ଅତାମଳା ଟ୍ରାକ୍ଟର ଧକ୍କାରେ ମୃତ୍ୟୁ ଘଟଣା : କ୍ଷତିପୂରଣ ଦାବୀରେ ଥାନା ଘେରିଲେ , ଜିଲ୍ଲାପାଳଙ୍କୁ ଭେଟିଲେ

0

ଜଗତସିଂହପୁର(ରମେଶ ମହାନ୍ତି)-ଜଗତସିଂହପୁର ଥାନା ଅନ୍ତର୍ଗତ ଯଶୋବନ୍ତପୁର ଗ୍ରାମର ନୃସିଂହ ସେଠୀ ଗତ ମଙ୍ଗଳବାର ଦିନ ଅପରାହ୍ନ ପ୍ରାୟ ୪ଟା ସମୟରେ ଘରୁ ଗାଲୁପଡା ବଜାରରେ ଥିବା ଲଣ୍ଡ୍ରୀ ଦୋକାନକୁ ସାଇକେଲରେ ଯାଉଥିବା ବେଳେ ଅତାମଳା ଶଙ୍ଖପୋଲ ନିକଟରେ ଏକ ବାଲି ବୋଝେଇ ଟ୍ରାକ୍ଟର ତାଙ୍କୁ ପଛପଟୁ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ହୋଇଥିଲା।ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ନୃସିଂହଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରି ସ୍ଥାନୀୟ ଗ୍ରାମବାସୀ ବୁଧବାର ଦିନ ପ୍ରାୟ ୧୧ଟା ସମୟରେ ଜଗତସିଂହପୁର ଥାନା ଘେରାଉ କରିଥିଲେ।ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନରୁ ହଟିବେନାହିଁ ବୋଲି ଜିଦ୍ ଧରିଥିଲେ।ଥାନାଧିକାରୀ ରଜନୀକାନ୍ତ ମିଶ୍ର ଆନ୍ଦୋଳନକାରିଙ୍କୁ ବୁଝା ଶୁଝା କରିବା ସହ ଏକ ପ୍ରତିନିଧି ଦଳ ନେଇ ଜିଲ୍ଲାପାଳଙ୍କ ନିକଟକୁ ଯାଇଥିଲେ। କ୍ଷତିପୂରଣ ପ୍ରଦାନ ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ବଜାର କମିଟି ସଭାପତି ପ୍ରମୋଦ ମହାପାତ୍ର, ପୂର୍ବତନ ସମିତି ସଭ୍ୟ କାଳନ୍ଦୀ ପତି, ରଞ୍ଜନ ପ୍ରଧାନ, ପୁଷ୍ପା ପ୍ରଧାନ, କାଲୁ ସେଠୀଙ୍କ ସମେତ ଶତାଧିକ ଗ୍ରାମବାସୀ ଏହି ଆନ୍ଦୋଳନରେ ଅଂଶ ଗ୍ରହଣ କରିଥିଲେ।

Leave A Reply

Your email address will not be published.