ନୂତନ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ସାକ୍ଷାତ କଲେ ଶ୍ରୀପୁରା ଟ୍ରଷ୍ଟର ପ୍ରତିନିଧି
ଝାରସୁଗୁଡ଼ା, ୧୨।୧୧: ଝାରସୁଗୁଡ଼ା ଜିଲ୍ଲାର ନୂତନ ଆରକ୍ଷୀ ଅଧୀକ୍ଷକ ସୋନାଲି ସିଂ ପରମାରଙ୍କୁ ଶ୍ରୀପୁରା ଗ୍ରାମସ୍ଥିତ ମା’ ଦୁର୍ଗତିନାଶିନୀ ଚାରିଟେବୁଲ ଟ୍ରଷ୍ଟର ପ୍ରତିନିଧିମାନେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ଟ୍ରଷ୍ଟର ସାମାଜିକ ଓ ଜନକଲ୍ୟାଣମୂଳକ କାର୍ଯ୍ୟକଳାପ ସମ୍ପର୍କରେ ଏସ୍ପିଙ୍କୁ ଅବଗତ କରାଯାଇଥିଲା।
ଟ୍ରଷ୍ଟ ପକ୍ଷରୁ ନିଶା ନିବାରଣ ଓ ଜନସଚେତନତା ସୃଷ୍ଟି, ଗରିବ, ନିରୀହ ତଥା ଅସହାୟ ମହିଳାଙ୍କୁ ସହାୟତା, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସହଯୋଗ, ବୃକ୍ଷରୋପଣ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ଭଳି କାର୍ଯ୍ୟ କରାଯାଉଥିବା ଜଣାଇଥିଲେ।
ଟ୍ରଷ୍ଟର ମହିଳା ସଦସ୍ୟମାନଙ୍କ ସାମାଜିକ ସେବାମୂଳକ କାର୍ଯ୍ୟକୁ ଏସ୍ପି ପ୍ରଶଂସା କରିଥିଲେ। ଏଥିସହ ଜିଲ୍ଲା ପୁଲିସ ସର୍ବଦା ନିଷ୍ଠା ଓ ଦାୟିତ୍ୱବୋଧର ସହ କାର୍ଯ୍ୟ କରିବ ବୋଲି ସେ ଆଶ୍ୱାସନା ଦେଇଥିଲେ।
ଏହି ଅବସରରେ ଟ୍ରଷ୍ଟର ସଭାନେତ୍ରୀ ମିନତି ପାତ୍ରଙ୍କ ସମେତ ଯଜ୍ଞାସେନୀ ଭୋଇ, ନଳିନୀ ପଶାୟତ, ଶୈଳବାଳା ପାତ୍ର, ରଜନୀ ପ୍ରଧାନ ଓ ରତ୍ନାକର ପ୍ରଧାନ ପ୍ରମୁଖ ଏସ୍ପିଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ।