୬୧ ବର୍ଷରେ ପଦାର୍ପଣ କଲା ପ୍ରାଚୀ ଉପତ୍ୟକାର ଅଁଳା ପୀଠ

7


ସୁରକ୍ଷା ଓ ସଂରକ୍ଷଣ ପାଇଁ ଗ୍ରାମବାସୀଙ୍କ ଦାବି

କାକଟପୁର, ତା. ୧୮/୧୧,ପ୍ରାଚୀନ ସଂସ୍କୃତି, ଧାର୍ମିକ ପରମ୍ପରା ଓ ଆଧ୍ୟାତ୍ମିକ ଚେତନାର ଅନନ୍ୟ ପରିଚୟ ବହନ କରୁଥିବା ପ୍ରାଚୀ ଉପତ୍ୟକାରେ ଅବସ୍ଥିତ ଅଁଳା ପୀଠ ଏବେ ଅସ୍ତିତ୍ୱ ସଂକଟର ସମ୍ମୁଖୀନ ହୋଇଛି। ଦୀର୍ଘ ୬୧ ବର୍ଷ ଧରି ଏହି ପୀଠରେ ପୂଜା ପାଇ ଆସୁଥିବା ପବିତ୍ର ଅଁଳା ଗଛ ଏବେ ଅବହେଳିତ ଅବସ୍ଥାରେ ରହିଥିବା ବେଳେ ଏହାର ସୁରକ୍ଷା ଓ ସଂରକ୍ଷଣକୁ ନେଇ ଏହାର ତତ୍ୱାବଧାରକ ଓ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। କାକଟପୁର ଅଞ୍ଚଳ ଦେଇ ପ୍ରବାହିତ ପବିତ୍ର ପ୍ରାଚୀ ନଦୀର ଅବବାହିକାରେ ରହିଥିବା ଏହି ପୀଠ ଦୀର୍ଘ ବର୍ଷ ଧରି ଶ୍ରଦ୍ଧାଳୁଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ହୋଇ ରହିଛି। ବିଶେଷକରି ଅଁଳା ନବମୀ ଅବସରରେ ଏଠାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ଅଖଣ୍ଡ ନମଯଜ୍ଞ ଓ ପୂଜାର୍ଚ୍ଚନା ସହିତ ୭ ହଜାର ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଓ ଜନସାଧାରଣ ଏକାଠି ହୋଇ ପ୍ରସାଦ ସେବନ କରିଥାନ୍ତି l ତେବେ ମା’ ମଙ୍ଗଳା ମନ୍ଦିରର ପାରିପାର୍ଶ୍ୱିକ ଉନ୍ନତିକରଣ ନିମନ୍ତେ ଚାଲିଥିବା ପ୍ରକଳ୍ପ କାର୍ଯ୍ୟ ଏବେ ଏହି ପୀଠର ଅସ୍ତିତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରକଳ୍ପ କାର୍ଯ୍ୟ ପରିସରରେ ଉକ୍ତ ଅଁଳା ପୀଠର ବେଢ଼ା ଆସୁଥିବାରୁ ଏହାକୁ ଭାଙ୍ଗିବା ନିମନ୍ତେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନୋଟିସ୍ ଜାରି ହୋଇଥିବା ଜଣାପଡ଼ିଛି। ଏହାକୁ ନେଇ ପୀଠର ତତ୍ତ୍ୱାବଧାରକଙ୍କ ସମେତ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ବିରୋଧ ଦେଖାଦେଇଛି।
ଗ୍ରାମବାସୀଙ୍କ ମତରେ, ଉନ୍ନତିକରଣ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଦୀର୍ଘ ପାଞ୍ଚ ଦଶନ୍ଧିର ଧାର୍ମିକ ପରମ୍ପରା ଓ ଜନଆସ୍ଥା ସହ ଜଡ଼ିତ ଏକ ପୀଠର ଅସ୍ତିତ୍ୱକୁ ବିଲୁପ୍ତ କରିଦିଆଯିବ। ବିକାଶ ଓ ଐତିହ୍ୟ ପରସ୍ପରର ପରିପୂରକ ହେବା ଉଚିତ। ତେଣୁ ଅଁଳା ପୀଠର ବେଢ଼ାକୁ ଅକ୍ଷୁଣ୍ଣ ରଖି ବିକଳ୍ପ ଯୋଜନା ମାଧ୍ୟମରେ ପ୍ରକଳ୍ପ କାର୍ଯ୍ୟ ଆଗେଇ ନେବାକୁ ତତ୍ୱାବଧାରକ ମଙ୍ଗଳା ପ୍ରସାଦ ନାୟକ ଓ ଗ୍ରାମବାସୀ ମାନେ ଦୃଢ଼ ଦାବି କରିଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ଜନସାଧାରଣଙ୍କ ଭାବାବେଗକୁ ଗୁରୁତ୍ୱ ଦେବା ସହ ଅଁଳା ପୀଠର ଐତିହାସିକ ଓ ଧାର୍ମିକ ମହତ୍ତ୍ୱକୁ ବିଚାରକୁ ନେବା ଆବଶ୍ୟକ। ଅଁଳା ଗଛର ସୁରକ୍ଷା, ପୀଠର ସଂରକ୍ଷଣ ଏବଂ ଏହାର ପାରିପାର୍ଶ୍ୱିକ ଉନ୍ନତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଗଲେ ଏକପଟେ ବିକାଶର ଲକ୍ଷ୍ୟ ପୂରଣ ହୋଇପାରିବ, ଅନ୍ୟପଟେ ଦୀର୍ଘ ୬୧ ବର୍ଷର ଧାର୍ମିକ ପରମ୍ପରା ମଧ୍ୟ ସୁରକ୍ଷିତ ରହିପାରିବ। ଏବେ ଏହି ପୀଠର ଭବିଷ୍ୟତ କେଉଁ ଦିଗକୁ ଗତି କରୁଛି, ତାହା ଉପରେ ଶ୍ରଦ୍ଧାଳୁ ଓ ଅଞ୍ଚଳବାସୀଙ୍କ ନଜର ରହିଛି।

Leave A Reply

Your email address will not be published.