ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ।

33

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟଠାରେ ଗୁରୁବାର ରୋଗୀ କଲ୍ୟାଣ ସମିତି (ଆରକେଏସ୍‌)ର ୨୦୨୬-୨୭ ବର୍ଷର ଗଭର୍ଣ୍ଣିଂ ବଡି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇଥିଲେ। ଚିକିତ୍ସାଳୟର ଅଧୀକ୍ଷକ ଡା. ଆଶୁତୋଷ ହୋତା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ।

ବୈଠକରେ ଚିକିତ୍ସାଳୟରେ ରୋଗୀମାନଙ୍କୁ ମିଳୁଥିବା ଚିକିତ୍ସା ସେବା, ଅନ୍ତଃବିଭାଗ, ବହିର୍ବିଭାଗ ଓ ପରୀକ୍ଷାଗାରର ସେବା ନେଇ ରୋଗୀଙ୍କ ସନ୍ତୁଷ୍ଟି ଉପରେ ଆଲୋଚନା ହୋଇଥିଲା। ଏଥିସହ ଚିକିତ୍ସାଳୟର ଭିତ୍ତିଭୂମି, ମାନବ ସମ୍ବଳ ଓ କର୍ମଚାରୀଙ୍କ ସ୍ଥିତି, ଚାଲୁ ରହିଥିବା ବିଭିନ୍ନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଏବଂ ଆଉଟ୍‌ସୋର୍ସିଂ ସଂସ୍ଥାର କାର୍ଯ୍ୟକଳାପ ସମ୍ପର୍କରେ ସମୀକ୍ଷା କରାଯାଇଥିଲା।

ଚିକିତ୍ସାଳୟର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ସହ ଏହାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ, ୨୦୨୫-୨୬ ଆର୍ଥିକ ବର୍ଷ ଏବଂ ୨୦୨୬ ଏପ୍ରିଲରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଆୟବ୍ୟୟର ବିବରଣୀ ଉପସ୍ଥାପନ କରାଯାଇଥିଲା। ଏଥିସହ ୨୦୨୬-୨୭ ବର୍ଷ ପାଇଁ ଚିକିତ୍ସାଳୟର ପିଆଇପି ଯୋଜନା ପ୍ରସ୍ତୁତି ଓ ରୋଗୀ କଲ୍ୟାଣ ସମିତିର କାର୍ଯ୍ୟ ତଦାରଖ ନେଇ ମଧ୍ୟ ଆଲୋଚନା ହୋଇଥିଲା।

ବୈଠକରେ ଚିକିତ୍ସାଳୟର ସେବାର ଗୁଣବତ୍ତା ବୃଦ୍ଧି, ରୋଗୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ ଏବଂ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଏହି ବୈଠକରେ ପଦ୍ମପୁର ଉପଜିଲ୍ଲାପାଙ୍କ ହେମସାଗର ଭୋଇ,ଏନ୍‌ଏସି ଅଧ୍ୟକ୍ଷା ସାବିତ୍ରୀ ବାଗ, , କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ, ସିଡିପିଓ ଗୋଳି ରାଉତ ଓ ସମାଜସେବୀ ନିରୋଜ ଦୋରାଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଶେଷରେ ଖୋଲା ଆଲୋଚନା ଓ ପ୍ରସ୍ତାବ ଗ୍ରହଣ ପରେ ଧନ୍ୟବାଦ ଅର୍ପଣ ସହ ବୈଠକ ସମାପ୍ତ ହୋଇଥିଲା।

Leave A Reply

Your email address will not be published.