କେନ୍ଦୁଝର,ତା୧୮/୧୧- ଆଦିବାସୀଙ୍କ ଧାର୍ମିକ ଅଧିକାର, ପାରମ୍ପରିକ ପରିଚୟ ଓ ସାମାଜିକ ସ୍ୱାଭିମାନର ସୁରକ୍ଷା ଦାବିରେ ବୁଧବାର କେନ୍ଦୁଝର ସହରରେ ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମାଝି ପାରଗାନା, ହୋ ସମାଜ ତଥା ଅନ୍ୟାନ୍ୟ ଆଦିବାସୀ ସଂଗଠନର ନେତୃତ୍ୱରେ ହଜାର ହଜାର ଆଦିବାସୀ ପୁରୁଷ ଓ ମହିଳା ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇ ହାତରେ ଧନୁ, ତୀର ଓ ଫାର୍ସା ଧରି ସହର ପରିକ୍ରମା କରିବା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ।
ସୂଚନା ଅନୁଯାୟୀ, ଘଷିପୁରା ଥାନା ଅନ୍ତର୍ଗତ ବସନ୍ତପୁରା ଗ୍ରାମର ଦଳକିସାଇ ଅଞ୍ଚଳରେ ଗତ ଅକ୍ଟୋବର ୨୩ ତାରିଖରେ ଜାହେରା ସ୍ଥଳରେ ପାରମ୍ପରିକ ପୂଜା ସମୟରେ ଘଟିଥିବା ଅପ୍ରୀତିକର ଘଟଣାକୁ ନେଇ ଆଦିବାସୀ ସମାଜରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଘଟଣା ଆଦିବାସୀଙ୍କ ଧାର୍ମିକ ଭାବନା ଓ ପାରମ୍ପରିକ ଅଧିକାରକୁ ଆଘାତ ଦେଇଥିବା ଅଭିଯୋଗ କରି ଆନ୍ଦୋଳନକାରୀମାନେ ଧରଣୀଧର ବିଶ୍ୱବିଦ୍ୟାଳୟ ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ।
ଏହି ଅବସରରେ ସଙ୍ଗଠନ ପକ୍ଷରୁ ୧୧ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଛି। ମୁଖ୍ୟ ଦାବିଗୁଡ଼ିକ ମଧ୍ୟରେ ବସନ୍ତପୁରା ଜାହେରା ଥାନ ଘଟଣାର ନିରପେକ୍ଷ ଓ ସମୟବଦ୍ଧ ତଦନ୍ତ, ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ, ପୀଡ଼ିତ ପରିବାର ଓ ସାକ୍ଷୀଙ୍କୁ ସୁରକ୍ଷା ଏବଂ ପାରମ୍ପରିକ ମାଝି ପାରଗାନା ବ୍ୟବସ୍ଥାକୁ ସମ୍ମାନ ପ୍ରଦାନ ଆଦି ଅନ୍ତର୍ଭୁକ୍ତ ରହିଛି। ଜିଲାପାଳଙ୍କ ଜରିଆରେ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଜାତୀୟ ଓ ରାଜ୍ୟ ମାନବାଧିକାର ଆୟୋଗ ଏବଂ ଜାତୀୟ ଅନୁସୂଚିତ ଜନଜାତି ଆୟୋଗଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି। ଆସନ୍ତା ୩୦ ଦିନ ମଧ୍ୟରେ ତଦନ୍ତର ସ୍ଥିତି ଓ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଲିଖିତ ଭାବେ ନ ଜଣାଇଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଏହିପରି ବିଶାଳ ଆଦିବାସୀ ପ୍ରତିବାଦ ସଭା ଦେଖି ସବୁଆଡ଼େ ଆଲୋଡନ ଖେଳିଯାଇଛି, ଅନେକ ଆଦିବାସୀ ନିର୍ଯ୍ୟାତନା ମାମଲା ଚାପି ଦିଆଯାଉଥିବାରୁ ସେସବୁର ତଦନ୍ତ ହେବାକୁ ଆଲୋଚନା ହେଉଛି।
Sign in
Sign in
Recover your password.
A password will be e-mailed to you.