ଭୁବନେଶ୍ୱର, ୫ ।୧୧: ‘ଇଣ୍ଡିଆ ଟ୍ରେକ୍ ଫର ଗ୍ଲୋବାଲ ଲିଡର୍ସ’ କାର୍ଯ୍ୟକ୍ରମରେ ଭାରତ ଆସିଥିବା ୨୦ ଜଣିଆ ଉଚ୍ଚସ୍ତରୀୟ ଇସ୍ରାଏଲୀୟ ପ୍ରତିନିଧି ଦଳ ଆଜି କିଟ୍ ଓ କିସ୍ ପରିଦର୍ଶନ କରିଛନ୍ତି। ସେମାନେ କିଟ୍ର ବିଭିନ୍ନ କ୍ୟାମ୍ପସ୍ ବୁଲି ଦେଖିବା ସହ କିସ୍ର ବିଭିନ୍ନ ୟୁନିଟ୍ ପରିଦର୍ଶନ କରିଥିଲେ। ଗତ କାଲି ଏହି ପ୍ରତିନିଧି ଦଳ କିଟ୍ ଓ କିସ୍ ପରିଦର୍ଶନ ପାଇଁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ। ଏହି ପ୍ରତିନିଧିମଣ୍ଡଳୀରେ ଶିକ୍ଷା, ସ୍ୱାସ୍ଥ୍ୟ, ଗବେଷଣା, ବ୍ୟାଙ୍କିଂ, ଆଇଟି ଆଦି କ୍ଷେତ୍ରରେ ଇସ୍ରାଏଲ୍ର ବହୁ ବିଶ୍ୱସ୍ତରୀୟ ପ୍ରତିଷ୍ଠିତ ବ୍ୟକ୍ତି କିଟ୍ ଓ କିସ୍ ପରିଦର୍ଶନ କାର୍ଯ୍ୟକ୍ରମରେ ସାମିଲ୍ ହୋଇଛନ୍ତି ।
ପୂର୍ବରୁ କିଟ୍, କିସ୍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଶିକ୍ଷା ମାଧ୍ୟମରେ ସମାଜର ବିକାଶ ପାଇଁ ଜୀବନବ୍ୟାପୀ କାର୍ଯ୍ୟ ବିଷୟରେ ସେମାନେ ଅବଗତ ଥିଲେ। ଆଜି କିଟ୍ ଓ କିସ୍ ପରିଦର୍ଶନ କରି ସେମାନେ ଅଭିଭୂତ ହୋଇପଡ଼ିଥିଲେ। ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କିସ୍ର ୪୦ ହଜାର ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ ସେମାନେ କହିଲେ, ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ନିଜର ଦୃଢ଼ ଇଚ୍ଛା ଶକ୍ତି ବଳରେ କିସ୍ ଭଳି ବିଶ୍ୱସ୍ତରୀୟ ଅନୁଷ୍ଠାନ ଗଢ଼ି ପାରିବେ। ଦୁନିଆରେ ଅନେକ ଲୋକଙ୍କ ପାଖରେ ଭଲ ବିଚାର ଓ ବଡ଼ ସ୍ୱପ୍ନ ରହିଛି। କିନ୍ତୁ ସେହି ସ୍ୱପ୍ନକୁ ବାସ୍ତବ ରୂପ ଦେବାର କ୍ଷମତା ଖୁବ୍ କମ୍ ଲୋକଙ୍କ ପାଖରେ ଥାଏ। ଅଚ୍ୟୁତ ସାମନ୍ତ ଏହାର ଏକ ଉଦାହରଣ। ଶିକ୍ଷା, ମାନବସେବା ଓ ଅବହେଳିତ ସଂପ୍ରଦାୟର ସଶକ୍ତୀକରଣ କ୍ଷେତ୍ରରେ ଶ୍ରୀ ସାମନ୍ତଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ହାର୍ଭାର୍ଡ କ୍ଲବ୍ ଅଫ୍ ଇସ୍ରାଏଲ ଏବଂ ଇସ୍ରାଏଲ୍ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ପକ୍ଷରୁ ତାଙ୍କୁ ସମ୍ମାନୀତ କରାଯାଇଥିଲା। ଅତିଥିମାନେ ଶ୍ରୀ ସାମନ୍ତଙ୍କ ଦୂରଦୃଷ୍ଟି ଓ ମାନବସେବାକୁ ଉଚ୍ଚ ପ୍ରଶଂସା କରିଥିଲେ।
ସୂଚନାଯୋଗ୍ୟ, ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଅନୁମତି କ୍ରମେ ଏମାନେ ଭାରତ ପରିଦର୍ଶନ କରୁଛନ୍ତି । ଏହା ସହ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏମାନଙ୍କ ସମସ୍ତ ଗସ୍ତ ଖର୍ଚ୍ଚ ବହନ କରିଥାନ୍ତି। ଏହି ୧୨ ଦିନିଆ କାର୍ଯ୍ୟକ୍ରମରେ ସେମାନେ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ଦର୍ଶନୀୟ ସ୍ଥାନ ମଧ୍ୟ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି। କିଟ୍ ଓ କିସ୍ ରେ ରହଣି ସମୟରେ ସେମାନେ ଏଠାକାର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କ ସହ ଜ୍ଞାନ ବିନିମୟ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହଙ୍କ ସମେତ କିଟ୍ ଓ କିସ୍ର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।