ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ଶୁଳ୍କ ଛାଡ଼ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସୋରଡ଼ା ବିଧାୟକଙ୍କ ଚିଠି

10

;ବାତ୍ୟା ‘ଅର୍ଣ୍ଣବ’ ଓ ବନ୍ୟା କ୍ଷତିଗ୍ରସ୍ତ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ଆଶ୍ୱସ୍ତି ପ୍ରଦାନ ଦାବି

ବେଲଗୁଣ୍ଠା, ୨୬/୧୧: -(ଶିବରାମ ଚୌଧୁରୀ )-ସାମୁଦ୍ରିକ ବାତ୍ୟା ‘ଅର୍ଣ୍ଣବ’ ଏବଂ ତତ୍ପରବର୍ତ୍ତୀ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ଗଞ୍ଜାମ ଜିଲ୍ଲାର ଛାତ୍ରଛାତ୍ରୀଙ୍କ AHSC-୨୦୨୭ ବାର୍ଷିକ ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ଦାବି ହୋଇଛି। ଏ ନେଇ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ପତ୍ର ଲେଖି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।ବିଧାୟକ ଶ୍ରୀ ବିଷୋୟୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଘରଦ୍ୱାର, ଚାଷଜମି, ଜୀବିକା ଓ ଅନ୍ୟାନ୍ୟ ସମ୍ପତ୍ତିର ବ୍ୟାପକ କ୍ଷତି ହୋଇଛି। ବିଶେଷକରି ସୋରଡ଼ା ବିଧାନସଭା କ୍ଷେତ୍ରର ଅନେକ ପରିବାର ଆର୍ଥିକ ଦୁର୍ଦ୍ଦଶାରେ ରହିଛନ୍ତି। ଫଳରେ ଅଭିଭାବକମାନେ ନିଜ ପିଲାମାନଙ୍କ ଶିକ୍ଷା ଖର୍ଚ୍ଚ ବହନ କରିବାରେ ଅସମର୍ଥ ହେଉଛନ୍ତି।ଏଭଳି ପରିସ୍ଥିତିରେ ଆସନ୍ତା ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ ଶୁଳ୍କ ଦେବା ଅନେକ ଛାତ୍ରଛାତ୍ରୀଙ୍କ ପକ୍ଷେ କଷ୍ଟକର ହୋଇପାରେ। ତେଣୁ କେବଳ ଆର୍ଥିକ ଅନଟନ ଯୋଗୁଁ ଯେପରି କୌଣସି ମେଧାବୀ ଓ ଯୋଗ୍ୟ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଗଞ୍ଜାମ ଜିଲ୍ଲାର ବିପର୍ଯ୍ୟୟ ପ୍ରଭାବିତ ସମସ୍ତ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଶୁଳ୍କ ଛାଡ଼ କରିବାକୁ ସେ ଅନୁରୋଧ କରିଛନ୍ତି।ଏହି ପଦକ୍ଷେପ ବିପର୍ଯ୍ୟୟ ପ୍ରଭାବିତ ପରିବାରଙ୍କୁ ଆର୍ଥିକ ଆଶ୍ୱସ୍ତି ଦେବା ସହ ଛାତ୍ରଛାତ୍ରୀଙ୍କ ଶିକ୍ଷା ଅଧିକାର ସୁରକ୍ଷାରେ ସହାୟକ ହେବ ବୋଲି ବିଧାୟକ ତାଙ୍କ ପତ୍ରରେ ଦର୍ଶାଇଛନ୍ତି। ଏଥିସହ ଦାବିର ଗୁରୁତ୍ୱକୁ ବିଚାର କରି ସମ୍ପୃକ୍ତ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ବିଧାୟକ ନିଜ ଚିଠିର ଏକ ନକଲ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି। ବିଧାୟକ ଶ୍ରୀ ବିଷୋୟୀଙ୍କ ଏହି ପଦକ୍ଷେପକୁ ସ୍ଥାନୀୟ ଅଭିଭାବକ ଏବଂ ଛାତ୍ରଛାତ୍ରୀ ମହଲରେ ସ୍ବାଗତ କରାଯାଇଛି।

Leave A Reply

Your email address will not be published.