ଶୁକ୍ରବାର ପରିବାରବର୍ଗଙ୍କୁ ହସ୍ତାନ୍ତର ହେବ ମୃତଦେହ
ଝାରସୁଗୁଡ଼ା, ୧୯ ଆନ୍ଧ୍ରପ୍ରଦେଶର ଅନକାପଲ୍ଲୀସ୍ଥିତ ଏନ୍ଟିଆର୍ ହସ୍ପିଟାଲରେ ଅଟକି ରହିଥିବା ଝାରସୁଗୁଡ଼ା ଜିଲ୍ଲାର ଜଣେ ଓଡ଼ିଆ ଯୁବକଙ୍କ ମୃତଦେହ ଶେଷରେ ନିଜ ଜନ୍ମମାଟିକୁ ଫେରିବାକୁ ଯାଉଛି। ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାଣଙ୍କ ତ୍ୱରିତ ହସ୍ତକ୍ଷେପ ଓ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇପାରିଛି।
ମୃତ ଯୁବକ ଜଣକ ହେଲେ ଲଖନପୁର ବ୍ଲକ୍ ଅନ୍ତର୍ଗତ ସରଣ୍ଡାମାଳ ଗ୍ରାମ ପଞ୍ଚାୟତର ବିଶ୍ୱଜିତ ରାଉତ। ସେ ରୋଜଗାର ଆଶାରେ ଆନ୍ଧ୍ରପ୍ରଦେଶର ଅନକାପଲ୍ଲୀ ନିକଟସ୍ଥ ଏକ କମ୍ପାନୀରେ କାମ କରୁଥିଲେ। ସେଠାରେ ହଠାତ୍ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ହସ୍ପିଟାଲ ରିପୋର୍ଟରୁ ଜଣାପଡ଼ିଛି। ମୃତ୍ୟୁ ପରେ ତାଙ୍କ ମୃତଦେହ ଅନକାପଲ୍ଲୀସ୍ଥିତ ଏନ୍ଟିଆର୍ ହସ୍ପିଟାଲରେ ରହିଥିଲା। ମୃତଦେହକୁ ନିଜ ଗ୍ରାମକୁ ଫେରାଇ ଆଣିବା ନେଇ ପରିବାରବର୍ଗ ଚିନ୍ତିତ ଥିବାବେଳେ ମନ୍ତ୍ରୀ ସୁରେଶ ପୂଜାରୀ ଓ ଜିଲ୍ଲାପାଳ ଚୌହାଣ ଏ ଦିଗରେ ତ୍ୱରିତ ପଦକ୍ଷେପ ନେଇଥିଲେ।
ପ୍ରାପ୍ତ ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ବିଶ୍ୱଜିତଙ୍କ ମୃତଦେହ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ। ଏଭଳି ଦୁଃଖଦ ସମୟରେ ସହଯୋଗର ହାତ ବଢ଼ାଇ ମୃତଦେହ ଫେରାଇ ଆଣିବାରେ ସହାୟତା କରିଥିବାରୁ ଶୋକସନ୍ତପ୍ତ ପରିବାର ମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି।