ଓଡ଼ଗାଁ ରଘୁନାଥ ଜିଉଙ୍କ ପାରମ୍ପରିକ ଗିରି ଗୋବର୍ଦ୍ଧନ ଉତ୍ସବ ପାଳିତ,

22

୧୨ ବୋଝ ଚୁଡ଼ାଘଷା ଓ ୩ ଆଟିକା ଦୁଗ୍ଧ ଚୁଡ଼ା ଭୋଗ ଲାଗି,

ଓଡ଼ଗାଁ, ୧୦।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁର ପ୍ରସିଦ୍ଧ ସ୍ବର୍ଣ୍ଣ କଳଶ କ୍ଷେତ୍ର ଅଧିଶ୍ବର ପ୍ରଭୁ ଶ୍ରୀ ରଘୁନାଥ ଜିଉଙ୍କ ପାରମ୍ପରିକ ଗିରି ଗୋବର୍ଦ୍ଧନ ଉତ୍ସବ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ମଧ୍ୟରେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ମନ୍ଦିରରେ ପ୍ରଭୁଙ୍କ ସନ୍ଧ୍ୟା ଆଳତି ସମ୍ପନ୍ନ ହେବା ପରେ ତିନି ଠାକୁରଙ୍କ ଚଳନ୍ତି ପ୍ରତିମା ସିଂହାସନରୁ ଓହ୍ଲାଇ ବିମାନରେ ବିଜେ କରିଥିଲେ। ପରେ ରୋଷଣିର ଆଲୋକମାଳା, ଘଣ୍ଟଘଣ୍ଟା, ମୃଦଙ୍ଗ ଓ କାହାଳୀର ଆଧ୍ୟାତ୍ମିକ ଧ୍ବନି ସାଙ୍ଗକୁ ଛତି, ତ୍ରାସ ଓ ପାରମ୍ପରିକ ବାଦ୍ୟବାଜଣାର ତାଳେ ତାଳେ ଠାକୁରଙ୍କ ନଗର ପରିକ୍ରମା ହୋଇଥିଲା। ଏକ ଭବ୍ୟ ଶୋଭାଯାତ୍ରାରେ ଠାକୁରମାନେ ତତ୍କାଳୀନ ଦଶହରା ପଡ଼ିଆ ତଥା ବର୍ତ୍ତମାନର ତହସିଲ କାର୍ଯ୍ୟାଳୟ ପରିସରରେ ଥିବା ପୂଜା ମଣ୍ଡପରେ ବିଜେ କରିଥିଲେ। ସେଠାରେ ମନ୍ଦିର ପରିଚ୍ଛାଙ୍କ ଦ୍ବାରା ସଂସ୍କାର ହୋମ ସମ୍ପନ୍ନ ହେବା ପରେ ପ୍ରଭୁଙ୍କ ସାମ୍ନାରେ ମନ୍ଦିର ସେବାସୀ ମାନଙ୍କ ଦ୍ଵାରା ୧୨ ବୋଝ ଚୁଡ଼ାଘଷା ଓ ୩ ଆଟିକା ଦୁଗ୍ଧ ଚୁଡ଼ା ପ୍ରସ୍ତୁତ କରି ଭୋଗ ଲାଗି କରାଯାଇଥିଲା। ପୂଜାପଣ୍ଡା ବେଣୁଧର ନନ୍ଦ ପାରମ୍ପରିକ ବିଧିବିଧାନ ଓ ଯଥାବିଧି ଉପଚାର ଅନୁଯାୟୀ ପ୍ରଭୁଙ୍କୁ ରାଜଭୋଗ ଅର୍ପଣ କରିଥିଲେ। ଉତ୍ସବରେ ତହସିଲଦାର ମାନସ ରଞ୍ଜନ ଭୋଇ, ଅତିରିକ୍ତ ତହସିଲଦାର ଜି ଶ୍ରୀନୁ, ପୂଜକ ପରିଷଦ ସଭାପତି ପ୍ରଫୁଲ୍ଲ ମହାପାତ୍ର, ମନ୍ଦିର ସୁପରଭାଇଜର ଜୀତେନ୍ଦ୍ର ମିଶ୍ରଙ୍କ ସମେତ ରଙ୍ଗଣୀପାଟଣା ସୁବୁଦ୍ଧି ପରିବାରର ପ୍ରତିନିଧି ଓ ଓଡ଼ଗାଁ ପୋଲିସ ପ୍ରଶାସନ ଉପସ୍ଥିତ ରହି ଉତ୍ସବରେ ସହଯୋଗ କରିଥିଲେ। ସୂଚନାଯୋଗ୍ୟ, ରଙ୍ଗଣୀପାଟଣା ବଡ଼ସାହିର ସୁବୁଦ୍ଧି ପରିବାର ପକ୍ଷରୁ ଦୀର୍ଘ ଶହେ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ବଂଶାନୁକ୍ରମିକ ଭାବେ ଦୀପାବଳି ଅମାବାସ୍ୟାର ପରଦିନ ରାତିରେ ଏହି ଗିରି ଗୋବର୍ଦ୍ଧନ ପୂଜା ଉତ୍ସବ ପାଳନ କରାଯାଇଆସୁଛି। ତେବେ ସୋମବାର ଅମାବାସ୍ୟା ଲାଗିଥିବାରୁ ଏହାକୁ ଚଳିତବର୍ଷ ମଙ୍ଗଳବାର ଦିନ ପାଳନ କରାଯାଇଥିଲା। ଏହି ପରମ୍ପରା ଓଡ଼ଗାଁର ଧାର୍ମିକ ତଥା ସାଂସ୍କୃତିକ ଐତିହ୍ୟର ଏକ ଅନନ୍ୟ ପରିଚୟ ବହନ କରୁଛି। ପୂର୍ବ ବିଧାନ ଅନୁଯାୟୀ ଉତ୍ସବରେ ଲାଗି ହୋଇଥିବା ମୋଟ ଭୋଗର ଅଧା ଅଂଶ ସାଧାରଣ ଭକ୍ତଙ୍କ ମଧ୍ୟରେ ବଣ୍ଟନ କରାଯାଇଥିବା ବେଳେ ଅବଶିଷ୍ଟ ଭୋଗ ଦାତା, ମନ୍ଦିର ପ୍ରଶାସନ, ପୂଜକ ପରିଷଦ ଓ ସେବକ ସୁଆର ପରିଷଦ ମଧ୍ୟରେ ପାରମ୍ପରିକ ବ୍ୟବସ୍ଥା ଅନୁଯାୟୀ ବଣ୍ଟନ କରାଯାଇଥାଏ। ଏହି ଉତ୍ସବ ଓଡ଼ଗାଁର ପୁରାତନ ଧାର୍ମିକ ପରମ୍ପରା ଓ ସାମାଜିକ ସଦ୍‌ଭାବର ଏକ ନିଦର୍ଶନ ଭାବେ ପ୍ରତିଫଳିତ ହୋଇଛି।

Leave A Reply

Your email address will not be published.