ନିର୍ଦ୍ଧାରିତ ସମୟରେ ଖୋଲୁନି ମନ୍ଦିର, ଦୀର୍ଘ ସମୟ ଅପେକ୍ଷାରେ ଭକ୍ତ; ତାଲା ଝୁଲୁଥିବାରୁ ଅସନ୍ତୋଷ
ବଲାଙ୍ଗୀର ସହରର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଣେଶ୍ୱରୀଙ୍କ ମନ୍ଦିରର ନୀତିକାନ୍ତି ଓ ପରିଚାଳନା ବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମନ୍ଦିର ଖୋଲିବା ସମୟ, ମା’ଙ୍କ ପହଡ଼ ପଡ଼ିବା ସମୟ ଏବଂ ଦୈନନ୍ଦିନ ପୂଜାନୀତିର ସମୟସୂଚୀକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଅଭିଯୋଗ ଅନୁସାରେ, ମନ୍ଦିରର ପୂଜକମାନଙ୍କ ମଧ୍ୟରେ ଚାଲିଥିବା ଟଣାଓଟରା ଓ ଆଭ୍ୟନ୍ତରୀଣ ବିବାଦ ଯୋଗୁଁ ମନ୍ଦିରର ନିୟମିତ ପୂଜାନୀତି ପ୍ରଭାବିତ ହେଉଛି। ଗୁରୁବାର ଦିନ ଅପରାହ୍ନ ୫ଟା ହୋଇ ୫ଟା ୧୫ ମିନିଟ୍ ଅତିକ୍ରମ କରିଥିଲେ ମଧ୍ୟ ମନ୍ଦିରରେ ତାଲା ଝୁଲୁଥିଲା। ଫଳରେ ଦର୍ଶନ ପାଇଁ ଆସିଥିବା ଅନେକ ଭକ୍ତ ଦୀର୍ଘ ସମୟ ଧରି ଅପେକ୍ଷା କରି ନିରାଶ ହୋଇଥିଲେ।
ମନ୍ଦିର କେତେବେଳେ ଖୋଲିବ, କେତେବେଳେ ବନ୍ଦ ରହିବ ଏବଂ ମା’ଙ୍କ ପହଡ଼ କେଉଁ ସମୟରେ ପଡ଼ିବ, ତାହାର ସ୍ପଷ୍ଟ ସୂଚନା ଭକ୍ତମାନଙ୍କୁ ମିଳିବା ଆବଶ୍ୟକ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଭକ୍ତମାନଙ୍କ ମତରେ, ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷ ଏକ ନିର୍ଦ୍ଧାରିତ ସମୟସୂଚୀ ପ୍ରସ୍ତୁତ କରି ମନ୍ଦିର ସମ୍ମୁଖରେ ଏକ ସୂଚନା ଫଳକ ଲଗାଇବା ଉଚିତ। ଏଥିରେ ମନ୍ଦିର ଖୋଲିବା, ପୂଜାନୀତି, ଭୋଗ ଓ ପହଡ଼ ପଡ଼ିବାର ସମୟ ସ୍ପଷ୍ଟ ଭାବେ ଉଲ୍ଲେଖ ରହିବା ଦରକାର।
ପୂଜକମାନଙ୍କ ମଧ୍ୟରେ ଯାହା ବି ବିବାଦ ରହିଛି, ତାହା ଆଲୋଚନା ମାଧ୍ୟମରେ ସମାଧାନ ହେବା ଉଚିତ। କିନ୍ତୁ ଏହି ବିବାଦର ପ୍ରଭାବ ମା’ଙ୍କ ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନ ଉପରେ ପଡ଼ିବା ଆଦୌ ଉଚିତ ନୁହେଁ।
ତିନି ଭାଇଙ୍କ ମଧ୍ୟରେ ଚାଲିଥିବା ଟଣାଓଟରା ଭିତରେ ମନ୍ଦିରରେ ତାଲା ଝୁଲିବା ଘଟଣା ଭକ୍ତମାନଙ୍କୁ ବ୍ୟଥିତ କରିଛି। ମା’ ପାଟଣେଶ୍ୱରୀଙ୍କ ମନ୍ଦିରରେ ଶୃଙ୍ଖଳିତ ନୀତିକାନ୍ତି ଓ ସୁବ୍ୟବସ୍ଥିତ ଦର୍ଶନ ସୁନିଶ୍ଚିତ କରିବା ଦିଗରେ ଦେବୋତ୍ତର ବିଭାଗ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି ହେଉଛି।