ସମ୍ବିଧାନର ପ୍ରସ୍ତାବନା ପାଠ କରି ଶପଥ ନେଲେ କର୍ମଚାରୀ,
ଓଡ଼ଗାଁ, ୨୬।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କାର୍ଯ୍ୟାଳୟରେ ଆଜି ଗୁରୁବାର ୭୭ତମ ସମ୍ବିଧାନ ଦିବସ ପାଳନ କରାଯାଇଛି। ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ପ୍ରୀତିବାଳା ରଣାଙ୍କ ନେତୃତ୍ୱରେ ବ୍ଲକର ସମସ୍ତ କର୍ମଚାରୀ ଏକତ୍ରିତ ହୋଇ ଭାରତୀୟ ସମ୍ବିଧାନର ପ୍ରସ୍ତାବନା ପାଠ କରିଥିଲେ। ଏହି ଅବସରରେ ସମସ୍ତେ ଭାରତର ସାର୍ବଭୌମ, ଗଣତାନ୍ତ୍ରିକ ରାଷ୍ଟ୍ରର ଏକତା ଓ ଅଖଣ୍ଡତା ପ୍ରତି ନିଷ୍ଠାବାନ ରହିବା ସହ ସମ୍ବିଧାନର ମୂଲ୍ୟବୋଧକୁ ସମ୍ମାନ ଓ ସୁରକ୍ଷା ଦେବା ପାଇଁ ଶପଥ ନେଇଥିଲେ। ଏଥିସହ ନାଗରିକଙ୍କ ମୌଳିକ ଅଧିକାର, ସ୍ୱାଧୀନତା, ସମାନତା, ନ୍ୟାୟ ଓ ଭାତୃତ୍ୱର ଭାବନାକୁ ଅକ୍ଷୁଣ୍ଣ ରଖିବା ସହ ସମାଜରେ ଶାନ୍ତି, ମୈତ୍ରୀ ଓ ସଦଭାବନା ପ୍ରତିଷ୍ଠା ପାଇଁ ସର୍ବଦା ସଚେତନ ରହିବାକୁ ସଂକଳ୍ପ କରିଥିଲେ।ସୂଚନାଯୋଗ୍ୟ, ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଭାରତୀୟ ସମ୍ବିଧାନକୁ ସମ୍ବିଧାନ ସଭା ଗ୍ରହଣ କରିଥିଲା। ପରବର୍ତ୍ତୀ ସମୟରେ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଏହା କାର୍ଯ୍ୟକାରୀ ହୋଇଥିଲା ଏବଂ ଏହି ଦିନକୁ ଗଣତନ୍ତ୍ର ଦିବସ ଭାବେ ପାଳନ କରାଯାଉଛି। ସମ୍ବିଧାନର ଗୁରୁତ୍ୱ ଓ ସାମ୍ବିଧାନିକ ମୂଲ୍ୟବୋଧ ପ୍ରତି ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତ ସରକାର ୨୦୧୫ ମସିହାରେ ଡ. ବି.ଆର. ଆମ୍ବେଦକରଙ୍କ ୧୨୫ତମ ଜନ୍ମବାର୍ଷିକୀ ଅବସରରେ ନଭେମ୍ବର ୨୬କୁ ଆନୁଷ୍ଠାନିକ ଭାବେ ସମ୍ବିଧାନ ଦିବସ ଘୋଷଣା କରିଥିଲେ। ସେହିଦିନଠାରୁ ପ୍ରତିବର୍ଷ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବେ ପାଳନ କରାଯାଉଛି।