍ଞ ରାଷ୍ଟ୍ରରେ ପାଖରେ ଗଞ୍ଜେଇ ରଖିବାକୁ ଅପରାଧ ମୁକ୍ତ କରାଯାଇଛି ।  ଏହା କରାଗଲେ ନିଶାସକ୍ତ ହେବା ଏବଂ ବେଆଇନ ଚୋରା ଚାଲାଣ ପରି ଘଟଣାମାନ ମଧ୍ୟ କମିଯିବ । ଗଞ୍ଜେଇ କାରବାରରୁ ସରକାର ବିପୁଳ ପରିମାଣର ରାଜସ୍ୱ ପାଇପାରିବେ ଏବଂ ଆମ ପିଲାମାନେ ମାଫିଆ ଏବଂ ଡ୍ରଗ୍ସ କାରବାରରୁ ରକ୍ଷା ପାଇଯିବେ । ଆମେମାନେ ୧୯୮୫ ମସିହା ପୂର୍ବେ ଥିବା ଗଞ୍ଜେଇ ନୀତିକୁ ଫେରିଯିବା ଆଜି ଦିନରେ ଦରକାର । ଆଇନ ସମ୍ମତ କରିଦିଆଯିବା ଦ୍ୱାରା ଭାରତ ଗଞ୍ଜେଇ ବେପାରକୁ ନିୟନ୍ତ୍ରିତ କରିପାରିବ ଏବଂ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତରପୂର୍ବ ଭାରତର ଅପହଞ୍ଚ ଏବଂ ପରିସଂସ୍ଥାନ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବେ  । ଏହା ଫଳରେ ବିଭିନ୍ନ ଅଞ୍ଚଳର କୃଷକମାନଙ୍କର ରୋଜଗାର ମଧ୍ୟ ବଢିବ  ।

ଆମର କ୍ୟାନସର ରୋଗୀ ଏବଂ ଅନ୍ୟାନ୍ୟ ଜୀବନର ଶେଷ ଭାଗରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଲୋକମାନେ ଏହି ଅଦ୍ଭୁତ ଗଛର ଯାଦୁ ବଳରେ ଲାଭାନ୍ୱିତ ହେବାର ସମୟ ଆସିଯାଇଛି । ଅଫିମକୁ ନେଇ ସୃଷ୍ଟି କରାଯାଇଥିବା ଔଷଧୀୟ ଶିଳ୍ପ ପରି ଗଞ୍ଜେଇକୁ ନେଇ ମଧ୍ୟ ଏକ ଔଷଧ ଶିଳ୍ପକୁ ବିକଶିତ କରାଯାଇପାରିବ ଏହା ଋଷିଆରେ ପରିଲକ୍ଷିତ ହୋଇସାରିଛି  । ହେମ୍ପର ଚାଷ ଆରମ୍ଭ କରାଗଲେ ଆମର ବସ୍ତ୍ର ଶିଳ୍ପ ମଧ୍ୟ ଆଗକୁ ବଢିବ ଏବଂ ପରିବେଶ ଦୃଷ୍ଟିରୁ କ୍ଷତିକାରକ କପାର ଏହା ଏକ ପରିବେଶ ଅନୁକୂଳ ବିକଳ୍ପ ହୋଇ ଉଭାହେବ  । ଆମେରିକା ଓ ବ୍ରିଟେନ ଯେପରି ଗଞ୍ଜେଇକୁ ଏହାର ପବିତ୍ରତା ପାଇଁ ତଥା ଡଲାର ପାଇଁ ଗ୍ରହଣ କରିନେଇଛନ୍ତି, ଆମେମାନେ ମଧ୍ୟ ଆମର ବି୍ରଟିଶ ଯୁଗୀୟ ଔଚିତ୍ୟକୁ ପରିହାର କରିବା ଆବଶ୍ୟକ । ନିଜ ପାଖରେ ଗଞ୍ଜେଇ ରଖିଥିବା ଅପରାଧରୁ ବର୍ତ୍ତମାନ ଏହାକୁ ମୁକ୍ତ କରାଯିବାର ସମୟ ଆସିଛି ତଥା ଗଞ୍ଜେଇ ଅପରାଧର ଶେଷ କରାଯିବା ଦରକାର । 

ଭାରତ ଏହାର ପରମ୍ପରାର ସୁରକ୍ଷା କରିବା ଆବଶ୍ୟକ ଏବଂ ଏହାର ସମ୍ବଳକୁ ଆଉ ଅଧିକ କର୍ପୋରେଟ୍ ଜଗତ ଦ୍ୱାରା ବ୍ୟବହୃତ ହୋଇ ଶୋଷଣ କରିବାକୁ ଦିଆଯିବା ଉଚିତ୍ ନୁହେଁ । କର୍ପୋରେଟ ବ୍ୟବସାୟୀ ଭାରତର ପି.ଜି.ଆର.ରୁ ପ୍ରସ୍ତୁତ ସାମଗ୍ରୀର ପ୍ୟାଟେଣ୍ଟ କରିସାରିଲେଣି । ଆମେମାନେ କେବେ ଚେତିବା ଏବଂ ଏହି ଜୈବିକ ଲୁଣ୍ଠନର ପ୍ରତିରୋଧ କରିବା କେବେ? ଯେତେବେଳେ ନିମ, ହଳଦୀ ଏବଂ ବାସୁମତୀ ଚାଉଳର ପ୍ୟାଟେଣ୍ଟ ହୋଇଗଲା, ସେଥିରୁ କ’ଣ ଆମେ କିଛି ହେଲେ ଶିକ୍ଷା କରିନାହୁଁ? ଗଞ୍ଜେଇ ହେଉଛି ଭାରତୀୟ ଉପମହାଦେଶ ପାଇଁ ମହାଦେବଙ୍କ ଆଶୀର୍ବାଦ ଏବଂ ପ୍ରକୃତିର ବରଦାନ । ଏହି ଉଦ୍ଭିଦର ଉପକାରିତାର ତାଲିକା ଅସରନ୍ତି ଏବଂ ଭାରତର ଜୈବ ବିବିଧତା ଆମକୁ ଏହି ସାମର୍ଥ୍ୟ ପ୍ରଦାନ କରୁଛି ଯେ ଆମେ ବଜାରରେ ନେତୃତ୍ୱ ନେଇପାରିବା  ।  ମାତ୍ର ଆମେମାନେ ଗଞ୍ଜେଇ ଔଷଧୀୟ ଗୁଣର ଅପମାନ କରି ଚାଲିଛେ ଏବଂ ଏହା ସହ ଆମ ସଂସ୍କୃତି ଓ ଧର୍ମର ମଧ୍ୟ ଅପମାନ କରୁଛେ? ତେବେ ଆମକୁ ବୁଝିବାକୁ ହେବ ଓ ସଚେତନା ହେବାକୁ ହେବ ଆମେ ଗଞ୍ଜେଇର ଔଷଧୀୟ ଗୁଣ ବ୍ୟବହାର କରି ଅର୍ଥନୈତିକ ପ୍ରଗତିର ତଥା ଜାଣି ରଖିବା ଉଚିତ୍ । ଏହାର ଅର୍ଥ ନୁହେଁ ଧୂମପାନର ସଭ୍ୟତା ଆଗକୁ ବଢାଇ ନିଜ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରି ରୋଗାଗ୍ରସ୍ତ ହେବା ଉଚିତ୍ ନୁହେଁ । ଗଞ୍ଜେଇର ଔଷଧୀୟ ଗୁଣକୁ ଆମେ ବୁଝିପାରି ସ୍ୱାସ୍ଥ୍ୟ ସେବାରେ ଏହାର ବିନିଯୋଗ କରି ରୋଗମୁକ୍ତ ହେବା ଦରକାର, କିନ୍ତୁ ଧୂମପାନ କରି ରୋଗଗ୍ରସ୍ତ ହେବା  ନାହିଁ । 

ସଫଦରଜଙ୍ଗ ଏନକ୍ଲେଭ୍ 

ନୂଆଦିଲ୍ଲୀ

୯୯୧୦୭୪୦୮୩୯

[email protected]

 

 

 

Leave A Reply

Your email address will not be published.