ବଡ଼ବିଲ-ନାଲଦା ରାସ୍ତାର ଦୋହରୀକରଣ ନିମନ୍ତେ ଭୂମି ଅଧିଗ୍ରହଣ ପାଇଁ ଗ୍ରାମସଭା : ବଡ଼ବିଲବାସୀଙ୍କ ତୀବ୍ର ବିରୋଧ

0 2

ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ବାଟା ଛକ ଠାରୁ କାରା ଖେଣ୍ଡରା ଦେଇ ନାଲଦା ପର୍ଯ୍ୟନ୍ତ  ରାସ୍ତାର ଦୋହରୀ କରଣ ନିମନ୍ତେ ଭୂମି ଅଧିଗ୍ରହଣ ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ ଆଜି ବଡ଼ବିଲ ବିକାଶମହଲ ସଭାଗୃହରେ ଏକ  ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ତେବେ ଏହି ଗ୍ରାମସଭାରେ ସ୍ଥାନୀୟ ଲୋକ ପ୍ରସ୍ତାବିତ ଜମି ଅଧିଗ୍ରହଣକୁ ତୀବ୍ର ବିରୋଧ କରିଥିବା ଜଣାପଡ଼ିଛି। ଆଜିର ଏହି ଗ୍ରାମସଭାରେ ବଡ଼ବିଲ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା,  କେନ୍ଦୁଝର ଜିଲ୍ଲା ସ୍ୱତନ୍ତ୍ର ଭୁ ଅର୍ଜନ ଅଧିକାରୀ ସନ୍ତୋଷ ନାୟକ, ଭୁ ଅର୍ଜନ ଅଧିକାରୀଣୀ ଜୋସ୍ନା ନାଏକ, ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଏସଡିଓ ଏ କେ ମହାପାତ୍ର, କନିଷ୍ଠ ଯନ୍ତ୍ରୀ ହୃଷୀକେଶ ସାହୁ ଉପସ୍ଥିତ ଥିଲେ। ସଭାରେ ଉପସ୍ଥିତ  ୱାର୍ଡ ନମ୍ବର ୭ ଓ ୱାର୍ଡ ନମ୍ବର ୨ର ଅଞ୍ଚଳବାସୀ ଏହି ଭୂମି ଅଧିଗ୍ରହଣକୁ ଘୋର ବିରୋଧ କରିଥିଲେ। ପ୍ରସ୍ତାବିତ  ଦୋହରୀକରଣ ରାସ୍ତା  ହେଲେ ଏହି ଅଞ୍ଚଳର ଲୋକେ କ୍ଷତିଗ୍ରସ୍ତ ହେବେ ଏବଂ ଏହି ରାସ୍ତା କାରଖାନା ଓ ଖଣି ମାଲିକଙ୍କ ସ୍ୱାର୍ଥ ନିମନ୍ତେ ନିର୍ମାଣ କରାଯାଉଛି ବୋଲି ଗ୍ରାମବାସୀ ସିଧା ସଳଖ ଅଭିଯୋଗ କରିଥିଲେ। ଏହି ସଭାରେ ସ୍ଥାନୀୟ ଯୁବକ ସୁନୀଲ ମହାନ୍ତ ନିଜର ମତ ରଖି କହିଥିଲେ ଯେ ପ୍ରସ୍ତାବିତ ୮.୪୪୦ କି.ମି. ରାସ୍ତା ନିର୍ମାଣ ହେଲେ କେତେକ ସ୍କୁଲ ସହ ବଡ଼ବିଲ ସରକାରୀ ଡାକ୍ତରଖାନା ମଧ୍ୟ କ୍ଷତିଗ୍ରସ୍ତ ହେବ। ଏକ ନିର୍ଦ୍ଧିଷ୍ଟ କମ୍ପାନୀର ପ୍ରରୋଚନାରେ ଏହି ରାସ୍ତା ନିର୍ମାଣର ପ୍ରଚେଷ୍ଟା ଚାଲିଛି। ତେବେ ସ୍ଥାନୀୟ ଅଞ୍ଚଳବାସୀ କଦାପି ଏହି ଷଡଯନ୍ତ୍ରକୁ ବରଦାସ୍ତ କରିବେ ନାହିଁ ବୋଲି ସୁନୀଲ କହିଥିଲେ। ସେହିପରି ଉପସ୍ଥିତ ସମସ୍ତ ଜନସାଧାରଣ ଏହି ରାସ୍ତାର ଦୋହରୀକରଣ ବିରୋଧରେ ନିଜର ମତ ରଖିଥିଲେ।

 

Leave A Reply

Your email address will not be published.