ପାରମ୍ପରିକ ପଟୁଆରରେ ଭାଗବତ ଜିଉଙ୍କ ଉପାଧ୍ୟାୟ ଗୃହ ଗମନ, ସ୍ୱତନ୍ତ୍ର ଭୋଗଲାଗି
ଓଡ଼ଗାଁ, ୨୬।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିରରେ ରାସ ପୂର୍ଣ୍ଣିମା ଅବସରରେ ପଞ୍ଚୁକ ପର୍ବ ପାରମ୍ପରିକ ରୀତିନୀତିରେ ଉଦ୍ଯାପିତ ହୋଇଛି। ଏହି ଅବସରରେ ଶ୍ରୀ ଭାଗବତ ଜିଉଙ୍କ ବିଶେଷ ପୂଜାର୍ଚ୍ଚନା ସହ ଉପାଧ୍ୟାୟ ଗୃହରେ ସ୍ୱତନ୍ତ୍ର ଭୋଗଲାଗି କରାଯାଇଥିଲା। ସକାଳେ ଭାଗବତ ଜିଉଙ୍କୁ ବାଳଭୋଗ ଅର୍ପଣ ପରେ ସନ୍ଧ୍ୟାରେ ପାରମ୍ପରିକ ରୀତିନୀତିରେ ଭୋଗଲାଗି ହୋଇଥିଲା। ଉପାଧ୍ୟାୟ ପରିବାରର ପ୍ରତିନିଧି ମନ୍ଦିର ଦ୍ବାରା ପ୍ରଦତ୍ତ ସ୍ୱତନ୍ତ୍ର ପାଟବସ୍ତ୍ର ଓ ବରଣ ମାଳା ପରିଧାନ କରି ଭାଗବତ ଠାକୁରଙ୍କୁ ମୁଣ୍ଡରେ ଧାରଣ କରି ମନ୍ଦିରରୁ ଏକ ଆକର୍ଷଣୀୟ ପଟୁଆରରେ ନେଇଥିଲେ। ଛତି, ତ୍ରାସ, ମଶାଲ, ତୁରୀ, ଖୋଳ ଓ ମୃଦଙ୍ଗର ଧ୍ୱନିରେ ଭକ୍ତିମୟ ପରିବେଶ ମଧ୍ୟରେ ଠାକୁର ରାଧାରଞ୍ଜନ ଉପାଧ୍ୟାୟଙ୍କ ଗୃହରେ ପହଞ୍ଚିଥିଲେ। ସେଠାରେ ଗୁଡ଼ ଗହମ ଖିରି, ଉଖୁଡ଼ା, କାକରା, ନଡ଼ିଆ କୋରା ଓ ଚିନି ଆଦି ପାରମ୍ପରିକ ଭୋଗ ଅର୍ପଣ କରାଯାଇଥିଲା। ବୟୋଜ୍ୟେଷ୍ଠ ସେବକ ରମେଶ ଚନ୍ଦ୍ର ଦାଶଙ୍କ ସୂଚନାନୁସାରେ, ବହୁ ବର୍ଷ ପୂର୍ବେ ଦୀନବନ୍ଧୁ ଉପାଧ୍ୟାୟ ଶ୍ରୀ ରଘୁନାଥ ଜିଉଙ୍କ ସେବକ ଥିଲେ। ସେ ସେବାରୁ ଅବ୍ୟାହତି ନେଇ ଉତ୍ତର ପ୍ରଦେଶର ନିଜ ପୁରୁଣା ସ୍ଥାନକୁ ଫେରିବାକୁ ଇଚ୍ଛା କରିଥିବାବେଳେ ମନ୍ଦିରର ବଡ଼ପଣ୍ଡାଙ୍କ ଠାରୁ ସୂଚନା ପାଇ ରାଜା ତାଙ୍କୁ ଅଧିକ ଜମିବାଡ଼ି ପ୍ରଦାନ କରିବା ସହ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ଠାକୁର ତାଙ୍କ ଗୃହକୁ ଯାଇ ସ୍ୱତନ୍ତ୍ର ଭୋଗ ଗ୍ରହଣ କରିବେ ବୋଲି ବ୍ୟବସ୍ଥା କରିଥିଲେ। ଏହି ପରମ୍ପରାରେ ଦୀନବନ୍ଧୁ ଆଗ୍ରହ ପ୍ରକାଶ କରି ପୁନର୍ବାର ସେବାରେ ଯୋଗଦେଇଥିଲେ। ପରବର୍ତ୍ତୀ ପିଢ଼ିର ଭଗବାନ ଉପାଧ୍ୟାୟ, ସୁବାସ ଉପାଧ୍ୟାୟ ଓ ବର୍ତ୍ତମାନର ରାଧାରଞ୍ଜନ ଉପାଧ୍ୟାୟ ଏହି ପରମ୍ପରାକୁ ନିଷ୍ଠାର ସହ ପାଳନ କରିଆସୁଛନ୍ତି। ଏହି ଉତ୍ସବରେ ମନ୍ଦିର ସୁପରଭାଇଜର ଜିତେନ୍ଦ୍ର ମିଶ୍ର, ପୂଜକ ପରିଷଦ ସଭାପତି ପ୍ରଫୁଲ୍ଲ ମହାପାତ୍ର, ସ୍ୱର୍ଣ୍ଣଲତା ଦାଶ, କାର୍ତ୍ତିକ ପଣ୍ଡା, ସୁଶାନ୍ତ ସାହୁ, ଶ୍ରୀମନ୍ତ ମହାରଣା, ସାମି, ମାନସ, ଦୀପକ, ଜଗନ୍ନାଥ ପାଣିଗ୍ରାହୀଙ୍କ ସମେତ ବହୁ ଅତିଥି ଓ ସ୍ୱେଚ୍ଛାସେବୀ ଉପସ୍ଥିତ ଥିଲେ।