ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ ସେବା ଦିବସ–୨୦୨୬ ପାଳିତ

12

ନବରଙ୍ଗପୁର, ୧୦ ନଭେମ୍ବର ୨୦୨୬ -ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ପକ୍ଷରୁ ଆଜି ଜାତୀୟ ଆଇନ ସେବା ଦିବସ–୨୦୨୬ ପାଳିତ ହୋଇଯାଇଛି। ଏହି ଅବସରରେ ଆଇନଜୀବୀ, ବରିଷ୍ଠ ନାଗରିକ, ସାମାଜିକ କର୍ମୀ, ପାରାଲିଗାଲ୍ ସ୍ୱେଚ୍ଛାସେବୀ ଓ ପାନେଲ୍ ଆଇନଜୀବୀମାନେ ଯୋଗଦେଇଥିଲେ।
ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ ଶ୍ରୀ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭୀପ୍ସା ଗୋଛାୟତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ଆଇନ ସେବା ଦିବସର ମହତ୍ତ୍ୱ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।
ଚଳିତ ବର୍ଷର ଦିବସ ପାଳନର ବିଷୟବସ୍ତୁ ରହିଛି l ସମସ୍ତଙ୍କ ପାଇଁ ନ୍ୟାୟ, ଆଇନ ସଚେତନତା ମାଧ୍ୟମରେ ନିଷ୍ପେଷିତ ବର୍ଗର ସଶକ୍ତୀକରଣ । ନିଜ ବକ୍ତବ୍ୟରେ ସେ କହିଥିଲେ ଯେ, ସମାଜର ପ୍ରତ୍ୟେକ ବର୍ଗର ନାଗରିକଙ୍କ ପାଇଁ ନ୍ୟାୟ ପ୍ରାପ୍ତିର ସମାନ ସୁଯୋଗ ସୁନିଶ୍ଚିତ କରିବା ଆଇନ ସେବା ପ୍ରାଧିକରଣର ମୁଖ୍ୟ ଲକ୍ଷ୍ୟ। ଆର୍ଥିକ ଓ ସାମାଜିକ ଦୁର୍ବଳତା ଯୋଗୁଁ ଯେପରି କୌଣସି ବ୍ୟକ୍ତି ନ୍ୟାୟ ପାଇବାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଯୋଗ୍ୟ ବ୍ୟକ୍ତିମାନଙ୍କୁ ମାଗଣା ଆଇନ ସହାୟତା ଯୋଗାଇ ଦିଆଯାଉଛି। ଏଥିସହ ଲୋକ ଅଦାଲତ, ଦେୱାନୀ ପ୍ରକ୍ରିୟା ମଧ୍ୟସ୍ଥତା ନିୟମାବଳୀ–୨୦୦୭ ଏବଂ ସ୍ଥାୟୀ ଲୋକ ଅଦାଲତ ମାଧ୍ୟମରେ ଜନ ଉପଯୋଗୀ ସେବା ସମ୍ପର୍କିତ ବିଭିନ୍ନ ଆଇନଗତ ବ୍ୟବସ୍ଥା ବିଷୟରେ ସେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରିଥିଲେ।
କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ନବରଙ୍ଗପୁରର ଆଇନଜୀବୀ ଶ୍ରୀ ରାଜ କିଶୋର ନାଗ, ସାମାଜିକ କର୍ମୀ ଶ୍ରୀମତୀ ମନୋରମା ମାଝୀ, ଜେ.ଇ.ଏଲ୍.ସି. ନବରଙ୍ଗପୁରର ସଭାପତି ଶ୍ରୀ ନଗେନ୍ଦ୍ର ପଟ୍ଟନାୟକ, ଶ୍ରୀ ଯୁଧିଷ୍ଠିର ନାୟକ, ପାରାଲିଗାଲ୍ ସ୍ୱେଚ୍ଛାସେବୀ ଓ ପାନେଲ୍ ଆଇନଜୀବୀମାନେ ଯୋଗଦେଇଥିଲେ।
ଶେଷରେ ଜେ.ଇ.ଏଲ୍.ସି. ନବରଙ୍ଗପୁରର ସଭାପତି ଶ୍ରୀ ନଗେନ୍ଦ୍ର ପଟ୍ଟନାୟକ ଉପସ୍ଥିତ ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ପକ୍ଷରୁ ସମଗ୍ର କାର୍ଯ୍ୟକ୍ରମର ପରିଚାଳନା କରାଯାଇଥିଲା।

Leave A Reply

Your email address will not be published.