ମୁମ୍ବାଇ ଇଣ୍ଡିଆନ୍ସର ନୂଆ ମୁଖ୍ୟ କୋଚ୍ ହେଲେ କିରନ୍ ପୋଲାର୍ଡ

10

– ଏମଆଇ ସହ ୧୬ ବର୍ଷର ପୁରୁଣା ସମ୍ପର୍କ; ଖେଳାଳି ଓ ବ୍ୟାଟିଂ କୋଚ୍ ପରେ ଏବେ ମୁଖ୍ୟ କୋଚ୍ ଦାୟିତ୍ୱ

– ପୋଲାର୍ଡଙ୍କର ମୁମ୍ବାଇ ଇଣ୍ଡିଆନ୍ସର ସଂସ୍କୃତି ଓ ଖେଳ ପ୍ରତି ଗଭୀର ବୁଝାମଣା ରହିଛି: ନୀତା ଅମ୍ବାନୀ

ମୁମ୍ବାଇ, ୨୪ ଅକ୍ଟୋବର ୨୦୨୬: ମୁମ୍ବାଇ ଇଣ୍ଡିଆନ୍ସ ନିଜର ପୂର୍ବତନ ଖେଳାଳି ତଥା ବ୍ୟାଟିଂ କୋଚ୍ କିରନ୍ ପୋଲାର୍ଡଙ୍କୁ ଦଳର ନୂଆ ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରିଛି। ପୋଲାର୍ଡ ଗତ ୧୬ ବର୍ଷ ଧରି ମୁମ୍ବାଇ ଇଣ୍ଡିଆନ୍ସ ସହ ଜଡ଼ିତ ଅଛନ୍ତି। ଖେଳାଳି ଏବଂ ପରବର୍ତ୍ତୀ ସମୟରେ ବ୍ୟାଟିଂ କୋଚ୍ ଭାବେ ଦଳର ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିବା ପୋଲାର୍ଡ ଏବେ ମୁଖ୍ୟ କୋଚ୍ ଦାୟିତ୍ୱ ତୁଲାଇବେ।

ମୁମ୍ବାଇ ଇଣ୍ଡିଆନ୍ସର ନୀତା ଏମ୍. ଅମ୍ବାନୀ ପୋଲାର୍ଡଙ୍କ ନିଯୁକ୍ତିକୁ ନେଇ ଖୁସି ପ୍ରକାଶ କରି କହିଛନ୍ତି, “ମାତ୍ର ୨୨ ବର୍ଷ ବୟସରେ ପୋଲାର୍ଡ ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଡ଼ି ହୋଇଥିଲେ ଏବଂ ଗତ ୧୬ ବର୍ଷ ମଧ୍ୟରେ ସେ ଆମ ପରିବାରର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛନ୍ତି। ଖେଳାଳି ଭାବେ ସେ ଆମକୁ ଅନେକ ସ୍ମରଣୀୟ ମୁହୂର୍ତ୍ତ ଦେଇଛନ୍ତି। କୋଚ୍ ଭାବେ ମଧ୍ୟ ସେ ନିଜର ଅଭିଜ୍ଞତା, ଉତ୍ସାହ ଏବଂ ଖେଳ ପ୍ରତି ଗଭୀର ବୁଝାମଣାକୁ ଦଳ ସହ ବିନିମୟ କରିଛନ୍ତି। ମୋର ପୂର୍ଣ୍ଣ ବିଶ୍ୱାସ ଯେ, ସେ ସମାନ ନିଷ୍ଠା, ଆତ୍ମବିଶ୍ୱାସ ଓ ଦୃଢ଼ ସଂକଳ୍ପ ସହ ନିଜର ନୂଆ ଦାୟିତ୍ୱ ତୁଲାଇବେ।”

ମୁଖ୍ୟ କୋଚ୍ ଭାବେ ନିଯୁକ୍ତ ହେବା ପରେ ପୋଲାର୍ଡ ନୀତା ଅମ୍ବାନୀ, ଆକାଶ ଅମ୍ବାନୀ ଏବଂ ସମଗ୍ର ମୁମ୍ବାଇ ଇଣ୍ଡିଆନ୍ସ ପରିବାର ପ୍ରତି କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ, ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କ ଜୀବନ ଓ କ୍ରିକେଟ୍ କ୍ୟାରିୟରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହିଛି। ଏବେ ତାଙ୍କର ଲକ୍ଷ୍ୟ ହେଉଛି ଦଳର ଗୌରବମୟ ପରମ୍ପରାକୁ ଆଗକୁ ବଢ଼ାଇବା, ଯୁବ ପ୍ରତିଭାମାନଙ୍କୁ ବିକଶିତ କରିବା ଏବଂ ପ୍ରଶଂସକମାନଙ୍କୁ ଉତ୍ସବ ପାଳନ କରିବାର ଆହୁରି ଅନେକ ସୁଯୋଗ ଦେବା।

Leave A Reply

Your email address will not be published.