ଯୁବପିଢ଼ି ଓ ମହିଳାଙ୍କ ମଧ୍ୟରେ ଉଦ୍ୟୋଗିତା ବିକାଶ ଲକ୍ଷ୍ୟରେ ଷ୍ଟାର୍ଟଅପ୍ ଆଉଟରିଚ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

14

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଯୁବପିଢ଼ି ଓ ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗିତା ମନୋଭାବର ବିକାଶ , ନୂତନ ଷ୍ଟାର୍ଟଅପ୍ ସୃଷ୍ଟି ଏବଂ ଆତ୍ମନିଯୁକ୍ତିର ସୁଯୋଗ ସମ୍ପ୍ରସାରଣ ଲକ୍ଷ୍ୟରେ ଗଜପତି ଜିଲ୍ଲା ପ୍ରଶାସନଙ୍କ ସହଯୋଗରେ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଏକ ଷ୍ଟାର୍ଟଅପ୍ ଆଉଟରିଚ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପାରଳାଖେମୁଣ୍ଡିସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଶ୍ରୀ ବିଭୁରଞ୍ଜନ ସ୍ୱାଇଁ ଯୋଗଦେଇ ଉଦ୍ୟୋଗ ସ୍ଥାପନ ଓ ନବସୃଜନର ବିଭିନ୍ନ ସମ୍ଭାବନା ସମ୍ପର୍କରେ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ରବୀନ୍ଦ୍ର କୁମାର ଆଡେକ୍ , ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ରୀ ଟିମନ ବାରା , ଉଦ୍ୟାନ କୃଷି ବିଭାଗର ସହକାରୀ ନିର୍ଦ୍ଦେଶକ ଏସ.ଏସ.ସାହୁ , ଶ୍ରୀ ମୀନକେତନ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଗୋଦାବରୀ ଜେନା , ସିସିଡିର ନିର୍ଦ୍ଦେଶକ ଶ୍ରୀ ଏ.ଜଗନ୍ନାଥ ରାଜୁ ଏବଂ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକଙ୍କ ସମେତ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ , ଛାତ୍ରଛାତ୍ରୀ , ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ସ୍ଥାନୀୟ ଉଦ୍ୟୋଗୀମାନେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଉତ୍ପାଦନ କ୍ଷେତ୍ରରେ ରୋବୋଟିକ୍ସ ଆଧାରିତ ଷ୍ଟାର୍ଟଅପ୍‌ର ସମ୍ଭାବନା ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା କୃଷି ଅଧିକାରୀ କୃଷି ଯାନ୍ତ୍ରିକୀକରଣ , ଜୈବ ସାର , ଜୈବ କୀଟନାଶକର ବ୍ୟବହାର ଏବଂ ଖାଦ୍ୟ ଅପମିଶ୍ରଣ ରୋକିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିପରି ମିଶନ ଶକ୍ତିର ‘ଲକ୍ଷପତି ଦିଦି’ ଯୋଜନା ଓ ସ୍ୱୟଂ ସହାୟକ ଗୋଷ୍ଠୀ ଭିତ୍ତିକ ଉଦ୍ୟୋଗ ସ୍ଥାପନର ସୁଯୋଗ ସମ୍ପର୍କରେ ଅବଗତ କରାଇଥିଲେ।
ସେହିପରି ସମସ୍ତ ଅତିଥିମାନେ ମଧ୍ୟ ନିଜ ନିଜ ବକ୍ତବ୍ୟରେ ଉଦ୍ୟୋଗ ସ୍ଥାପନ ଓ ଆତ୍ମନିଯୁକ୍ତିର ବିଭିନ୍ନ ସୁଯୋଗ ଉପରେ ଆଲୋକପାତ କରିଥିଲେ। ସେମାନେ ଯୁବକଯୁବତୀ ଓ ମହିଳାମାନଙ୍କୁ ନୂତନ ବ୍ୟବସାୟିକ ଧାରଣା ଆପଣାଇବା ସହ ସରକାରୀ ଯୋଜନା , ଆର୍ଥିକ ସହାୟତା ଏବଂ ଦକ୍ଷତା ବିକାଶ ପ୍ରଶିକ୍ଷଣର ସୁଯୋଗ ନେଇ ନିଜସ୍ୱ ଉଦ୍ୟୋଗ ସ୍ଥାପନ କରିବାକୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ ମାଧ୍ୟମରେ ଅଂଶଗ୍ରହଣକାରୀ ଯୁବକଯୁବତୀ , ମହିଳା ଉଦ୍ୟୋଗୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ନୂତନ ବ୍ୟବସାୟିକ ଧାରଣା , ସରକାରୀ ଯୋଜନା , ଆର୍ଥିକ ସହାୟତା ଏବଂ ଦକ୍ଷତା ବିକାଶ ପ୍ରଶିକ୍ଷଣର ସୁଯୋଗ ସମ୍ପର୍କରେ ଅବଗତ ହୋଇଥିଲେ। ଶେଷରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଶ୍ରୀ ବିଭୁରଞ୍ଜନ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିବା ସହ ସମସ୍ତ ଅତିଥି , ଅଂଶଗ୍ରହଣକାରୀ ଓ ସହଯୋଗୀମାନଙ୍କୁ କୃତଜ୍ଞତା ଜଣାଇଥିଲେ।

Leave A Reply

Your email address will not be published.