ସରିନି ‘ଅର୍ଣ୍ଣବ’ ଯନ୍ତ୍ରଣା, ପୁଣି ‘ଆକ୍ୱାନ୍’ ଭୟ;ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ,

7

ପାଚିଲା ଧାନକୁ ନେଇ ଚିନ୍ତାରେ ଚାଷୀ, ଦିନସାରା ଝିପି ଝିପି ବର୍ଷା,

ବେଲଗୁଣ୍ଠା, ୧୯/୧୧: -(ଶିବରାମ ଚୌଧୁରୀ )-ବାତ୍ୟା ‘ଅର୍ଣ୍ଣବ’ର ଦୁର୍ବିପାକରୁ ଏଯାଏଁ ମୁକୁଳି ପାରିନାହାନ୍ତି କ୍ଷତିଗ୍ରସ୍ତ ଲୋକେ । ଏବେ ବି ବିଭିନ୍ନ ସ୍ଥାନରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ସରକାରୀ ସହାୟତା ବଣ୍ଟନ ମଧ୍ୟ ଚାଲିଛି। ଏଭଳି ସ୍ଥିତିରେ ପୁଣି ଏକ ସମ୍ଭାବ୍ୟ ବାତ୍ୟା ‘ଆକ୍ୱାନ୍’କୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଆଶଙ୍କା ଦେଖାଦେଇଛି।ଗୁରୁବାର ସକାଳୁ ବେଲଗୁଣ୍ଠା ଓ ଏହାର ଆଖପାଖ ଅଞ୍ଚଳରେ ଝିପିଝିପି ବର୍ଷା ଆରମ୍ଭ ହୋଇଥିବାବେଳେ ସନ୍ଧ୍ୟା ସୁଦ୍ଧା ବର୍ଷାର ପରିମାଣ ବୃଦ୍ଧି ପାଇଛି। ଶୁକ୍ରବାର ବାତ୍ୟା ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବାରୁ ପ୍ରବଳ ପବନ ସହ ଅତି ପ୍ରବଳ ବର୍ଷା ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏହାର ପ୍ରଭାବରେ ବିଭିନ୍ନ ନଦୀ ଓ ନାଳର ଜଳସ୍ତର ବୃଦ୍ଧି ପାଇବାର ଭୟ ମଧ୍ୟ ରହିଛି।ବିଶେଷକରି ବେଲଗୁଣ୍ଠା ବ୍ଲକର ଇଙ୍ଗିନାଠି, ଗୋବରା ଓ ପାଇଲିପଡ଼ା ପଞ୍ଚାୟତ ପ୍ରତି ବିପଦ ଅଧିକ ରହିଛି। ପୂର୍ବ ବାତ୍ୟା ‘ଅର୍ଣ୍ଣବ’ ସମୟରେ ଲୋହରାଖଣ୍ଡି ନଦୀର ବନ୍ୟାଜଳ ଯୋଗୁଁ ଇଙ୍ଗିନାଠି ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଥିଲା। ସେହିପରି କାଳିଆମ୍ବା ନାଳରେ ବନ୍ୟାଜଳ ଆସି ଗୋବରା ପଞ୍ଚାୟତରେ ବ୍ୟାପକ କ୍ଷତି ଘଟାଇଥିବାବେଳେ ପାଇଲିପଡ଼ା ପଞ୍ଚାୟତ ମଧ୍ୟ ପ୍ରଭାବିତ ହୋଇଥିଲା। ତେଣୁ ଏହି ତିନି ପଞ୍ଚାୟତ ଉପରେ ପ୍ରଶାସନ ସ୍ୱତନ୍ତ୍ର ନଜର ରଖିବା ସହ ଆଗୁଆ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି।ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଚାଷୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି ବିଲରେ ଥିବା ପାଚିଲା ଧାନ। ଅମଳ ସମୟରେ ଲଗାତାର ବର୍ଷା ଓ ପବନ ହେଲେ ଧାନ ଫସଲ ବ୍ୟାପକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଅର୍ଣ୍ଣବର କ୍ଷତିରୁ ଚାଷୀ ଏଯାଏଁ ମୁକୁଳି ନଥିବାବେଳେ ପୁଣି ଆକ୍ୱାନ୍ ଆଶଙ୍କା ସେମାନଙ୍କ ମନରେ ଛନକା ସୃଷ୍ଟି କରିଛି। ଚଳିତ ବର୍ଷ ଚାଷୀଙ୍କ ବର୍ଷକର ଭାତ ହାଣ୍ଡି ଦଇବ ଛଡାଇନେଲା ବୋଲି ଗୋବରାରା ଜଣେ ଚାଷୀ ତାରା ବେହେରା କୋହଭରା କଣ୍ଠ ରେ ପ୍ରକାଶ କରିଛନ୍ତି l

Leave A Reply

Your email address will not be published.