ନିଯୁକ୍ତି ଦାବିରେ ଏନ୍‌ଏଲ୍‌ସିରେ ମହାଧର୍ମଘଟ, ୭ ଦିନ ହେଲା ଅଚଳ ଡମ୍ପିଂ ୟାର୍ଡ

3

ପତ୍ରାପାଲିରେ ୨୦୦ ନିଯୁକ୍ତି ଦାବି ଜୋରଦାର, କୋଇଲା କାର୍ଯ୍ୟ ବାଧାପ୍ରାପ୍ତ; ସରକାରଙ୍କ ବ୍ୟାପକ ରାଜସ୍ୱ କ୍ଷତି ଆଶଙ୍କା


ଝାରସୁଗୁଡ଼ା, ୧୮ ସ୍ଥାନୀୟ ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ପ୍ରଦାନ ଦାବିରେ ଏନ୍‌ଏଲ୍‌ସି (NLC) କମ୍ପାନୀ ବିରୋଧରେ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଝାରସୁଗୁଡ଼ା ଜିଲ୍ଲାର ମଲଦା-ପତ୍ରାପାଲିସ୍ଥିତ ଏନ୍‌ଏଲ୍‌ସିର ଓଭରବର୍ଡେନ୍‌ (ଓ.ବି.) ଡମ୍ପିଂ ୟାର୍ଡରେ ଗତ ୧୧ ତାରିଖରୁ ଆରମ୍ଭ ହୋଇଥିବା ଧର୍ମଘଟ ଆଜି ସପ୍ତମ ଦିନରେ ପହଞ୍ଚିଛି। ଫଳରେ ସମ୍ପୃକ୍ତ ସାଇଟ୍‌ରେ କାର୍ଯ୍ୟ ପ୍ରାୟ ସମ୍ପୂର୍ଣ୍ଣ ଠପ୍‌ ହୋଇପଡ଼ିଛି। ଦୀର୍ଘ ସାତ ଦିନ ଧରି ଚାଲିଥିବା ଏହି ଅଚଳାବସ୍ଥା ଯୋଗୁଁ କୋଇଲା ଖଣି ଓ ଡମ୍ପିଂ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି।

ପତ୍ରାପାଲି ଗ୍ରାମର ବେକାର ଯୁବକଯୁବତୀ ସଂଘ ସହ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀର ମିଳିତ ପ୍ରତିବାଦ ଯୋଗୁଁ ଏହି ଆନ୍ଦୋଳନ ଜାରି ରହିଛି। ସ୍ଥାନୀୟ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏନ୍‌ଏଲ୍‌ସି କମ୍ପାନୀର ଖଣି କାର୍ଯ୍ୟ ଯୋଗୁଁ ପତ୍ରାପାଲି ଗ୍ରାମବାସୀ ଦୀର୍ଘଦିନ ଧରି ପ୍ରଭାବିତ ହୋଇଆସୁଛନ୍ତି। ପୂର୍ବରୁ ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ହୋଇଥିବା ଏହି ଗ୍ରାମର ଲୋକେ ଏବେ ପୁଣିଥରେ ଏନ୍‌ଏଲ୍‌ସି କମ୍ପାନୀର ଖଣି କାର୍ଯ୍ୟ ଯୋଗୁଁ ଦ୍ୱିତୀୟ ଥର ବିସ୍ଥାପନର ସମ୍ମୁଖୀନ ହେଉଛନ୍ତି।

କିନ୍ତୁ ବିସ୍ଥାପିତ ଓ ପ୍ରଭାବିତ ପରିବାର, ବିଶେଷକରି ଭୂମିହୀନ ପରିବାରର ଯୁବକଯୁବତୀଙ୍କୁ ଉପଯୁକ୍ତ ନିଯୁକ୍ତି ମିଳୁନଥିବା ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ, କମ୍ପାନୀରେ ମାତ୍ର ୧୦ ପ୍ରତିଶତ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳୁଥିବା ବେଳେ ବାହାର ରାଜ୍ୟର ଲୋକଙ୍କୁ ଅଧିକ ପ୍ରାଥମିକତା ଦିଆଯାଉଛି। ଯେଉଁ କେତେକଙ୍କୁ ନିଯୁକ୍ତି ମିଳୁଛି, ତାହା ମଧ୍ୟ ସନ୍ତୋଷଜନକ ନୁହେଁ ବୋଲି ସେମାନେ କହିଛନ୍ତି।

