୨୩ରୁ ୨୫ ତାରିଖ ଯାଏଁ ତିନିଦିନ ଧରି ଯାତ୍ରା, ନିଶା ସେବନ କଲେ ସେବାରୁ ନିବୃତ୍ତ କରାଯିବ
ଓଡ଼ଗାଁ, ୧୨।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ଏକ ଅନନ୍ୟ ଶୈବପୀଠ ଭାବେ ପରିଚିତ ଓଡ଼ଗାଁ ନିକଟସ୍ଥ ଜାମୁପାଟଣା ଶୂଳିଆ ପାହାଡ଼ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ଦୂତୀକେଶ୍ୱର ମହାଦେବଙ୍କ ପୀଠରେ ଚଳିତ ମାସ ୨୩, ୨୪ ଓ ୨୫ ତାରିଖରେ ତିନିଦିନ ଧରି ବାରେଡ଼ି ଯାତ୍ରା ଅନୁଷ୍ଠିତ ହେବ। ଏହି ଯାତ୍ରାର ସୁପରିଚାଳନା ନିମନ୍ତେ ଗୁରୁବାର ମନ୍ଦିର କାର୍ଯ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ମନ୍ଦିର କମିଟି ପକ୍ଷରୁ ଅନୁଷ୍ଠିତ ହୋଇଥିଲା। ବୈଠକରେ ଓଡ଼ଗାଁ ବ୍ଲକ୍ ଅଧ୍ୟକ୍ଷ ଲୋକନାଥ ସାହୁ, ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି ସତ୍ୟନାରାୟଣ ବାରିକ, ସବ୍ଇନ୍ସପେକ୍ଟର ଚକ୍ରଧର ସିଂ, ରେଞ୍ଜର ଅଭିମନ୍ୟୁ ମଲ୍ଲିକ, ମନ୍ଦିର କମିଟି ଉପସଭାପତି ପ୍ରଫୁଲ୍ଲ ମାଝୀ, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଭୂଜବଳ, କୋଷାଧ୍ୟକ୍ଷ ପ୍ରତାପ ଯେନାଙ୍କ ସମେତ କମିଟିର ଅନ୍ୟ ସଭ୍ୟ ଓ ସେବାସୀମାନେ ଯୋଗଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।
ଚଳିତ ବର୍ଷ ୨୩ ତାରିଖ ସୋମବାର ଶେଷ ସୋମବାର ହୋଇଥିବାବେଳେ ତା’ପରଦିନ ମଙ୍ଗଳବାର ପୂର୍ଣ୍ଣିମା ଏବଂ ୨୫ ତାରିଖ ବୁଧବାର ଛାଡ଼ଖାଇ ପଡ଼ୁଥିବାରୁ ତିନିଦିନ ଧରି ପୀଠରେ ଶ୍ରଦ୍ଧାଳୁଙ୍କ ବିପୁଳ ସମାଗମ ହେବାର ଆଶା ରହିଛି। ଏହାକୁ ଦୃଷ୍ଟିରେ ରଖି ଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣ, ଶାନ୍ତିଶୃଙ୍ଖଳା ରକ୍ଷା ଓ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବା ନେଇ ଆଲୋଚନା ହୋଇଥିଲା। ଏଥିସହିତ ଯାତ୍ରା ସମୟରେ ସେବାସୀମାନେ ଶ୍ରଦ୍ଧାଳୁଙ୍କ ପ୍ରତି ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। କୌଣସି ସେବାସୀ ନିଶାଦ୍ରବ୍ୟ ସେବନ କରି ମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ। ଏହି ନିୟମ ଉଲ୍ଲଂଘନ କଲେ ସମ୍ପୃକ୍ତ ସେବାସୀଙ୍କୁ ସେବା କାର୍ଯ୍ୟରୁ ନିବୃତ୍ତ କରାଯିବ ବୋଲି କଡ଼ା ଚେତାବନୀ ଦିଆଯାଇଥିଲା। ସେହିପରି ମନ୍ଦିରର ଆୟବ୍ୟୟ ପରିଚାଳନାରେ ସ୍ୱଚ୍ଛତା ରକ୍ଷା କରିବା ସହ ସମସ୍ତ ସଭ୍ୟଙ୍କ ଅବଗତିରେ ମୋଟ ଆୟର ୪୦ ପ୍ରତିଶତ ଅର୍ଥ ବିଭିନ୍ନ କାର୍ଯ୍ୟରେ ବ୍ୟୟ ଏବଂ ୬୦ ପ୍ରତିଶତ ଅର୍ଥ ସଞ୍ଚୟ କରାଯିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା। ପୀଠର ସୌନ୍ଦର୍ଯ୍ୟ ବୃଦ୍ଧି ଓ ପରିବେଶ ସୁରକ୍ଷା ନିମନ୍ତେ ବୃକ୍ଷରୋପଣ କାର୍ଯ୍ୟରେ ବନ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ରେଞ୍ଜର ଅଭିମନ୍ୟୁ ମଲ୍ଲିକ ପ୍ରତିଶ୍ରୁତି ଦେଇଥିଲେ।