୪୦ରୁ ଊର୍ଦ୍ଧ୍ୱ ଖେଳାଳିଙ୍କ ଅଂଶଗ୍ରହଣ, କୃତୀ ପ୍ରତିଯୋଗୀ ପୁରସ୍କୃତ
ଓଡ଼ଗାଁ, ୫।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁରେ କ୍ରୀଡ଼ାର ବିକାଶ ଓ ଯୁବ ପ୍ରତିଭାଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଜିଲ୍ଲାସ୍ତରୀୟ ୧୪ତମ ଚେସ୍ ପ୍ରତିଯୋଗିତା ସହ ଜୁନିୟର ବ୍ୟାଡମିଣ୍ଟନ ଚମ୍ପିୟନସିପ୍ ଅନୁଷ୍ଠିତ ହୋଇଯାଇଛି। ରଘୁନାଥ ଆଥଲେଟିକ୍ ଆସୋସିଏସନ୍ର ସମ୍ପାଦକ ତଥା କ୍ରୀଡ଼ା ସଂଗଠକ ଦିବାକର ନାଏକଙ୍କ ଜନ୍ମଦିନ ଅବସରରେ ଏହି ଦୁଇଟି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଓଡ଼ଗାଁ ସରକାରୀ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ଚେସ୍ ପ୍ରତିଯୋଗିତାକୁ ଆଦର୍ଶ ଥାନା ଅଧିକାରୀ ସତ୍ୟନାରାୟଣ ବାରିକ ଓ ସବ୍ଇନ୍ସପେକ୍ଟର ଚକ୍ରଧର ସିଂ ଉଦ୍ଘାଟନ କରିଥିଲେ। ସିନିୟର ବିଭାଗରେ ଜିତେନ୍ଦ୍ର କୁମାର ଦାଶ ଚମ୍ପିୟାନ ହୋଇଥିବାବେଳେ ସ୍ୱୟଂ ପ୍ରକାଶ ସାହୁ ପ୍ରଥମ ରନର୍ସଅପ୍ ଓ ମୃତ୍ୟୁଞ୍ଜୟ ସାହୁ ଦ୍ୱିତୀୟ ରନର୍ସଅପ୍ ହୋଇଥିଲେ। ସେମାନଙ୍କୁ ଯଥାକ୍ରମେ ୨୫୦୦, ୧୮୦୦ ଓ ୧୫୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା। ସେହିପରି ୧୭ ବର୍ଷରୁ କମ୍ ବାଳକ ବିଭାଗରେ ଅର୍ଣ୍ଣବ ଦୋରା ଚମ୍ପିୟାନ, ପ୍ରତ୍ୟୁଷ ରଞ୍ଜନ ନାୟକ ପ୍ରଥମ ରନର୍ସଅପ୍ ଓ ଓମ୍ ପ୍ରକାଶ ପାଣିଗ୍ରାହୀ ଦ୍ୱିତୀୟ ରନର୍ସଅପ୍ ହୋଇଥିଲେ। ସେମାନଙ୍କୁ ଯଥାକ୍ରମେ ୨୦୦୦, ୧୫୦୦ ଓ ୧୦୦୦ ଟଙ୍କା ସହ ଟ୍ରଫି ଦିଆଯାଇଥିଲା। ବାରିପଦାର ସଞ୍ଜୀବ କୁମାର ମହାନ୍ତ ଓ ଅଭିଷେକ ଆଚାର୍ଯ୍ୟ ଆର୍ବିଟର ଭାବେ ଖେଳ ପରିଚାଳନା କରିଥିଲେ।

ଅନ୍ୟପକ୍ଷରେ ଆଜିର ଏହି ଅବସରରେ ଓଡ଼ଗାଁ ଇନ୍ଡୋର ଷ୍ଟାଡିୟମ ପରିସରରେ ୧୩, ୧୫, ୧୭ ଓ ୧୯ ବର୍ଷରୁ କମ୍ ବର୍ଗର ଜୁନିୟର ବ୍ୟାଡମିଣ୍ଟନ ଚମ୍ପିୟନସିପ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ୪୦ରୁ ଊର୍ଦ୍ଧ୍ୱ ଖେଳାଳି ଅଂଶଗ୍ରହଣ କରିଥିଲେ। ୧୯ ବର୍ଷରୁ କମ୍ ବାଳକ ବିଭାଗରେ ଅଂଶୁମାନ ନାୟକ ପ୍ରଥମ ଓ ହିମାଂଶୁ ଶେଖର ଦାସ ଦ୍ୱିତୀୟ ସ୍ଥାନ ହାସଲ କରିଥିବାବେଳେ ବାଳିକା ବିଭାଗରେ ସୁନୀତା ପଣ୍ଡା ପ୍ରଥମ ଓ ଦୀପ୍ତିଦୀପ୍ସିତା ଦ୍ୱିତୀୟ ହୋଇଥିଲେ। ୧୭ ବର୍ଷରୁ କମ୍ ବାଳକ ବିଭାଗରେ ଅଂଶୁମାନ ନାୟକ ପ୍ରଥମ ଓ ହିମାଂଶୁ ଶେଖର ଦାସ ଦ୍ୱିତୀୟ ହୋଇଥିବାବେଳେ ବାଳିକା ବିଭାଗରେ ଓଜସ୍ୱିନୀ ମହାପାତ୍ର ପ୍ରଥମ ଓ ରୋଜାଲିନ ପ୍ରଧାନ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ୧୫ ବର୍ଷରୁ କମ୍ ବାଳକ ବିଭାଗରେ ବିଶ୍ୱରଞ୍ଜନ ବେହେରା ପ୍ରଥମ ଓ ଚିନ୍ମୟ କୁମାର ସାହୁ ଦ୍ୱିତୀୟ ହୋଇଥିବାବେଳେ ବାଳିକା ବିଭାଗରେ ଅଲିସା ବିଶୋଇ ପ୍ରଥମ ଓ ଋତୁପର୍ଣ୍ଣା ବେହେରା ଦ୍ୱିତୀୟ ହୋଇଥିଲେ। ୧୩ ବର୍ଷରୁ କମ୍ ବାଳକ ବିଭାଗରେ ସମରଜିତ ନାୟକ ପ୍ରଥମ ଓ ରୋନକ ସାହୁ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ। ପରେ ବ୍ଲକ ରୋଡସ୍ଥିତ କଲ୍ୟାଣୀ ମଣ୍ଡପଠାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ଦିବାକର ନାଏକ, ଇନ୍ଡୋର ଷ୍ଟାଡିୟମ ଇନ୍ଚାର୍ଜ ତଥା ବ୍ୟାଡମିଣ୍ଟନ କୋଚ୍ ସୋନାଲୀ ସାହୁ ପ୍ରମୁଖ ଉପସ୍ଥିତ ରହି କୃତୀ ଖେଳାଳିମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ।
ଖେଳମଣିଷ ଦିବାକର ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କ୍ରୀଡ଼ା କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ତାଙ୍କର ଜନ୍ମଦିନ ପାଇଁ ସ୍ବତନ୍ତ୍ର ଭାବେ ଛେନାପୋଡ଼ ଓ କେକ୍ କାଟି ପ୍ରତିଯୋଗି ଏବଂ ଶୁଭେଚ୍ଛୁ ମାନେ ଶୁଭେଚ୍ଛା ଜଣାଇଥିଲେ। ଜିତେନ୍ଦ୍ର ଦାଶ, ଗଙ୍ଗାଧର ଦାଶ, ପ୍ରକାଶ ଦାଶ, ବସନ୍ତ ବିଶୋଇ, ନରେଶ ପାଣିଗ୍ରାହୀ, ଅରୂପ ପାଣିଗ୍ରାହୀ ଓ ଶଶୀକାନ୍ତ ଶତପଥୀ ସହଯୋଗ କରିବା ସହ ରଞ୍ଜନ କୁମାର ଦାଶ, ପଞ୍ଚାନନ ପଣ୍ଡା, ଶରତ ଚନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହିଥିଲେ।