ହାତୀ ଚଳାଚଳ ଯୋଗୁଁ ବିଦ୍ୟୁତ୍ କାଟ, କର୍ମଚାରୀଙ୍କୁ ମାଡ଼ ଅଭିଯୋଗ

13


ଓଡ଼ଗାଁ, ୬।୯(ଶ୍ରୀକାନ୍ତ କୁମାର ମିଶ୍ର): ହାତୀପଲଙ୍କ ଚଳାଚଳ ଯୋଗୁଁ ବାରମ୍ବାର ବିଦ୍ୟୁତ୍ କାଟକୁ କେନ୍ଦ୍ର କରି ଓଡ଼ଗାଁ ବିଦ୍ୟୁତ୍ କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ମାଡ଼ ମାରିବା ଅଭିଯୋଗ ହୋଇଛି। ଶୁକ୍ରବାର ରାତି ପ୍ରାୟ ୧୨ଟାରେ ଦୁଇଜଣ ଯୁବକ କାର୍ଯ୍ୟାଳୟରେ ପଶି କର୍ତ୍ତବ୍ୟରତ ବିଦ୍ୟୁତ୍ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଛି। ଗୟଳସିଂ ସଂରକ୍ଷିତ ଜଙ୍ଗଲରେ ହାତୀପଲ ରହୁଥିବାରୁ ସେମାନଙ୍କ ଚଳାଚଳ ସମୟରେ ସୁରକ୍ଷା ଦୃଷ୍ଟିରୁ ବିଦ୍ୟୁତ୍ ସରବରାହ ବନ୍ଦ କରାଯାଉଛି। ଫଳରେ ପ୍ରାୟ ଏକ ମାସ ଧରି ଓଡ଼ଗାଁ ଅଞ୍ଚଳର ବିଭିନ୍ନ ସ୍ଥାନରେ ବାରମ୍ବାର ବିଦ୍ୟୁତ୍ କାଟ ହେଉଛି। ଏହାକୁ ନେଇ ଜନଅସନ୍ତୋଷ ବଢ଼ିଥିବା ବେଳେ ବାଣ୍ଠପୁର ପଞ୍ଚାୟତର କିଛି ଯୁବକ ଅଭିଯୋଗ କରିବାକୁ ବିଦ୍ୟୁତ୍ କାର୍ଯ୍ୟାଳୟକୁ ଆସିଥିଲେ। ସେମାନଙ୍କ ସହ ଯାଇଥିବା ଛାମୁସାହିର ଦୁଇ ଯୁବକ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ଓଡ଼ଗାଁ ଆଦର୍ଶ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ ପାଇଁ ଉଦ୍ୟମ ଜାରି ରଖିଛି। ହାତୀ ଚଳାଚଳ ଓ ବିଦ୍ୟୁତ୍ ସରବରାହ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିଭିନ୍ନ ସ୍ଥାନରେ ଜଙ୍କସନ୍ ନିର୍ମାଣ ସହ ଏହାର ପରିଚାଳନା ପାଇଁ ସ୍ୱତନ୍ତ୍ର କର୍ମଚାରୀ ନିଯୁକ୍ତି ଦାବି କରିଛନ୍ତି ସ୍ଥାନୀୟ ଲୋକେ।

Leave A Reply

Your email address will not be published.