ଜେଇଇ-ନିଟ୍ ପରୀକ୍ଷା ଘୁଞ୍ଚାଇବା ପାଇଁ ଦାବୀ କଲେ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ଓ ଏନଏସୟୁଆଇ।

0

ଝାରସୁଗୁଡ଼ା :(ସୁଭାଷ ସହାରେ) ଦେଶରେ ଜେଇଇ -ନିଟ୍ ର ପ୍ରବେଶିକା ପରୀକ୍ଷା ଘୁଞ୍ଚାଇବାକୁ ନେଇ ଦାବୀ ତୀବ୍ର ହେବାରେ ଲାଗିଛି। ସମଗ୍ର ଦେଶରେ ବିଭିନ୍ନ ରାଜନୈତିକ ଦଳ, ସଂଗଠନ, ଅଭିଭାବକ ଏ ନେଇ କେନ୍ଦ୍ର ସରକାରଙ୍କୁ କହି ଆସୁଛନ୍ତି ଯେ କୋଭିଡ-19 ର ବିଭୀଷିକା ସମୟରେ ଏହିପରି ପଦକ୍ଷେପ ଏକ ବିରାଟ ବିପଦ ସୃଷ୍ଟି କରିବ। ଏହା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଜୀବନ ସହ ଖେଳିବା ସମାନ। ମାତ୍ର ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ନିଜ ନିଷ୍ପତ୍ତିରୁ ହଟିବା ଭଳି କୌଣସି ସୂଚନା ଦେଇ ନାହାଁନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ଓ ଏନଏସୟୁଆଇର ଏକ ମିଳିତ ପ୍ରତିବାଦ ସଭା ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଛି। 

ପ୍ରତିବାଦକାରୀ ମାନେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ଯେତେବେଳେ କୋରୋନା ପାଇଁ ସମଗ୍ର ଦେଶରେ ଖାଦ୍ୟପାନୀୟ,ଗମନାଗମନ,ରହିବା ପ୍ରଭୃତିରେ କଟକଣା ଲାଗୁ  ରହିଛି, ସେ ସମୟରେ ଦେଶବ୍ୟାପୀ ହେଉଥିବା ଏହି ପରୀକ୍ଷାରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିବ। ଏହା ଦେଶପାଇଁ ବିପର୍ଯ୍ୟୟ ଭଳି ପରିସ୍ଥିତି ହେବ। ପୂର୍ବରୁ ମୋଦି ସରକାରଙ୍କ ଏହିପରି ଭୁଲ ନିଷ୍ପତ୍ତି ଯୋଗୁଁ କୋଟି କୋଟି ଲୋକ ଦଣ୍ଡିତ ହୋଇଛନ୍ତି। ତେଣୁ ଏହିପରି ଏକ ଭୟାବହ ନିଷ୍ପତ୍ତି ନେବାରୁ ସରକାର କ୍ଷାନ୍ତ ରହିବା ଉଚିତ୍ ହେବ। ପରୀକ୍ଷାକୁ କିଛି ସମୟ ଘୁଞ୍ଚାଇ ଅନ୍ୟ ଏକ ତାରିଖ, ଯାହାକି ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ହେବ, ସ୍ଥିର କରିବା ପାଇଁ ପ୍ରତିବାଦକାରୀମାନେ ଦାବି ରଖିଛନ୍ତି। 

ଆଜିର ଏହି ସଭାରେ ମହେନ୍ଦ୍ର ନାୟକ, ଭରତ ଅଗସ୍ତି, ଫକୀର ନାଏକ, ଶାହରୁଖ ଖାନ, ରାହୁଲ ଠାକୁର, କୃଷ୍ଣଚନ୍ଦ୍ର ଭୋଇ,ସଞ୍ଜୟ ମହାପାତ୍ର,ରୋସନ କୁମାର,ଆଦର୍ଶ ଗାନ୍ଧୀ,ପ୍ରଶାନ୍ତ ବିଶି, ରାଜେଶ ସହିସ, ତପନ ଅମାର,ସଞ୍ଜୟ ପଶାୟତ, ସନ୍ତୋଷ ପଶାୟତ,ଜଗନ୍ନାଥ  କିସାନ ପ୍ରମୁଖ ଉପସ୍ଥିତ ଥିଲେ।

 

 

 

 

 

Leave A Reply

Your email address will not be published.