ଓଡ଼ଗାଁ କଲେଜ ଅଧ୍ୟାପକ ସଙ୍କଟ ନେଇ ଉଠିଲାଣି ପ୍ରଶ୍ନ,

14


ବ୍ଲକ୍‌ ଗ୍ରାଣ୍ଟ ନୀତି ପରିବର୍ତ୍ତନ ବିନା ପ୍ରଭାବିତ ହେବ ଶିକ୍ଷାକ୍ଷେତ୍ର !


ଓଡ଼ଗାଁ, ୬।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ତଥା ନିକଟସ୍ଥ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷାର ସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ ବହୁ ଶିକ୍ଷାନୁରାଗୀ, ବୁଦ୍ଧିଜୀବୀ ଓ ବଦାନ୍ୟ ବ୍ୟକ୍ତିଙ୍କ ତ୍ୟାଗ ଓ ସଂଘର୍ଷର ଫଳସ୍ୱରୂପ ୧୯୭୮ ମସିହାରେ ଗଢ଼ିଉଠିଥିଲା ନୟାଗଡ଼ ଜିଲ୍ଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ‘ରଘୁନାଥ ସମବାୟ ମହାବିଦ୍ୟାଳୟ’। ଦୀର୍ଘ ବର୍ଷ ଧରି ଅନେକ ପିଢ଼ିର ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ପୂରଣ କରି ଆସିଥିବା ଏହି ଶିକ୍ଷାକ୍ଷେତ୍ର ଏବେ ଅଧ୍ୟାପକ ସଙ୍କଟ ଆଶଙ୍କାରେ।
ସରକାରଙ୍କ ବ୍ଲକ୍‌ ଗ୍ରାଣ୍ଟ ବ୍ୟବସ୍ଥା ଯୋଗୁଁ ଆଗାମୀ ଦିନରେ ମହାବିଦ୍ୟାଳୟର ଅର୍ଦ୍ଧାଧିକ ବିଭାଗରେ ଅଧ୍ୟାପକ ପଦ ଖାଲି ହେବାର ଆଶଙ୍କା ଦେଖାଦେଇଛି। ଫଳରେ ଶିକ୍ଷାଦାନ ସହ ପ୍ରଶାସନିକ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହେବା ସମ୍ଭାବନା ରହିଛି। ସୂଚନାନୁଯାୟୀ ୨୦୦୪ ମସିହାରୁ ପ୍ରଥମ ବ୍ଲକ୍‌ ଗ୍ରାଣ୍ଟ ବ୍ୟବସ୍ଥା ଲାଗୁ ହୋଇଥିଲା। ପରବର୍ତ୍ତୀ ସମୟରେ ନିଯୁକ୍ତ କେତେକ କର୍ମଚାରୀ ପୂର୍ଣ୍ଣ ଅନୁଦାନଭୁକ୍ତ ହୋଇ ସରକାରୀ ସୁବିଧା ପାଇଥିଲାବେଳେ ୨୦୦୮ ଓ ୨୦୦୯ରେ ନିଯୁକ୍ତ ଅନେକ କର୍ମଚାରୀ ସମାନ ସୁବିଧାରୁ ବଞ୍ଚିତ ରହିଥିବା ଅଭିଯୋଗ ହୋଇଛି। ଏନେଇ ବିଭିନ୍ନ ସମୟରେ ଆନ୍ଦୋଳନ ହୋଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବା କୁହାଯାଉଛି। ଏହାର ପ୍ରଭାବ ଏବେ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟରେ ସ୍ପଷ୍ଟ ବାରି ହୋଇଛି। ୨୦୦୯ ମସିହାରେ ମହାବିଦ୍ୟାଳୟର ପ୍ରାୟ ୨୪ ଜଣ ଶିକ୍ଷକ ଓ ଅଣଶିକ୍ଷକ ବ୍ଲକ୍‌ ଗ୍ରାଣ୍ଟରେ ଅନ୍ତର୍ଭୁକ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୧ ଜଣ ଅବସର ନେଇସାରିଛନ୍ତି। ବର୍ତ୍ତମାନ କାର୍ଯ୍ୟରତ କର୍ମଚାରୀମାନେ ମଧ୍ୟ ଧୀରେଧୀରେ ଅବସର ନେଉଥିବାବେଳେ ଆଗାମୀ ଦୁଇ ବର୍ଷ ମଧ୍ୟରେ ଅନେକ ପଦ ଖାଲି ହୋଇଯିବାର ଆଶଙ୍କା ରହିଛି। ବ୍ଲକ୍‌ ଗ୍ରାଣ୍ଟ ନିୟମ ଅନୁଯାୟୀ ଖାଲି ପଦରେ ନୂତନ ନିଯୁକ୍ତି ନେଇ ସମସ୍ୟା ଥିବା ବେଳେ ଆର୍ଥିକ ଓ ଆଇନଗତ ପ୍ରତିବନ୍ଧକ ଯୋଗୁଁ କଲେଜ ପରିଚାଳନା କମିଟି ପକ୍ଷରୁ ମଧ୍ୟ ସ୍ଥାୟୀ ନିଯୁକ୍ତି କରିବା ସହଜ ନୁହେଁ। ଅନ୍ୟପକ୍ଷରେ, ସରକାରୀ ଭାବେ ଦାୟିତ୍ୱସମ୍ପନ୍ନ ନିଯୁକ୍ତି ନଥିବା ଏବଂ ଯୋଗ୍ୟତା ପ୍ରମାଣପତ୍ରର ବିଭାଗୀୟ ଯାଞ୍ଚ ନେଇ ପ୍ରଶ୍ନ ଉଠୁଥିବା ପରିସ୍ଥିତିରେ କେତେକ ବିଭାଗର ମୁଖ୍ୟ ଦାୟିତ୍ୱ କିପରି ନ୍ୟସ୍ତ ହେବ, ସେନେଇ ବୁଦ୍ଧିଜୀବୀ ମହଲରେ ଚିନ୍ତା ପ୍ରକାଶ ପାଇଛି। ମହାବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥାକୁ ସ୍ୱାଭାବିକ ରଖିବା ପାଇଁ ଖାଲି ପଡ଼ୁଥିବା ପଦଗୁଡ଼ିକୁ ସ୍ଥାନାନ୍ତର ମାଧ୍ୟମରେ ପୂରଣ କରାଯାଉ ଅଥବା ସରକାରୀ ପ୍ରକ୍ରିୟାରେ ନୂତନ ନିଯୁକ୍ତି ଦିଆଯାଉ ବୋଲି ରଘୁନାଥ ସମବାୟ ମହାବିଦ୍ୟାଳୟ, ଓଡ଼ଗାଁ ପୂର୍ବତନ ଅଧ୍ୟକ୍ଷ ଡ.ଅଧିବାଶ ପଣ୍ଡା ଏବଂ ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ବରିଷ୍ଠ ଆଇନଜୀବି ଗୋବିନ୍ଦ ଚନ୍ଦ୍ର ସାହୁ ପ୍ରମୁଖଙ୍କ ସହ ସାଧାରଣରେ ଦାବି ହୋଇଛି। ଏହା ନହେଲେ ମହାବିଦ୍ୟାଳୟର ଶିକ୍ଷା ଓ ପରିଚାଳନା ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହେବା ସହ ଅଭିଭାବକଙ୍କ ଆସ୍ଥା ମଧ୍ୟ କମିପାରେ। ସମସ୍ୟାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଐତିହ୍ୟବାହୀ ଶିକ୍ଷାନୁଷ୍ଠାନର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସ୍ଥାନୀୟ ଶିକ୍ଷାନୁରାଗୀ ଓ ବୁଦ୍ଧିଜୀବୀମାନେ ଦୃଢ଼ ଦାବି କରିଛନ୍ତି।

Leave A Reply

Your email address will not be published.