ବାରିପଦାରୁ ଦିଲ୍ଲୀପ ମହାନ୍ତି- ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ତାରା ପ୍ରସାଦ ରଥ ଆଜି ଏକ ସନ୍ତାନମାନଙ୍କ ଜାଲ ଜନ୍ମ ସାର୍ଟିଫିକେଟ ଦାଖଲ କରି ଖାସିବେଢ଼ା ପଞ୍ଚାୟତରେ ସରପଞ୍ଚ ହେବା ସହିତ ପୂର୍ବତନ ସରପଞ୍ଚ ସୁଦାମ ହେମ୍ବ୍ରମଙ୍କୁ ସହାୟତା ପ୍ରଦାନ କରିବା ନିମନ୍ତେ ତାଙ୍କ ସନ୍ତାନମାନଙ୍କର ଜାଲ ଜନ୍ମ ସାର୍ଟିଫିକେଟ ପ୍ରଦାନ କରିଥିବା ଅଭିଯୋଗରେ ରାସଗୋବିନ୍ଦପୁର ସିଏଚସିର କିରାଣୀ ଓ ଡ଼ାକ୍ତରଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ଏକ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜୋରିମାନା ଓ ଅନାଦେୟରେ ଅଧିକ ୨ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଇଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅଧୀନରେ ଥିବା ଖାସିଆବେଢ଼ା ପଞ୍ଚାୟତରେ ସରପଞ୍ଚ ନିର୍ବାଚନ ଲଢ଼ିବା ସମୟରେ ସରପଞ୍ଚ ପ୍ରାର୍ଥୀ ହୋଇଥିବା ପୂର୍ବତନ ସରପଞ୍ଚ ସୁଦାମ ହେମ୍ବ୍ରମ ନିର୍ବାଚନ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଜାଲ ତଥ୍ୟ ଦାଖଲ କରିଥିଲେ । ତାଙ୍କର ୪ଟି ସନ୍ତାନ ରହିଥିଲେ ମଧ୍ୟ ତାକୁ ଲୁଚାଇ ଥିଲେ । ଏହାକୁ ନେଇ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ମୟୂରଭଞ୍ଜ ଜିଲ୍ଲାଙ୍କ ନିକଟରେ ମାମଲା ରୁଜୁ ହେବା ପରେ ଜିଲ୍ଲା ପାଳଙ୍କ ନିର୍ବାଚନ ମିସ କେଶ ନଂ ୧୭/୨୦୦୭ରେ ମାମଲା ରୁଜୁ କରାଯାଇ ଥିଲା । ତେଣୁ ଉକ୍ତ ମାମଲାରୁ ନିଜକୁ ଦୋଷ ମୁକ୍ତ କରାଇବା ନିମନ୍ତେ ପୂର୍ବତନ ସରପଞ୍ଚ ସୁଦାମ ହେମ୍ବ୍ରମ୍ ରାସଗୋବିନ୍ଦପୁରସ୍ଥିତ ସିଏଚସି ଚିକିତ୍ସାଳୟର ତକ୍ରାଳୀନ କିରାଣୀ ତଥା ବର୍ତ୍ତମାନ ବାଲେଶ୍ୱର ଜିଲ୍ଲା ସୋର ଈଶ୍ୱରପୁର ସିଏଚସିରେ କିରାଣୀ ଭାବେ କାର୍ଯ୍ୟ କରୁଥିବା ଭୋଳା ନାଥ ରାଉତ ଓ ତକ୍ରାଳୀନ ଡ଼ାକ୍ତର ତଥା ବର୍ତ୍ତମାନ ଢେ଼ଙ୍କାନାଲ ଜିଲ୍ଲା କାମାକ୍ଷାନଗର ଚିକିତ୍ସାଳୟରେ ଡ଼ାକ୍ତର ଭାବେ କାର୍ଯ୍ୟ କରୁଥିବା ଅନନ୍ତ ବେଶ୍ରାଙ୍କୁ ହାତେଇ ନିଜ ସନ୍ତାନର ଜାଲ ଜନ୍ମ ସାର୍ଟିଫିକେଟ ହାତେଇ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଥିଲେ । ମାତ୍ର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ମୟୂରଭଞ୍ଜର ତକ୍ରାଳୀନ ଜିଲ୍ଲାପାଳ ଉକ୍ତ ମାମଲାକୁ ଭିଜିଲାନ୍ସକୁ ହସ୍ତାନ୍ତର କରାଇଥିଲେ । ଭିଜିଲାନ୍ସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇ ଦୋଷୀ ମାନଙ୍କ ବିରୋଧରେ କେଶ ନଂ ୩୨/୨୯.୦୯.୨୦୦୭ରେ ମାମଲା ରୁଜୁ କରାଯାଇଥିଲା । ଆଜି ମାମଲାରେ ଥିବା ସାକ୍ଷୀମାନଙ୍କ ବୟାନ ଓ ସମସ୍ତ ପ୍ରମାଣପତ୍ରକୁ ଭିତ୍ତି କରି ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ମାମଲାକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ କୃଷ୍ଣ ଚନ୍ଦ୍ର ଶତପଥୀ ପରିଚାଳନା କରିଥିଲେ ।