ଛାତ୍ରଛାତ୍ରୀଙ୍କ ପାଇଁ ଆଶ୍ବସ୍ତି : କିସ୍‍ ଛାତ୍ରଛାତ୍ରୀଙ୍କ ନିକଟକୁ ପଠାଗଲା ଦ୍ୱିତୀୟ ପର୍ଯ୍ୟାୟ ଶୁଖିଲା ଖାଦ୍ୟସାମଗ୍ରୀ ଓ ପାଠ୍ୟପୁସ୍ତକ 

0 1

ଭୁବନେଶ୍ୱର,(ଶାସକ ପ୍ରଶାସକ) : କରୋନା ମହାମାରୀ ଯୋଗୁଁ ଏବେ ସ୍କୁଲ୍‍, କଲେଜ ବନ୍ଦଥିବା ବେଳେ କିସ୍‍ର ୩୦ ହଜାର ଛାତ୍ରଛାତ୍ରୀ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ନିଜ ନିଜ ଘରେ ରହୁଛନ୍ତି । ଏହାକୁ ଦୃଷ୍ଟିରେ ରଖି କିସ୍‍ କର୍ତ୍ତୃପକ୍ଷ ସେମାନଙ୍କ ନିକଟରେ ପାଠ୍ୟ ପୁସ୍ତକ ଓ ଶୁଖିଲା ଖାଦ୍ୟ ପହଞ୍ଚାଇବାର ବ୍ୟବସ୍ଥା କରିଛନ୍ତି । ଏଥି ପାଇଁ ଗତ ମାସରେ ପ୍ରଥମ ପର୍ଯ୍ୟାୟରେ କିସ୍‍ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଚୁଡ଼ା, ଚିନି, ଡାଲି, ବିସ୍କୁଟ୍‍ ଆଦି ସୁଖିଲା ଖାଦ୍ୟ ସାମଗ୍ରୀ, ସାବୁନ୍‍ ଏବଂ ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଶିକ୍ଷାବର୍ଷର ପାଠ୍ୟ ପୁସ୍ତକ, ଖାତା, କଲମ୍‍, ପେନ୍‍ସିଲ୍‍ ଆଦି ପାଠ୍ୟୋପକରଣ ଯୋଗାଇ ଦିଆଯାଇଥିଲା । ପିଲାଙ୍କ ସୁବିଧା ଦୃଷ୍ଟିରୁ କିସ୍‍ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ଶୁଖିଲା ଖାଦ୍ୟସାମଗ୍ରୀ  ଓ ପାଠ୍ୟ ପୁସ୍ତକ ସେମାନଙ୍କ ନିକଟରେ ପହଞ୍ଚାଇବା କାର୍ଯ୍ୟ ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ଶିକ୍ଷାନୁଷ୍ଠାନଗୁଡିକ ଖୋଲିବା ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ଛାତ୍ରଛାତ୍ରୀମାନେ କିସ୍‍କୁ ଫେରିବା ପର୍ଯ୍ୟନ୍ତ ସେମାନଙ୍କ ଘରେ ପ୍ରତିମାସରେ ଶୁଖିଲା ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ପାଠ୍ୟୋପକରଣ ପହଞ୍ଚାଇ ଦିଆଯିବ ବୋଲି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା  ଅଚ୍ୟୁତ  ସାମନ୍ତ କହିଛନ୍ତି ।  ବସ୍‍ ଯୋଗେ ଓଡ଼ିଶାର ସମସ୍ତ ଜିଲ୍ଲାରେ ରହୁଥିବା ଛାତ୍ରଛାତ୍ରୀଙ୍କ ଗ୍ରାମକୁ ଉପରୋକ୍ତ ସାମଗ୍ରୀ ପଠାଯାଇଛି । ପୂର୍ବପରି ନିର୍ଦ୍ଧିଷ୍ଟ କରାଯାଇଥିବା ସ୍ଥାନରେ ପିଲାଙ୍କ ଅଭିଭାବକମାନଙ୍କୁ ଏହି ସବୁ ସାମଗ୍ରୀ ପ୍ରଦାନ କରାଯିବ । କିସ୍‍ର ଏହି ପ୍ରୟାସକୁ କିସ୍‍ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଭୂୟସୀ ପ୍ରଶଂସା କରିଛନ୍ତି । ଏହା ବ୍ୟତୀତ କିସ୍‍ ଛାତ୍ରଛାତ୍ରୀଙ୍କୁ ନିୟମିତ କଳିଙ୍ଗ ଟିଭି ଏବଂ ମୋବାଇଲ୍‍ ଜରିଆରେ ଅନ୍‍ଲାଇନ୍‍ ଶିକ୍ଷାଦାନ ଅବ୍ୟାହତ ରହିଛି ।

Leave A Reply

Your email address will not be published.