ବିଘ୍ନରେ ବିଘ୍ନ ବିନାଶକଙ୍କ ପୂଜାର୍ଚନା 

0

କରୋନା କଟକଣା ପାଇଁ ଉତ୍ସାହ ନାହିଁ, ଫିକା ଫିକା ସବୁ 

ବାରିପଦା(ଦିଲ୍ଲୀପ ମହାନ୍ତି): ଦିନକ ପରେ ଗଣେଶ ପୂଜା। ଏତେବେଳକୁ ସମଗ୍ର ମୟୂରଭଞ୍ଜ ଜିଲ୍ଲା ପାର୍ବଣର ଆଦ୍ୟ ପର୍ବରେ ପୁଲକିତ ହୋଇପଡ଼ିବା କଥା। ଜିଲ୍ଲା ସଦରମହକୁମା ବାରିପଦାରେ ଅଗ୍ରଗଣ୍ୟ ଗଜାନନଙ୍କୁ ଭକ୍ତିର ସହିତ ଧୂମଧାମରେ ଆବାହନ କରାଯାଇଥାଏ। ମାତ୍ର ଚଳିତ ବର୍ଷ ମହାମାରୀ କରୋନା କିନ୍ତୁ ପୂଜା ଋତୁର ଏହି ଆରମ୍ଭ ପର୍ବକୁ ଫିକା କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କେବଳ ବାରିପଦାରେ ୩୦-୩୫ ସୁଦୃଶ୍ୟ ମେଢ଼ ହୋଇଥାଏ। ମାତ୍ର କରୋନା କାରଣରୁ ସର୍ବସାଧାରଣସ୍ଥାନରେ ଯେକୌଣସି ଧାର୍ମିକ କାର୍ୟ୍ୟକ୍ରମକୁ ବାରଣ କରାଯାଇଛି। ତେଣୁ ସର୍ବସାଧାରଣ ପୂଜା ମଣ୍ଡପରେ ଗଣେଶ ପୂଜା ମନାବୋଲି ଜିଲ୍ଲାପାଳ ବିନୀତ ଭରଦ୍ବାଜ ସୂଚନା ଦେଇଛନ୍ତି। ତେବେ ଘରେ ଲୋକମାନେ ଗଣପତିଙ୍କୁ ଆବାହନ କରିପାରିବେ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଇଛି। ଏହା ସ୍ପଷ୍ଟ କରୁଛି କି ଯେ ଚଳିତ ବର୍ଷ ପୂଜା ମଣ୍ଡପରେ ଶୋଭା ପାଇବେ ନାହିଁ ସିଦ୍ଧିଦାତା ଗଣପତି। ପୂଜାମଣ୍ଡପ ବୁଦ୍ଧିଦାତା ଗଣେଶଙ୍କ ବିନା ଖାଲି ପଡ଼ିବ। ଯାହାକି ଭକ୍ତସମାଜକୁ ବ୍ୟଥିତ କରିବ ନିଶ୍ଚୟ। ଏନେଇ ବାରିପଦାର ପ୍ରସିଦ୍ଧ ଲାଲ ବଜାର ରାଜା ଗଣେଶ ପୂଜା କମିଟି ସମ୍ପାଦକ କୃଷ୍ଣାନନ୍ଦ ମହାନ୍ତି କହିଛନ୍ତିଯେ ଚଳିତ ବର୍ଷ କରୋନା କଟକଣା କାରଣରୁ ଗଣେଶ ପୂଜା ହେବ ନାହିଁ। ଏହା ଆମକୁ ବହୁତ କଷ୍ଟ ଦେଉଛି। ମାତ୍ର ସମସ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ପୂଜା ବନ୍ଦ ନିଷ୍ପତିକୁ ମାନିବାକୁ ପଡ଼ୁଛି। ସେହିପରି କରୋନା କଟକଣା କାରଣରୁ ଗଣେଶ ଠାକୁରଙ୍କ ମୂର୍ତ୍ତି ବେପାର କରୁଥିବା ଦୋକାନ ମଧ୍ୟ ଖାଲି ପଡ଼ିଛି। ଚଳିତ ବର୍ଷ କରୋନା କଟକଣା କାରଣରୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ମଧ୍ୟ ଗଣେଶ ପୂଜା ହେଉନାହିଁ। ସେହିପରି ବିଭିନ୍ନ ସାହି ବସ୍ତି ଏବଂ କଲୋନୀରେ ହେଉଥିବା ପୂଜାକୁ ମଧ୍ୟ ବାରଣ କରାଯାଇଛି। ତେଣୁ ମୂର୍ତ୍ତି ବେପାର ଏକପ୍ରକାର ଠପ୍ ହୋଇଯାଇଛି ବୋଲି ମୂର୍ତ୍ତି ଦୋକାନ କରିଥିବା ଶିବଶଙ୍କର ସେନ, କାହ୍ନୁ ଦେ ପ୍ରମୁଖ କହିଛନ୍ତି। କେବଳ ଘରୋଇ ଲୋକମାନେ ଯାହା କିଛି ହାତଗଣତି ମୂର୍ତ୍ତି କିଣୁଛନ୍ତି। ତେଣୁ ବେପାର ନାହିଁ କହିଲେ ଚଳେବୋଲି ଶ୍ରୀ ସେନ କହିଛନ୍ତି। ସେହିପରି ଗଣେଶ ମୂର୍ତ୍ତି ତିଆରି କରୁଥିବାର ମୂର୍ତ୍ତିକାରମାନେ ମଧ୍ୟ ଚଳିତ ବର୍ଷ ଆର୍ଥିକ ଦୁଃସ୍ଥିତିର ସମ୍ମୁଖୀନ ହେଉଛନ୍ତି। ପ୍ରତିବର୍ଷ ଏହି ପୂଜାରୁ ସେମାନଙ୍କର କାରବାର ଆରମ୍ଭ ହୋଇଥାଏ। ମାତ୍ର କରୋନା ସବୁକିଛି ଓଲଟପାଲଟ କରିଦେଇଛି ବୋଲି ମତପ୍ରକାଶ ପାଇଛି। ବାରିପଦାରେ ଗଣେଶ ପୂଜା ଅତ୍ୟନ୍ତ ଉତ୍ସାହ ଉଦ୍ଦୀପନାର ସହିତ ପାଳନ କରାଯାଇଥାଏ। ମାତ୍ର ଚଳିତ ବର୍ଷ ଏହା ନିରାଶାରେ ପରିଣତ ହୋଇଥିବା ମତପ୍ରକାଶ ପାଇଛି ।

 

Leave A Reply

Your email address will not be published.