ପୂର୍ବରୁ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଅତିକମ୍‌ରେ ୨୦୦ ଜଣ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ନ ମିଳିବା ପର୍ଯ୍ୟନ୍ତ କମ୍ପାନୀ ସମ୍ମୁଖରେ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ଏହି ଦାବି ନେଇ ପୂର୍ବରୁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ମଧ୍ୟ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି।

ଏପଟେ ମଲଦା-ପତ୍ରାପାଲି ସାଇଟ୍‌ରେ ଅଚଳାବସ୍ଥା ଜାରି ରହିଥିବା ବେଳେ ସମ୍ବଲପୁର ଜିଲ୍ଲାର ଖିଣ୍ଡା-ତଲାବିରା ଅଞ୍ଚଳରେ ମଧ୍ୟ ବିଭିନ୍ନ ଦାବି ନେଇ ଆନ୍ଦୋଳନ ଓ ଧର୍ମଘଟ ଜୋରଦାର ହୋଇଛି। ଲଗାତାର ଧର୍ମଘଟ ଯୋଗୁଁ ଖଣି ଉତ୍ପାଦନ ଓ ଡମ୍ପିଂ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବାରୁ ରାଜ୍ୟ ସରକାରଙ୍କ ବିପୁଳ ରାଜସ୍ୱ କ୍ଷତି ହେବାର ଆଶଙ୍କା ଦେଖାଦେଇଛି।

ଅନ୍ୟପକ୍ଷରେ, ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା ସହ ଏକ ସପ୍ତାହ ଧରି ଧର୍ମଘଟ ଚାଲିଥିଲେ ମଧ୍ୟ ସମସ୍ୟାର ସମାଧାନ ଦିଗରେ କମ୍ପାନୀ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ଠୋସ୍‌ ପଦକ୍ଷେପ ନିଆଯାଇନଥିବା ନେଇ ଆନ୍ଦୋଳନକାରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଶାସନର ନିରବତାକୁ ନେଇ ମଧ୍ୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ତୁରନ୍ତ ପ୍ରଶାସନ ହସ୍ତକ୍ଷେପ କରି ସ୍ଥାନୀୟ ବେକାର ଯୁବକଯୁବତୀଙ୍କୁ ନ୍ୟାୟ ପ୍ରଦାନ କରିବା ସହ ଆନ୍ଦୋଳନର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି।

ଏ ସମ୍ପର୍କରେ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଥିଲେ ଯେ, କମ୍ପାନୀ କର୍ତ୍ତୃପକ୍ଷ ଓ ଆନ୍ଦୋଳନକାରୀ ଗ୍ରାମବାସୀଙ୍କ ସହ ଯୋଗାଯୋଗ ଓ ଆଲୋଚନା ଚାଲିଛି। ଖୁବ୍‌ଶୀଘ୍ର ଘଟଣାର ସମାଧାନ କରାଯିବ। ଅନ୍ୟପକ୍ଷରେ ଏନ୍‌ଏଲ୍‌ସି କମ୍ପାନୀର ଏଚ୍‌ଆର୍‌ ମୁଖ୍ୟ ସୁବ୍ରତ ବିଶ୍ୱାଳଙ୍କ ସହ ବାରମ୍ବାର ଯୋଗାଯୋଗ ଉଦ୍ୟମ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଗ୍ରହଣ କରିନଥିଲେ।

ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଦାବି ଓ କମ୍ପାନୀର ଅଚଳାବସ୍ଥା ମଧ୍ୟରେ ଏବେ ସମସ୍ତଙ୍କ ନଜର ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି।

Leave A Reply

Your email address will not be published.