ବଡ଼ବିଲରେ ଜାତୀୟ ପ୍ରେସ ଦିବସ : ଜାତୀୟ ସ୍ତରର ମହିଳା କ୍ରିକେଟ ଖେଳାଳି ଓ ଖବରକାଗଜ ବିତରକଙ୍କୁ ସମ୍ମାନିତ କଲା ବଡ଼ବିଲ ପ୍ରେସ କ୍ଲବ

0 2

ବଡ଼ବିଲ (ଶାସକ ପ୍ରଶାସକ) : ବଡ଼ବିଲ ପ୍ରେସ କ୍ଲବ ତରଫରୁ ଜାତୀୟ ପ୍ରେସ ଦିବସ ମହାସମାରୋହରେ ପାଳିତ ହୋଇଛି। ସ୍ଥାନୀୟ ଲକି ଇଣ୍ଡିଆ ହୋଟେଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁସ୍ଥ ଓ ଶୃଙ୍ଖଳିତ ସମାଜ ଗଠନରେ ଗଣମାଧ୍ୟମର ଭୂମିକା  ଉପରେ ଆଲୋଚନା କରାଯାଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଦ୍ମଶ୍ରୀ ଡ଼ଃ ତୁଳସୀ ମୁଣ୍ଡା ସମାଜ ଗଠନ ଦିଗରେ ଓ ସତ୍ୟ ଖବରକୁ ଲୋକଲୋଚନକୁ ଆଣିବାରେ ଗଣମାଧ୍ୟମର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିପରି ମୁଖ୍ୟବକ୍ତା ଭାବେ ଗଡପଳାଶୁଣି ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପକ ଶ୍ରୀ କୈଳାଶ ଚନ୍ଦ୍ର ସାହାଣୀ ତାଙ୍କର ବକ୍ତବ୍ୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିର୍ଭୀକ ହୋଇ ସମ୍ବାଦ ପରିବେଷଣ କରିବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଦିବାସୀ ବିକାଶ ସମିତିର ସଭାପତି ଦମୟନ୍ତୀ ଖଟୁଆ ସାମଲ  ତାଙ୍କର ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ବଡ଼ବିଲ ପ୍ରେସ କ୍ଲବ ତରଫରୁ ବଲାଣି ଅଞ୍ଚଳର ୪ ଜଣ ଉଦୀୟମାନ ମହିଳା କ୍ରିକେଟ ଖେଳାଳି ଓ ତାଙ୍କର କୋଚଙ୍କୁ ସମ୍ମାନିତ କରାଯାଇଥିଲା। ପ୍ରକାଶ ଥାଉକି ଏହି ଖେଳାଳିମାନେ ଜାତୀୟ ସ୍ତରରେ ଓଡିଶା ଓ ଝାଡଖଣ୍ଡ ରାଜ୍ୟରୁ ପ୍ରତିନିଧିତ୍ୱ କରୁଥିବା ବେଳେ ଆର୍ଥିକ ସ୍ଥିତି ସେମାନଙ୍କୁ ଉପଯୁକ୍ତ ତାଲିମ ପାଇବାରେ ଅନ୍ତରାୟ ସୃଷ୍ଟି କରୁଛି। ବଡ଼ବିଲ ପ୍ରେସ କ୍ଲବର ସଭାପତି ସୁବୋଧ ଦାସ କ୍ଲବ ତରଫରୁ ଏହି ଖେଳାଳିମାନଙ୍କୁ କିଟ ଯୋଗାଇଦେବାକୁ ଘୋଷଣା କରିଥିଲେ। କ୍ଲବର ସମ୍ପାଦକ ଶାନ୍ତନୁ ଦାଶଙ୍କ ଆହ୍ୱାନ କ୍ରମେ ଆଦିବାସୀ ବିକାଶ ସମିତିର ସଭାପତି ଏହି ଝିଅମାନଙ୍କୁ ଆଗକୁ ବଢ଼ିବାରେ  ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ।  ସେହିପରି ସଭାରେ ଅତିଥିଭାବେ ଯୋଗଦେଇ ଥିବା ବଡ଼ବିଲର ଅଗ୍ରଣୀ ସମାଜସେବୀ ସଂସ୍ଥା ପ୍ରୟାସର ସଭାପତି ଶୈଳେଶ କର୍ମକାର ପ୍ରାକ୍ଟିସ କରିବା ପାଇଁ ଏକ ଉପଯୋଗୀ ପିଚ ନିର୍ମାଣ କରିବା ପାଇଁ ଘୋଷଣା କରିଥିଲେ। ସେହିପରି ଏନ ଏନ ଇନଷ୍ଟିଚୁଟ ଓ ବିହାରୀ କଲ୍ୟାଣ ସମିତି ଉଭୟ ୧୧୦୦୦ ଟଙ୍କା ଏହି ଖେଳାଳିଙ୍କୁ  ସହାୟତା ଘୋଷଣା କରିଥିବା ବେଳେ ମାଇନିଂ ଏରିଆ ଟ୍ରକ ଓନର ଆସୋସିଏସନ ଯେକୌଣସି ସ୍ଥାନକୁ ଏହି ଖେଳାଳିମାନେ ଖେଳିବାକୁ ଗଲେ ସମସ୍ତ ଗସ୍ତ ଖର୍ଚ୍ଚ ବହନ କରିବାକୁ ଘୋଷଣା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବର୍ଷ ବର୍ଷ ଧରି ଘରେ ଘରେ ଖବର କାଗଜ ପହଞ୍ଚାଉଥିବା ବିତାରକଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ସେମାନେ ହେଲେ ବିରଭଦ୍ର ରଣା, ଯଦୁମଣି ମହାନ୍ତ, ବିଧୁ ଭୂଷଣ ପଣ୍ଡା ଓ ଶିବୁ ପାଲ। ଏହି କାର୍ଯ୍ୟକ୍ରମକୁ ବଡ଼ବିଲ ପ୍ରେସ କ୍ଲବର ବରିଷ୍ଠ ସଦସ୍ୟ ଦେବପ୍ରିୟ ରଣା ପରିଚାଳନା କରିଥିବା ବେଳେ  ବଳରାମ ମହାନ୍ତି,  ନିର୍ମଳ ପତି, ଦେବକାନ୍ତ ଦାସ, ରଘୁନାଥ ସାହୁ, ଅଜୟ ଗିରି, ସୀତାରାମ ଦୀକ୍ଷିତ, ବିଶ୍ୱଜିତ ମହାନ୍ତ, ମଧୁ ସାହୁ ପ୍ରମୁଖ ସହଯୋଗ କରିଥିଲେ। ନିମନ୍ତ୍ରିତ ଅତିଥି ଭାବେ ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା, ବିଜୟ ମହାନ୍ତି, ବିଜୟ ମହାନ୍ତ, ବ୍ରଜକିଶୋର ପଣ୍ଡା, ରାମୁ କର୍ମକାର, ସଞ୍ଜୟ ନାଏକ, ଅଶୋକ ଠକ୍କର, କପିଳ ମହାନ୍ତି, ମୋହନ କର, ବିଜୟ ସ୍ୱାଇଁ, ଡାଃ ସୌଭାଗ୍ୟ ରଶ୍ମିରଞ୍ଜନ ସାମଲ, ପ୍ରମୋଦାନନ୍ଦ କର, କବିନ୍ଦ୍ର ରଥ, ଅଶୋକ ପ୍ରଜାପତି ପ୍ରମୁଖ ଯୋଗ ଦେଇଥିଲେ।

 

 

Leave A Reply

Your email address will not be published.