ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ :ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ନଭେମ୍ବର ୨୬ ତାରିଖ ଦିନ ଭଞ୍ଜନଗର ଓକିଲ ସଂଘର ଲାଇବ୍ରେରୀ ହଲ୍ଠାରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏଥିରେ ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ଶେଖ୍ ମହମ୍ମଦ କଏସ ଙ୍କ ଅଧ୍ୟକ୍ଷତାରେ ଏହି ସଭା ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ସିନିୟର ସିଭିଲ ଜଜ୍ ଦେବାଶିଷ ବିଶୋଇ, ଉପଖଣ୍ଡୀୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ସୌମ୍ୟ ରଞ୍ଜନ ପୃଷ୍ଟି, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଭିୟେନା ନାୟକ, ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ ନାୟକ, ତାଲୁକ ଆଇନ ସେବା କମିଟିର ସଦସ୍ୟ ଡଃ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଓ ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ ଯୋଗ ଦେଇଥିଲେ ।ସେହିପରି ଭଞ୍ଜନଗର ଓକିଲ ସଂଘର ସଭାପତି ସନ୍ତୋଷ କୁମାର ନାୟକ, ସମ୍ପାଦକ ଧୀରେନ୍ ସ୍ୱାଇଁଙ୍କ ସମେତ ବହୁ ଆଇନଜୀବୀ ଓ ଅନ୍ୟାନ୍ୟ ଅତିଥି ଉପସ୍ଥିତ ଥିଲେ। ସଭାରେ ଭାରତୀୟ ସମ୍ବିଧାନର ମହତ୍ତ୍ୱ, ନାଗରିକଙ୍କ ମୌଳିକ ଅଧିକାର ଓ କର୍ତ୍ତବ୍ୟ, ସମ୍ବିଧାନରେ ନିହିତ ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭ୍ରାତୃତ୍ୱର ଆଦର୍ଶ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ଗଣତନ୍ତ୍ରର ସୁରକ୍ଷା ଓ ସମ୍ବିଧାନର ମୂଲ୍ୟବୋଧକୁ ଜୀବନରେ ପାଳନ କରିବା ପାଇଁ ସମସ୍ତେ ସଚେତନ ହେବା ଉଚିତ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଶେଷରେ ସମ୍ବିଧାନର ଆଦର୍ଶ ଓ ମୂଲ୍ୟବୋଧକୁ ସମାଜର ପ୍ରତ୍ୟେକ ସ୍ତରରେ ପହଞ୍ଚାଇବା ସହ ଆଇନ ପ୍ରତି ସମ୍ମାନ ଓ ନାଗରିକ ସଚେତନତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା।