ବାହାଡ଼ାଝୋଲା ମଦ ଦୋକାନ ଚୋରି ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ,

19
  • ବାଇକ୍‌ ଓ ଶାବଳ ଜବତ,ପୂର୍ବରୁ ପୋଲିସକୁ ଦେଇଥିଲେ ଚ୍ୟାଲେଞ୍ଜ,
  • ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ, ଏଥର ମୋବାଇଲ ନଥାଇ ମଧ୍ୟ ଧରାପଡ଼ିଲେ,

ଓଡ଼ଗାଁ, ୫।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ବାହାଡ଼ାଝୋଲାସ୍ଥିତ ଏକ ଠିପିଖୋଲା ବିଦେଶୀ ମଦ ଦୋକାନରୁ ଚୋରି ଘଟଣାର ପର୍ଦ୍ଦାଫାଶ କରିବାରେ ଓଡ଼ଗାଁ ପୋଲିସକୁ ସଫଳତା ମିଳିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ବବୁଲ ଦଳେଇ (୨୨)କୁ ପୋଲିସ ଗିରଫ କରିବା ସହ ଚୋରିରେ ବ୍ୟବହୃତ ଏକ ବାଇକ୍‌ ଓ ଶାବଳ ଜବତ କରିଛି। ଗିରଫ ଅଭିଯୁକ୍ତର ଘର ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ବୁରୁପଡ଼ା ଗ୍ରାମରେ ବୋଲି ଜଣାପଡ଼ିଛି। ପୋଲିସ ସୂଚନା ଅନୁଯାୟୀ, ଚୋରି ଘଟଣା ପରଠାରୁ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଳାଇଥିଲା। ଏହି କ୍ରମରେ ବୁଧବାର ବିଳମ୍ବିତ ରାତିରେ ଫତେଗଡ଼ ନିକଟରେ ଓଡ଼ି ୨୫ ପିଓ ୫୩୫ ନମ୍ବର ବିଶିଷ୍ଟ ଏକ ବାଇକ୍‌ରେ ତିନିଜଣ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା। ତେବେ ବାଇକ୍‌ରେ ଥିବା ଅନ୍ୟ ଦୁଇଜଣ ଖସି ପଳାଇଥିବା ବେଳେ ବବୁଲ ଦଳେଇ ଧରାପଡ଼ିଥିଲା। ପୋଲିସ ତାକୁ ଥାନାକୁ ଆଣି ପଚରାଉଚରା ପରେ ସମସ୍ତ ପ୍ରକ୍ରିୟା ସାରି ଗିରଫ କରିଛି। ଫେରାର ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ସହ ଘଟଣାରେ ସମ୍ପୃକ୍ତ ଅନ୍ୟ ଦିଗଗୁଡ଼ିକର ତଦନ୍ତ ଜାରି ରହିଛି। ସୂଚନାଯୋଗ୍ୟ, ଗତ ୧ ତାରିଖ ରାତି ପ୍ରାୟ ସାଢ଼େ ୨ଟା ସମୟରେ ମୁଖାପିନ୍ଧା ଚୋର ଦଳ ବାହାଡ଼ାଝୋଲାସ୍ଥିତ ଉକ୍ତ ମଦ ଦୋକାନରେ କଳାକନା ବୁଲାଇଥିଲେ। ଚୋରମାନେ ପ୍ରଥମେ ଆଖପାଖ ଅଞ୍ଚଳରେ ଥିବା ସିସିଟିଭି କ୍ୟାମେରା ସହ ମଦ ଦୋକାନର କ୍ୟାମେରା ଭାଙ୍ଗି ଦେଇଥିଲେ। ଏପରିକି ଦୋକାନ ଉପର ମହଲାରେ ବିଶ୍ରାମ ନେଉଥିବା ରାତ୍ର ଜଗୁଆଳଙ୍କ କୋଠରିକୁ ବାହାର ପଟୁ ବନ୍ଦ କରିବା ପରେ ଦୋକାନର ତାଲା ଭାଙ୍ଗିଥିଲେ। ଏହାପରେ ଦୋକାନରୁ ପ୍ରାୟ ୪୫ ହଜାର ଟଙ୍କା ଓ ଦୁଇ ପେଟି ଦାମୀ ବିଦେଶୀ ମଦ ଲୁଟି ନେଇଥିଲେ। ଏଥିସହିତ ଦୋକାନକୁ ଲାଗି ରହିଥିବା ଫାଷ୍ଟଫୁଡ୍‌ ଦୋକାନରୁ ମଧ୍ୟ ଟଙ୍କା ଚୋରି କରିଥିଲେ। ଏନେଇ ଦୋକାନ ମାଲିକ ଭାଗବତ ପ୍ରଧାନ ଓଡ଼ଗାଁ ଥାନାରେ ଅଭିଯୋଗ କରିବା ପରେ ପୋଲିସ କେସ୍‌ ନଂ ୪୧୯/୨୬ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ଉଲ୍ଲେଖଯୋଗ୍ୟ, ଗିରଫ ବବୁଲ ଦଳେଇ ପୂର୍ବରୁ ମଧ୍ୟ ଏକ ସାତଜଣିଆ ଚୋର ଦଳ ସହ ମିଶି ଓଡ଼ଗାଁ ଥାନା ଅଞ୍ଚଳରେ ମଦ ଦୋକାନ ଲୁଟ୍‌ ଘଟଣାରେ ସମ୍ପୃକ୍ତ ଥିଲା। ୨୦୨୫ ଅକ୍ଟୋବର ୧ ତାରିଖରେ ଓଡ଼ଗାଁ ସିନେମା ହଲ୍‌ ଛକରେ ଥିବା ଦୁଇଟି ଏବଂ ରୋହିବାଙ୍କଠାରେ ଥିବା ଗୋଟିଏ ବିଦେଶୀ ମଦ ଦୋକାନରୁ ଲକ୍ଷାଧିକ ଟଙ୍କା ଓ ମଦ ଲୁଟ୍‌ ହୋଇଥିଲା। ଏହି ଘଟଣାରେ ପୋଲିସ ଅକ୍ଟୋବର ୧୭ ତାରିଖରେ ସମସ୍ତ ସାତଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହି ସମୟରେ ଅଭିଯୁକ୍ତମାନେ ପୋଲିସକୁ ଚ୍ୟାଲେଞ୍ଜ ଦେଇ କହିଥିଲେ ଯେ, ପୂର୍ବଥର ମୋବାଇଲ ଫୋନ୍‌ ଥିବାରୁ ପୋଲିସ ସେମାନଙ୍କୁ ଧରିପାରିଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ମୋବାଇଲ ନରଖି ଚୋରି କରିବେ ଏବଂ ଧରାପଡ଼ିବେ ନାହିଁ। ତେବେ ଏଥର ମୋବାଇଲ ଫୋନ୍‌ ବ୍ୟବହାର ନକରି ମଧ୍ୟ ପୋଲିସ ତଦନ୍ତରେ ଧରାପଡ଼ିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପୋଲିସର ନିରନ୍ତର ଚେଷ୍ଟା ଫଳରେ ଅଭିଯୁକ୍ତ ଗିରଫ ହେବାରେ ସଫଳ ହୋଇଥିବା ଜଣାପଡ଼ିଛି।

Leave A Reply

Your email address will not be published.