ବନ୍ଧସାହିରେ ଦିନ ଦ୍ୱିପହରରେ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ,

8


୬ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ୨୦ ହଜାର ଟଙ୍କା ଲୁଟ୍

ଓଡ଼ଗାଁ, ୨୬।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଗୌଡ଼ପୁଟ ନିକଟ ପୁରୁଣା ବନ୍ଧସାହିରେ ଏକ ଘରୁ ଦୁର୍ବୃତ୍ତମାନେ ଦିନ ଦ୍ୱିପହରରେ ଚୋରି କରିଥିବା ଜଣାପଡ଼ିଛି। ଖଗେଶ୍ୱର ସାହୁଙ୍କ ଘରୁ ପ୍ରାୟ ୬ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ସମେତ ନଗଦ ୨୦ ହଜାର ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଛି। ଏନେଇ ଖଗେଶ୍ୱରଙ୍କ ସ୍ତ୍ରୀ କୁନି ପୃଷ୍ଟି ଓଡ଼ଗାଁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୪୪୯/୨୬ ନମ୍ବରରେ ଚୋରି ମାମଲା ରୁଜୁ କରିଛି। ସବ୍‌-ଇନ୍ସପେକ୍ଟର ଚକ୍ରଧର ସିଂ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବା ବେଳେ ଗୁରୁବାର ଡଗ୍‌ ସ୍କ୍ୱାଡ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତରେ ସହଯୋଗ କରିଛି। ଅଭିଯୋଗ ଅନୁସାରେ, ଗତ ୨୪ ତାରିଖ ଦିନ ୧୨ଟା ସମୟରେ କୁନି ପୃଷ୍ଟି ଘରେ ତାଲା ପକାଇ ନିକଟସ୍ଥ ଗୌଡ଼ପୁଟ ଜଗନ୍ନାଥ ମନ୍ଦିର ପଡ଼ିଆକୁ ଜଳଖିଆ ବିକ୍ରି କରିବାକୁ ଯାଇଥିଲେ। ରାତି ପ୍ରାୟ ୮ଟାରେ ଘରକୁ ଫେରିବା ପରେ ଘରେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଘରର ଆଲମିରା ଭାଙ୍ଗି ଦୁର୍ବୃତ୍ତମାନେ ସୁନା ପତିରି ମାଳି ୨ଟି, ଗୋଟିଏ ସୁନା ହାର, ରୂପା ପାଉଁଜି, ବ୍ରେସଲେଟ୍‌, ଏଲ୍‌ସିଡି ଟିଭି, ଗ୍ରାଇଣ୍ଡର, ୨ଟି ପିତଳ ଗରା, ଶାଢ଼ୀ ଓ ନଗଦ ୨୦ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗରେ ଦର୍ଶାଇଛନ୍ତି। ପୋଲିସ ଡଗ୍‌ ସ୍କ୍ୱାଡ୍‌ର ସହାୟତାରେ ତଦନ୍ତ ଜାରି ରଖିଛି। ଚୋରି ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଶୀଘ୍ର ଚିହ୍ନଟ କରିବା ସହ ଚୋରି ସାମଗ୍ରୀ ଉଦ୍ଧାର କରିବା ନେଇ ପୋଲିସ ତନାଘନା ଜାରି ରହିଛି।

Leave A Reply

Your email address will not be published.