ଜଗତସିଂହପୁର ବିଜେଡିର ବିଜୟ ସମାବେଶ: ନବନିର୍ବାଚିତ ବିଧାୟକ ଓ ମନ୍ତ୍ରୀଙ୍କୁ ବିପୁଳ ସମ୍ବର୍ଦ୍ଧନା

0

 ଜଗତସିଂହପୁର(ରମେଶ ମହାନ୍ତି)-ଜଗତସିଂହପୁର ବ୍ଲକ ଓ ପୌରାଞ୍ଚଳ ପକ୍ଷରୁ ଜଗତସିଂହପୁର ବଜାର ସ୍ଥିତ ସାରଦା ମଣ୍ଡପ ଠାରେ ଅନୁଷ୍ଠିତ ବିଜୟ ସମାବେଶରେ ନବନିର୍ବାଚିତ ଦୁଇ ବିଧାୟକ ଓ ମନ୍ତ୍ରୀଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ନବନିର୍ବାଚିତ ଦୁଇ ବିଧାୟକ ଓ ମନ୍ତ୍ରୀ ପ୍ରଥମେ ଗାନ୍ଧିଛକ ସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଏକ ବିରାଟ ଶୋଭାଯାତ୍ରାରେ ସାରଦା ମଣ୍ଡପ ଠାରେ ଆୟୋଜିତ ସଭା ସ୍ଥଳକୁ ଉତ୍ସାହିତ କର୍ମୀମାନେ ତାଙ୍କୁ ପାଛୋଟି ନେଇଥିଲେ।ଏହି ସମ୍ବର୍ଦ୍ଧନା ଉତ୍ସବରେ ଜିଲ୍ଲାର ନବନିର୍ବାଚିତ ବିଧାୟକ,ପ୍ରଥମ ଥର ବିଧାୟକ ହୋଇ ମନ୍ତ୍ରୀ ହୋଇଥିବା ରଘୁନନ୍ଦନ ଦାସ,ପୁର୍ବରୁ ୫ଥର ବିଧାୟକ ହୋଇଥିବା ଜିଲ୍ଲାର ବରିଷ୍ଟ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ,ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ବେଳେ ବିଶେଷକରି ମନ୍ତ୍ରୀ ଶ୍ରୀ ଦାସଙ୍କୁ ଜଗତସିଂହପୁର ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ସମ୍ବର୍ଦ୍ଧନାର ସୁଅ ଛୁଟିଥିଲା।ଏହି ସମ୍ବର୍ଦ୍ଧନା ସଭାରେ ଜଗତସିଂହପୁର ସାଂସଦ ଡା.ରାଜଶ୍ରୀ ମଲ୍ଲିକ ଓ ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ ଅନୁପସ୍ଥିତ ଥିଲେ।ବିଜୁ ଜନତା ଦଳର ନଗର ସଭାପତି ଦୋଳ ଗୋବିନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ଜଗତସିଂହପୁର ବ୍ଲକ ବିଜେଡି ସଭାପତି ମନୋଜ ଭୋଇ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ମୁଖ୍ୟ ଅତିଥି ଭାବେ ପ୍ରଥମ ଥର ବିଧାୟକ ହୋଇ ଜଳସମ୍ପଦ ଓ ସୂଚନା ଓ ଲୋକସମ୍ପର୍କ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ହୋଇଥିବା ରଘୁନନ୍ଦନ ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ କି ଜିଲ୍ଲାରୁ ନବନିର୍ବାଚିତ ହୋଇଥିବା ଆମେ ଚାରିଜଣ ବିଧାୟକ ଜିଲ୍ଲାର ସମସ୍ଥ ବିଧାନସଭା କ୍ଷେତ୍ରକୁ ଆଖିଆଗରେ ରଖି ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି କରିବା ନିମନ୍ତେ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିସହିତ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରୁ ୨ଥର ବିଜୟୀ ହୋଇଥିବା ପ୍ରଶାନ୍ତ ମୁଦୁଲିଙ୍କୁ ଜଗତସିଂହପୁର ବାସୀ ସାଦରେ ଗ୍ରହଣ କରି ଜିତାଇ ଥିବାରୁ ଜଗତସିଂହପୁର ବାସୀଙ୍କୁ ମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। ସେହିପରି ପ୍ରଶାନ୍ତ ମୁଦୁଲି ତାଙ୍କ ବକ୍ତବ୍ୟରେ କହିଥିଲେ କି ସେ ବିଷ୍ଣୁ ବାବୁଙ୍କ ଆଶୀର୍ବାଦରୁ  ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିଲେ ସେଥିପାଇଁ ସେ ତଙ୍କୁ ଧନ୍ୟବାଦ ଦେଇଥିଲେ। ଏଥିସହିତ ଜିଲ୍ଲାର ନବନିର୍ବାଚିତ ୪ଜଣ ବିଧାୟକଙ୍କ ମଧ୍ୟରୁ ରଘୁନନ୍ଦନ ଦାସ ମନ୍ତ୍ରୀପଦ ପାଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ଜିଲ୍ଲା ବିଜେଡ଼ି ସଭାପତି ଅମରେନ୍ଦ୍ର ଦାସ, ପଞ୍ଚାୟତ ସମିତି ଅଧ୍ୟକ୍ଷା ବିଜୟ ଲକ୍ଷ୍ମୀ ବେହେରା,ପୂର୍ବତନ ପୌରାଧ୍ୟକ୍ଷା ମିନତି ଦାସ ପ୍ରମୁଖ ମଞ୍ଚାସୀନ ଥିଲେ।ଶେଷରେ ଜିଲ୍ଲା ବିଜେଡି ଉପସଭାପତି ଦିପ୍ତି ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ସମ୍ବର୍ଦ୍ଧନା ଉତ୍ସବରେ ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.