ଭାବ ଭିଜା ମୁହୂର୍ତ୍ତ : ଗୁରୁଙ୍କୁ ପୂଜିଲେ, ହଜିଲା ଦିନକୁ ଖୋଜିଲେ

0 1

 ପୁୁରାତନ ଛାତ୍ର ସଂସଦ ପକ୍ଷରୁ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଗୁରୁ ସମ୍ବର୍ଦ୍ଧନା ଓ ବନ୍ଧୁମିଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୧୬୩ ବର୍ଷ ଅତିକ୍ରାନ୍ତ ହୋଇଥିବା  ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପୁୁରାତନ ଛାତ୍ର ସଂସଦ ଆନୁକୂଲ୍ୟେ ଗୁରୁ ସମ୍ବର୍ଦ୍ଧନା ଓ ବନ୍ଧୁମିଳନ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

    କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟରେ ମହାରାଜାଙ୍କ ଦ୍ୱାରା ସ୍ଥାପିତ ପୁରାତନ ଘଣ୍ଟାର ସ୍ଥାନରେ ନବୀକରଣ ଘଣ୍ଟାକୁ ଆନୁଷ୍ଠାନିକ ଭାବେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା , ରାଜଜେମା ସୁଶ୍ରୀ କଲ୍ୟାଣୀ ଗଜପତି ମିଳିତ ଭାବେ ଉଦ୍ ଘାଟନ କରିଥିଲେ।

   ପରେ ପୁରାତନ ଛାତ୍ର ସଂସଦ ସଭାପତି ବସନ୍ତ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଯୋଗ ଦେଇ କହିଥିଲେ ଯେ,ଏହା ଏକ ବିଶେଷ ଅନୁଭୁତି ଏପରି କାର୍ଯ୍ୟକ୍ରମ ଦ୍ୱାରା ପୁରୁଣା ସ୍ମୃତି ଜାଗରଣ ହୋଇଥାଏ ।

  ସମ୍ମାନିତ ଅତିଥିଭାବେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା,ପାରଳାଖେମୁଣ୍ଡି ବିଧାୟକ କେ,ନାରାୟଣ ରାଓ,ପାରଳା ରାଜଜେମା ସୁଶ୍ରୀ କଲ୍ୟାଣୀ ଗଜପତି ଯୋଗ ଦେଇ ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ସମୟର ସ୍ମୃତିକୁ ସାଉଁଟିଛି ବୋଲି କହିବା ସହ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଥିଲେ।

   ପୁରାତନ ଛାତ୍ର ସଂସଦର ପୂର୍ବତନ ସମ୍ପାଦକ ଶ୍ରୀ ରମେଶ ଚୌଧୁରୀ ଅତିଥି ମାନଙ୍କୁ ମଞ୍ଚକୁ ଆବାହନ ଓ ଆସନ ଗ୍ରହଣ  , ପୁରାତନ ଛାତ୍ର ସଂସଦ ସମ୍ପାଦକ ପ୍ରଦୀପ କୁମାର ନାୟକ ସମ୍ପାଦକ ବିବରଣୀ ପାଠ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୃଷକେତୁ ଦାଶ ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଏହି ଅବସରରେ ୫୯ ଜଣ ଅବସର ଗ୍ରହଣ  କରିଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ  ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ୮୫  ବର୍ଷର ପୁରାତନ ୫ଜଣ ଛାତ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ ପୁରାତନ ଛାତ୍ରଙ୍କ ପକ୍ଷରୁ ୫୮ହଜାର ଟଙ୍କା ବିଦ୍ୟାଳୟକୁ ପ୍ରଦାନ କରିଥିଲେ।  କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭକ୍ତି ସଙ୍ଗୀତ ସଂସଦ ପକ୍ଷରୁ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ।

 ପରିଶେଷରେ ନୃସିଂହ ଚରଣ ପଟ୍ଟନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

 

Leave A Reply

Your email address will not be published.