ଅନୁଗୋଳରୁ ଗିରଫ, HRMS ପୋର୍ଟାଲରେ ଜାଲିଆତି କରି ୩ କୋଟି ୩ ଲକ୍ଷରୁ ଅଧିକ ଟଙ୍କା ହଡ଼ପ ଅଭିଯୋଗ।
କେନ୍ଦ୍ରାପଡ଼ା:12,11(ପ୍ରଫୁଲ୍ଲ କୁମାର ମଲ୍ଲ ) ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଡେରାବିଶ ବ୍ଲକର ବରିଷ୍ଠ ରାଜସ୍ୱ ସହାୟକ (SRA) ଶଶୀକାନ୍ତ ରଣାଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। HRMS ପୋର୍ଟାଲରେ ଜାଲିଆତି କରି ୩ କୋଟି ୩ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ଅର୍ଥ ହେରଫେର କରିଥିବା ଅଭିଯୋଗରେ କିଛି ଦିନ ଧରି ଫେରାର ଥିବା ଶଶୀକାନ୍ତଙ୍କୁ ଭିଜିଲାନ୍ସ ଟିମ୍ ଡିଜିଟାଲ୍ ଟ୍ରାକିଂ ଜରିଆରେ ଅନୁଗୋଳରୁ ଗିରଫ କରିଛି।
ଭିଜିଲାନ୍ସର ତଦନ୍ତ ଅନୁଯାୟୀ, ଶଶୀକାନ୍ତ ରଣା ରାଜକନିକା ଓ ଡେରାବିଶ ବ୍ଲକରେ କାର୍ଯ୍ୟରତ ଥିବା ସମୟରେ ଏହି ଅର୍ଥ ହେରଫେର କରିଥିବା ଅଭିଯୋଗ ହୋଇଛି। ସେ HRMS ପୋର୍ଟାଲରେ ଅବସରପ୍ରାପ୍ତ ଓ ମୃତ କର୍ମଚାରୀଙ୍କ ନାମରେ ଦରମା, ବକେୟା ରାଶି, ଗ୍ରାଚ୍ୟୁଇଟି, ବ୍ୟବହାର ହୋଇନଥିବା ଛୁଟି ବାବଦ ଅର୍ଥ ଏବଂ ପେନସନ୍ ପାଇଁ ଜାଲ୍ ଦାବି ଦାଖଲ କରୁଥିଲେ। ଏହାସହ ଅର୍ଥ ପ୍ରଦାନ ସମ୍ପର୍କିତ ରେକର୍ଡରେ ଜାଲିଆତି କରି ସରକାରୀ ଅର୍ଥ ହଡ଼ପ କରୁଥିବା ତଦନ୍ତରୁ ଜଣାପଡ଼ିଛି।
ଏହି ଘଟଣାରେ ମୋଟ ୩ କୋଟି ୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ସରକାରୀ ଅର୍ଥ ହେରଫେର ହୋଇଥିବା ଭିଜିଲାନ୍ସ ପକ୍ଷରୁ ଜଣାପଡ଼ିଛି। ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଆଜି କଟକସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଅଦାଲତରେ ହାଜର କରାଯାଇଛି।ସରକାରୀ ବ୍ୟବସ୍ଥାରେ ଡିଜିଟାଲ୍ ପ୍ରଣାଳୀରେ ହେଉଥିବା ଅର୍ଥ କାରବାରରେ ଏଭଳି ଜାଲିଆତି ଘଟଣା ପ୍ରଶାସନିକ ସ୍ୱଚ୍ଛତା ଓ ତଦାରଖ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି।