ବରଗଡ:-୨୦୨୬-୨୭ ବର୍ଷରେ ଅଷ୍ଟମ ‘ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା’ ଅନ୍ତର୍ଗତ ବରଗଡ଼ ଜିଲ୍ଲାରୁ ମୋଟ ୧୨୭ ଜଣ ବରିଷ୍ଠ ନାଗରିକ ହରିଦ୍ୱାର ଓ ଋଷିକେଶ ତୀର୍ଥଯାତ୍ରା ପାଇଁ ବାହାରିଛନ୍ତି। ବରଗଡ଼ ସ୍ଥିତ ବିଜୁ ପଟ୍ଟନାୟକ ଟାଉନ୍ ହଲ୍ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିଥିମାନେ ପତାକା ଦେଖାଇ ଏହି ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଯାତ୍ରା ଆରମ୍ଭ ପୂର୍ବରୁ ବିଜୁ ପଟ୍ଟନାୟକ ଟାଉନ୍ ହଲ୍ ଠାରେ ସମସ୍ତ ତୀର୍ଥଯାତ୍ରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଏବଂ ସେମାନଙ୍କ ସୁରକ୍ଷା ଓ ସୁବିଧା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଟାଉନ୍ ହଲରୁ ବସ୍ ଯୋଗେ ବାହାରିବା ପରେ ଏହି ତୀର୍ଥଯାତ୍ରୀ ଦଳ ସମ୍ବଲପୁର ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ହରିଦ୍ୱାର ଅଭିମୁଖେ ଯାତ୍ରା କରିବେ। ସରକାରଙ୍କ ଏହି ଯୋଜନା ମାଧ୍ୟମରେ ବରିଷ୍ଠ ନାଗରିକମାନେ ସମ୍ପୂର୍ଣ୍ଣ ମାଗଣାରେ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପାଉଛନ୍ତି।ଯାତ୍ରା ଆରମ୍ଭ କରିବା ବେଳେ ତାଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଭର୍ତ୍ତି ଏକ କିଟ୍ ପ୍ରଦାନ କରାଯିବ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ଯୋଗଦେଇ ତୀର୍ଥଯାତ୍ରୀମାନଙ୍କ ସୁରକ୍ଷିତ ଓ ସୁଖଦ ଯାତ୍ରା କାମନା କରିଥିଲେ। ସମ୍ମାନିତ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ସୁରେଶ୍ୱର ଶତପଥୀ, ମାନନୀୟ ବିଧାୟକଙ୍କ ପ୍ରତିନିଧି ପ୍ରୀତମ ସିଂ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନତ ପାଢ଼ୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଅଜୟ ପଟ୍ଟନାୟକ ଏବଂ ପର୍ଯ୍ୟଟନ ତଥା ସଂସ୍କୃତି ଅଧିକାରୀ ଆଶିଷ ସୁନା ପ୍ରମୁଖ ଉପସ୍ଥିତ ରହି ତୀର୍ଥଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ଅଧିକାରୀ, ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ବହୁ ସଂଖ୍ୟାରେ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ। ତୀର୍ଥଯାତ୍ରୀମାନଙ୍କ ମନରେ ଏହି ପବିତ୍ର ଯାତ୍ରାକୁ ନେଇ ବେଶ୍ ଉତ୍ସାହ ଓ ଆନନ୍ଦ ଦେଖିବାକୁ ମିଳିଥିଲା।