ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ କାକଟପୁର ପ୍ରଶାସନର ବ୍ୟାପକ ପ୍ରସ୍ତୁତି

9


୧୬ଟି ପଞ୍ଚାୟତରେ ସାଇକ୍ଲୋନ୍ ସେଣ୍ଟର ପ୍ରସ୍ତୁତ, ଶୁଖିଲା ଓ ରନ୍ଧା ଖାଦ୍ୟ ବଣ୍ଟନ ବ୍ୟବସ୍ଥା


କାକଟପୁର, ତା ୧୯/୧୧: ସମ୍ଭାବ୍ୟ ବାତ୍ୟାର ମୁକାବିଲା ତଥା ଜନସାଧାରଣଙ୍କ ଧନଜୀବନ ସୁରକ୍ଷାକୁ ପ୍ରାଥମିକତା ଦେଇ କାକଟପୁର ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି କାକଟପୁର ବ୍ଲକର ୧୬ଟି ପଞ୍ଚାୟତରେ ୮ଟି ସ୍ଥାୟୀ ଓ ୯ଟି ଅସ୍ଥାୟୀ ସାଇକ୍ଲୋନ୍ ସେଣ୍ଟର ଗୁଡ଼ିକୁ ପ୍ରସ୍ତୁତ ରଖାଯିବା ସହ ୧୯୪୯ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସେମାନଙ୍କ ପାଇଁ ଶୁଖିଲା ଓ ରନ୍ଧା ଖାଦ୍ୟ ବଣ୍ଟନର ବ୍ୟବସ୍ଥା କରାଯାଇଛି।
ଆଶ୍ରୟସ୍ଥଳୀଗୁଡ଼ିକରେ ବିଦ୍ୟୁତ୍ ବିଭ୍ରାଟ ସମୟରେ ଆଲୋକ ବ୍ୟବସ୍ଥା ସ୍ୱାଭାବିକ ରଖିବା ପାଇଁ ୫ଟି ଡିଜି ସେଟ୍ ମହଜୁଦ ରଖାଯାଇଥିବା ବେଳେ ପାନୀୟ ଜଳ ଯୋଗାଣ ନିମନ୍ତେ ୧୦ଟି ପାଣି ଟ୍ୟାଙ୍କର ସହ ୨୦ ହଜାର ଲିଟର ଜଳର ବ୍ୟବସ୍ଥା କରାଯାଇଛି। ଏଥିସହ ଆଶ୍ରୟସ୍ଥଳୀରେ ଆବଶ୍ୟକୀୟ ମୌଳିକ ସୁବିଧା, ଜରୁରୀକାଳୀନ ସାମଗ୍ରୀ ଓ ଖାଦ୍ୟପେୟ ଉପଲବ୍ଧ କରାଇବା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି।
ବିଶେଷକରି ଗ୍ରାମ୍ୟ ପରିମଳ ବିଭାଗ ପକ୍ଷରୁ ଆଶ୍ରୟସ୍ଥଳୀଗୁଡ଼ିକରେ ପରିମଳ, ପାନୀୟ ଜଳ ଓ ଆଲୋକୀକରଣ ବ୍ୟବସ୍ଥାର ତଦାରଖ କରାଯାଉଛି। ଅନ୍ୟପକ୍ଷରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଗ୍ରାମାଞ୍ଚଳରେ ଲୋକଙ୍କୁ ବାତ୍ୟା ସମ୍ପର୍କିତ ସତର୍କ ସୂଚନା ଦେବା ସହ ସୁରକ୍ଷିତ ରହିବା ଏବଂ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ସଚେତନ କରାଯାଉଛି।
ସମ୍ଭାବ୍ୟ ବିପଦକୁ ମୁକାବିଲା କରିବା ଓ ଯେକୌଣସି ଜରୁରୀ ପରିସ୍ଥିତିରେ ତୁରନ୍ତ ସହାୟତା ଯୋଗାଇଦେବା ପାଇଁ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ସଜାଗ ରହିଛନ୍ତି। ଏହି ପ୍ରସ୍ତୁତି ଓ ପରିଚାଳନା କାର୍ଯ୍ୟ ଉପରେ ଅତିରିକ୍ତ ତହସିଲଦାର ନିରଞ୍ଜନ ପାତ୍ର, ବିଡିଓ ନାରାୟଣ ଦୀକ୍ଷି, କାକଟପୁର ସରପଞ୍ଚ ଅଭୟ ସେଠୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ସ୍ୱତନ୍ତ୍ର ନଜର ରଖିଛନ୍ତି।
ତେବେ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଶାସନର ପ୍ରସ୍ତୁତି ସହ ଜନସାଧାରଣଙ୍କ ସଚେତନତା ଓ ସହଯୋଗ ମଧ୍ୟ ଅତ୍ୟନ୍ତ ଜରୁରୀ। ତେଣୁ ଗୁଜବରେ ବିଶ୍ୱାସ ନକରି ଭୟଭୀତ ନହେବା, ଆବଶ୍ୟକ ସ୍ଥଳେ ନିରାପଦ ଆଶ୍ରୟସ୍ଥଳୀକୁ ଯିବା ଏବଂ ସରକାରୀ ନିର୍ଦ୍ଦେଶାବଳୀ ପାଳନ କରିବାକୁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.