ଜଗତସିଂହପୁର, ତା ୧୦.୧୧.୨୦୨୬: ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧୀକରଣର ତରଫରୁ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣ ଅଧ୍ଯକ୍ଷ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ ପତକା ଦେଖାଇ ଏକ ସଚେତନତା ରଥକୁ ଶୁଭାରମ୍ଭ କରିଥିଲେ । ଏହି ରଥ ନଗର ପରିକ୍ରମା କରିଥିଲା । ଏହାପରେ ଜିଲ୍ଲା ଅଦାଲତର ସଭାଗୃହରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଜଜ୍ ଶ୍ରୀ ନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସଭାରେ ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ବିଭୁ ପ୍ରସାଦ ପଣ୍ଡା, ଜିଲ୍ଲା ଓକିଲ ସଂଘ ସଭାପତି ରବୀନ୍ଦ୍ରନାଥ ସ୍ଵାଇଁ, ସମ୍ପାଦକ ସରୋଜ କୁମାର ବିଶ୍ଵାଳ, ସି.ଜେ.ମ୍ ନରୋତ୍ତମ ଶେଠୀ, ମହିଳା ଅଦାଲତ ବିଚାରପତି ପ୍ରଜ୍ଞା ପରମିତା ମହାପାତ୍ର, ସବ ଜଜ୍ ଶ୍ରୀ ରାକେଶ କୁମାର ମୁଦୁଲି, ଆଇନ ସେବା ପ୍ରାଧିକରଣ ସଚିବ ବିଡିଡି ଚନ୍ଦନା, ଏସ.ଡି.ଯେ.ଏମ୍ ପ୍ରତ୍ୟୁଷ କୁମାର ଚାନ୍ଦ, ଜେ.ଏମ.ଏସ.ସି ଶ୍ରୀୟଙ୍କା ଦାଶ, ବରିଷ୍ଠ ଆଇନଜୀବୀ, ପାରା ଲିଗାଲ୍ ସ୍ବେଛାସେବୀ, ଜିଲ୍ଲା ଅଦାଲତାର କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ଜିଲ୍ଲା ଜଜ୍ ତାଙ୍କ ବକ୍ତବ୍ୟରେ କହିଥିଲେ ଜେ ସମ୍ବିଧାନର ଧାରା “୩୯-କ” କୁ ଦୃଷ୍ଟିରେ ରଖି ଭାରତ ସରକାର ୧୯୮୭ ମସିହାରେ “ଆଇନ ସେବା ପ୍ରାଧିକରଣ ଅଧିନିୟମ” ନାମରେ ଏକ ଆଇନ ପ୍ରଣୟନ କରିଛନ୍ତି । ଏହି ଅଧିନିୟମ ୧୯୯୫ ମସିହାରୁ କାର୍ଯ୍ୟକ୍ଷମ ହୋଇ ବଳବତର ରହିଛି । ଏହି ଆଇନ ବଳରେ ଜାତୀୟ ସ୍ତରରୁ ଆରମ୍ଭ କରି ଜିଲ୍ଲା ସ୍ତର ଓ ତାଲୁକ ସ୍ତରରେ ଆଇନ ସେବା ପ୍ରାଧିକରଣ ଅଥବା ଆଇନ ସେବା କମିଟିମାନ ଗଠନ କରାଯାଇ ତାଙ୍କ ଜରିଆରେ ନିଃଶୁଳ୍କ ଆଇନ ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ପ୍ରତି ରାଜ୍ୟରେ ହାଇକୋର୍ଟ ପରିସରରେ ଏବଂ ନ୍ୟାୟାଳୟ ପରିସରରେ ମଧ୍ୟ ଆଇନ ସେବା କମିଟି କାର୍ଯ୍ୟକ୍ଷମ ରହିଛି । ସମସ୍ତ ମହିଳା, ଶିଶୁ, ତଫସିଲ ଭୁକ୍ତ ଜାତି ଓ ଉପଜାତି, ବିଚାରଧୀନ ବନ୍ଦୀ, ପ୍ରକୃତିକ ବିପର୍ଜୟରେ କ୍ଷତିଗ୍ରସ୍ତ ହୋଇଥିବା ବ୍ୟକ୍ତି, ଏଡ୍ସ ରୋଗୀ, ଏବଂ ବାର୍ଷିକ ଆୟ ୩ ଲକ୍ଷ ଟଙ୍କାରୁ କମ୍ ଥିବା ବ୍ୟକ୍ତିମାନେ ନିଶୁଳ୍କ ଆଇନ ସେବା ପାଇପାରିବେ ବୋଲି ଜିଲ୍ଲା ଜଜ୍ ଶ୍ରୀ ନାୟକ କହିଛନ୍ତି । ଜିଲ୍ଲା ଓକିଲ ସଂଘ ସଭାପତି ଶ୍ରୀ ସ୍ଵାଇଁ କିପରି ମାଗଣାରେ ଆଇନ ସେବା ଦିଆ ଯାଇପାରିବ ଏହି ବିଷୟରେ ବୁଝାଇଥିଲେ । ଅନ୍ଯତମ ବକ୍ତା ଭାବେ ବରିଷ୍ଠ ଆଇନଜୀବୀ ଶ୍ରୀ ନଲିନୀ ରଞ୍ଜନ ମହାପାତ୍ର ଆଇନ ସେବା ପ୍ରାଧିକରଣ ବିଷୟରେ ସଚେତନ କରାଇଥିଲେ । ଜେ.ଏମ.ଏସ.ସି ଶ୍ରୀୟଙ୍କା ଦାଶ ଏହି ଦିବସର ଆଭିମୁଖ୍ଯ ବିଷୟରେ ଆଲୋଚନା କରିଥିଲେ । ମହିଳା ଅଦାଲତ ବିଚାରପତି ଶ୍ରୀମତୀ ମହାପାତ୍ର ଆଇନ ସେବା ପ୍ରାଧିକରଣର ଦାଇତ୍ଵ ଓ କର୍ତବ୍ଯ ବିଷୟରେ ସଚେତନ କରାଇଥିଲେ । ପ୍ରାଧିକରଣ ସଚିବ ବିଡିଡି ଚନ୍ଦନା କେଉଁ ବର୍ଗର ବ୍ୟକ୍ତି ନିଃଶୁଳ୍କ ଆଇନ ସେବା ପାଇପାରିବେ ଏହି ବିଷୟରେ ଆଲୋଚନା କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.