ସାମ୍ବାଦିକ କଲ୍ୟାଣ ପାଇଁ ସରକାର ନେବେ ଗୁରୁତ୍ୱପୂର୍ଣ ପଦକ୍ଷେପ 

0 2

ପରାମର୍ଶଦାତା ମାନସ ମଙ୍ଗରାଜଙ୍କ ଉପରେ ଗୁରୁଦାୟିତ୍ୱ 

ଭୁବନେଶ୍ୱର: ସୂଚନା ଲୋକସମ୍ପର୍କ ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତି ପାଇବା ସହ ସାମ୍ବାଦିକମାନଙ୍କ କଲ୍ୟାଣ ପ୍ରସଙ୍ଗରେ ସ୍ୱତନ୍ତ୍ର ଦାୟିତ୍ୱ ନ୍ୟସ୍ତ ହେବାପରେ ବରିଷ୍ଠ ସାମ୍ବାଦିକ ତଥା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସାମ୍ବାଦିକ କଲ୍ୟାଣ କାର୍ଯ୍ୟକ୍ରମ ପରିସରକୁ ବ୍ୟାପକ କରିବାକୁ ଅଂଟା ଭିଡିଛନ୍ତି | ଜଣେ ପେସାଦାର ତଥା ସକ୍ରିୟ ସାମ୍ବାଦିକ ଭାବେ ତାଙ୍କର ଅଭିଜ୍ଞତା ଦୃଷ୍ଟିରୁ ସେ କାର୍ଯ୍ୟରତ ସାମ୍ନାଦିକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ  ସମସ୍ୟା ଓ ପ୍ରତିବନ୍ଧକ ପରିପ୍ରେକ୍ଷୀରେ ତାଙ୍କ ମତ ଓ ପରମର୍ଶକୁ ଆଧାର କରି ରାଜ୍ୟ ସରକାର  କେତେକ ଗଠନମୂଳକ ପଦକ୍ଷେପ ନେବାକୁ ଯାଉଥିବା ଜଣାପଡିଛି | 

   ବିଭିନ୍ନ ରାଜ୍ୟରେ ସାମ୍ବାଦିକ କଲ୍ୟାଣ ପାଇଁ କି କି ପଦକ୍ଷେପ ନିଆଯାଇଛି ତାକୁ ଅନୁଧ୍ୟାନ କରିବା ପାଇଁ ବର୍ତ୍ତମାନ ସରକାର ମନସ୍ଥ କରିଛନ୍ତି | ସାମ୍ବାଦିକମାନଙ୍କ ଏକ ପ୍ରତିନିଧି ଦଳ ବିଭିନ୍ନ ରାଜ୍ୟ ଗସ୍ତ କରି ସେଠାକାର ସାମ୍ବାଦିକ କଲ୍ୟାଣ ପଦକ୍ଷେପ ଅନୁଧ୍ୟାନ କରିବା ପରେ ରାଜ୍ୟ ସରକାରଙ୍କୁ ଏକ ରିପୋର୍ଟ ଦେବେ | ଏହି ରିପୋର୍ଟକୁ ଆଧାରକରି ରାଜ୍ୟ ସରକାର ବିଭିନ୍ନ ସାମ୍ବାଦିକ କଲ୍ୟାଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିବେ |  ଆଉ ରାଜ୍ୟ ସରକାରଙ୍କ ଏ ପଦକ୍ଷେପକୁ ଆଗେଇନେବା ପାଇଁ  ଜଣାଶୁଣା ସାମ୍ବାଦିକ ତଥା ସୂଚନା ଲୋକସମ୍ପର୍କ ବିଭାଗର ପରାମର୍ଶଦାତା  ମାନସ  ମଙ୍ଗରାଜଙ୍କୁ ଜାତୀୟ ପ୍ରେସ ଡେ ଅବ୍ୟବହିତ ପୂର୍ବରୁ ସାମ୍ବାଦିକ କଲ୍ୟାଣ ଦାୟିତ୍ୱ ସ୍ୱତନ୍ତ୍ର ଭାବେ ନ୍ୟସ୍ତ କରିବା  ଶୁଭ ସୂଚନା | .ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଭାବେ ନିଯୁକ୍ତି ପାଇବା ପରେ ସାମ୍ବାଦିକମାନେ କେମିତି ଅଧିକ ସୁବିଧା ପାଇପାରିବେ ସେ ଦିଗରେ ଶ୍ରୀ ମଙ୍ଗରାଜ ଯତ୍ନବାନ |  ପ୍ରେସ ଡେ ପୂର୍ବରୁ ବାହାରିଥିବା ସ୍ୱତନ୍ତ୍ର ବିଜ୍ଞପ୍ତିରେ ଶ୍ରୀ ମଙ୍ଗରାଜଙ୍କୁ ସ୍ୱତନ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା |  ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଓ ସେଗୁଡ଼ିକର ସମାଧାନ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ତାଙ୍କ ସହ ପରାମର୍ଶ କରିବେ । ସାମ୍ବାଦିକତାରେ ଦୀର୍ଘ ଦିନର ଅଭିଜ୍ଞତା ଦୃଷ୍ଟିରୁ ଶ୍ରୀ ମଙ୍ଗରାଜଙ୍କ ପରାମର୍ଶକୁ ଗୁରୁତ୍ୱ ଦେବାକୁ ବିଚାର କରାଯାଇଥିବା କୁହାଯାଉଛି । କେବଳ ସେତିକି ନୁହେଁ , ପ୍ରିଣ୍ଟ ଓ ଇଲେକଟ୍ରୋନିକ୍ ଗଣମାଧ୍ୟମକୁ ରାଜ୍ୟ ସରକାର ଦେଉଥିବା ବିଜ୍ଞାପନ ବଣ୍ଟନରେ ଶ୍ରୀ ମଙ୍ଗରାଜଙ୍କର ପରାମର୍ଶ ରହିବ । ସୂଚନା ଓ ଲୋକସମ୍ପର୍କ ବିଭାଗର ଗୁରୁତ୍ୱପୂର୍ଣ୍ଣ ଉତ୍ସବ ଗୁଡ଼ିକରେ ସେ ସମ୍ମାନନୀୟ ଅତିଥି(distinguished guest) ଭାବେ ଯୋଗଦେବେ ବୋଲି ଉକ୍ତ ବିଜ୍ଞପ୍ତିନାମାରେ ପ୍ରକାଶ କରାଯାଇଥିଲା । ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ମିଡ଼ିଆ ଉପଦେଷ୍ଟା ଭାବେ ମାନସ ମଙ୍ଗରାଜଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରିଥିଲେ । ଦାୟିତ୍ୱ ନେବାର ମାତ୍ର ଦୁଇମାସରୁ ଦିନ କେଇଟା ଅଧିକ ହୋଇଥିବା ବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗକୁ କ୍ରିୟାଶୀଳ କରିବାରେ ସେ ସକ୍ଷମ  ହୋଇଛନ୍ତି | ଆଗାମୀ ଦିନରେ ସାମ୍ବାଦିକ ଓ ଗଣମାଧ୍ୟମ କଲ୍ୟାଣ ପାଇଁ ଅନେକ ଗୁରୁତ୍ୱପୂର୍ଣ ପଦକ୍ଷେପ ଶ୍ରୀ ମଙ୍ଗରାଜଙ୍କ ପରାମର୍ଶରେ ନିଆଯାଇପାରିବ ବୋଲି ସାମ୍ବାଦିକ ମହଲରେ ନୂତନ ଆଶା ସଂଚାର ହୋଇଛି | 

Leave A Reply

Your email address will not be published.