ବାରମ୍ବାର ଗର୍ଭପାତ କରାଇଥିବା ଅଭିଯୋଗ, ଅଭିଯୁକ୍ତ ଗିରଫ,
ଓଡ଼ଗାଁ,୨୩।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ବାହାଡ଼ାଝୋଲା ଫାଣ୍ଡି ଅଞ୍ଚଳରେ ଜଣେ ୨୮ ବର୍ଷୀୟା ବାକ୍ ଓ ଶ୍ରବଣ ବାଧିତ ଭିନ୍ନକ୍ଷମ ଯୁବତୀଙ୍କୁ ଦୀର୍ଘଦିନ ଧରି ବାରମ୍ବାର ଦୁଷ୍କର୍ମ କରିବା ସହ ବହୁ ଥର ଗର୍ଭପାତ କରାଇଥିବା ଅଭିଯୋଗରେ ପୁଲିସ ଜଣେ ୪୨ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଗୁମି ଗ୍ରାମର ଶରତ ବାରିକ। ଆବଶ୍ୟକ ଆଇନଗତ ପ୍ରକ୍ରିୟା ପରେ ତାଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଅଭିଯୋଗ ଅନୁଯାୟୀ, ପୀଡ଼ିତାଙ୍କ ବାପା ଓ ମାଆ ଦୈନନ୍ଦିନ ମଜୁରି କରି ପରିବାର ଚଳାଉଥିବାରୁ ପ୍ରତିଦିନ ସକାଳେ କାମକୁ ଯାଇ ସନ୍ଧ୍ୟାରେ ଘରକୁ ଫେରୁଥିଲେ। ଏହି ସମୟରେ ଅଭିଯୁକ୍ତ ଶରତ ଘରକୁ ଯାଇ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ କରୁଥିବା ଅଭିଯୋଗ ହୋଇଛି। ଗତ ସେପ୍ଟେମ୍ବର ୨ ତାରିଖରେ ପୀଡ଼ିତାଙ୍କ ବାପା ଓ ମାଆ କାମରୁ ଘରକୁ ଫେରିବା ସମୟରେ ଅଭିଯୁକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରୁଥିବା ଦେଖିବାକୁ ପାଇଥିଲେ। ଏହାକୁ ନେଇ ପୀଡ଼ିତାଙ୍କ ମାଆ ପ୍ରତିବାଦ କରିବାରୁ ଅଭିଯୁକ୍ତ ତାଙ୍କୁ ଧକ୍କା ମାରି ସେଠାରୁ ପଳାଇ ଯାଇଥିବା ଅଭିଯୋଗରେ ଦର୍ଶାଯାଇଛି। ଘଟଣା ପରେ ଗ୍ରାମସଭାରେ ଏହି ମାମଲା ଉଠିଥିଲା। ସେଠାରେ ଅଭିଯୁକ୍ତ ପୀଡ଼ିତାଙ୍କୁ ବିବାହ କରିବା ସହ ତାଙ୍କ ଭରଣପୋଷଣର ସମସ୍ତ ଦାୟିତ୍ୱ ନେବାକୁ ସମ୍ମତି ପ୍ରକାଶ କରିଥିବା କୁହାଯାଉଛି। କିନ୍ତୁ ପରବର୍ତ୍ତୀ ସମୟରେ ସେ ଆଉ ଧରାଛୁଆଁ ଦେଇନଥିବା ଅଭିଯୋଗ ହୋଇଛି। ଶେଷରେ ପୀଡ଼ିତାଙ୍କ ମାଆ ଗତ ୨୨ ତାରିଖରେ ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ପୁଲିସ କେସ୍ ନମ୍ବର ୪୦୦/୨୬ରେ ମାମଲା ରୁଜୁ କରି ଅଭିଯୁକ୍ତ ଶରତ ବାରିକଙ୍କୁ ଗିରଫ କରିଥିଲା। ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।