ବନେଇକଳାରେ ଆଦିବାସୀଙ୍କ ଜମି ଜବରଦଖଲ ଅଭିଯୋଗ, ତଦନ୍ତ ରିପୋର୍ଟ ମାଗିଲେ ଉପଜିଲ୍ଲାପାଳ

8


କେନ୍ଦୁଝର,ତା୫/୧୧- ବଡ଼ବିଲ ତହସିଲ ଅନ୍ତର୍ଗତ ବନେଇକଳା ଗ୍ରାମରେ ଜଣେ ଆଦିବାସୀଙ୍କ ଜମି ଜବରଦଖଲ ଅଭିଯୋଗ ଉପରେ ଉପଜିଲ୍ଲାପାଳ ଚମ୍ପୁଆ ତହସିଲଦାରଙ୍କୁ ଏକ ମାସ ମଧ୍ୟରେ ପଦକ୍ଷେପ ନେଇ ରିପୋର୍ଟ ଦାଖଲ କରିବାକୁ ଆଦେଶ ଦେଇଛନ୍ତି। ଜମିର ସୁରକ୍ଷା କରିବା ସହ ଏହାକୁ ଜମି ସ୍ୱତ୍ୱାଧିକାରୀଙ୍କୁ ହସ୍ତାନ୍ତର କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ଉକ୍ତ ଆଦିବାସୀ ଜମିରେ ଏକ ସତ୍‌ସଙ୍ଗ ମନ୍ଦିର ଚାଲିଥିବା ଅଭିଯୋଗ ହୋଇଛି। ବନେଇକଳା ମୌଜାର ୟୁନିଟ୍‌-୧ରେ ମଙ୍ଗଳୁ ନାଏକଙ୍କ ଜମିରେ ବେଆଇନ ଜବରଦଖଲ ହୋଇଥିବା ନେଇ ଉପଜିଲ୍ଲାପାଳ ଚମ୍ପୁଆଙ୍କ ଅଦାଲତରେ ଅଭିଯୋଗ ହୋଇଥିଲା। ଆଦିବାସୀଙ୍କ ଜମି ଜବରଦଖଲ କିମ୍ବା କିଣାବିକା କରାଯାଇପାରିବ ନାହିଁ ବୋଲି ସରକାରୀ ନିୟମ ରହିଛି। ଅଭିଯୋଗ ପରେ ତଦନ୍ତ ପାଇଁ ବଡ଼ବିଲ ତହସିଲଦାରଙ୍କୁ ଆଦେଶ ଦିଆଯାଇଥିଲା। ତହସିଲଦାର ୧୨-୧୨-୨୦୨୪ର ଚିଠି ନମ୍ବର ୫୩୨୦/୬ରେ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ।
ରିପୋର୍ଟ ଅନୁଯାୟୀ, ମଙ୍ଗଳୁ ନାଏକଙ୍କ ଖାତା ନମ୍ବର ୧୪୪, ପ୍ଲଟ୍‌ ନମ୍ବର ୧୧୯୧ର ମୋଟ ୦.୩୦୦ ଡେସିମିଲ ଜମିରୁ ୦.୧୦୦ ଡେସିମିଲ ଜମିକୁ ମଦନ ମୋହନ ବାରିକ ଜବରଦଖଲ କରି ସତ୍‌ସଙ୍ଗ ମନ୍ଦିରର ଟିଣ ଛପର ଘର ନିର୍ମାଣ କରିଛନ୍ତି। ଅନ୍ୟ ଜଣେ ୦.୦୩୦ ଡେସିମିଲ ଜମି ଜବରଦଖଲ କରି ପାଇଖାନା ଓ ସେପ୍ଟିକ୍‌ ଟାଙ୍କି ତିଆରି କରିଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି।
ଏହି ରିପୋର୍ଟ ଆଧାରରେ ଉପଜିଲ୍ଲାପାଳ ୩୧ ଜାନୁଆରୀ ୨୦୨୫ରେ ଜମିର ସୁରକ୍ଷା କରିବା, ଏହାକୁ ମଙ୍ଗଳୁ ଓ ଅନ୍ୟ ଆବେଦନକାରୀଙ୍କୁ ହସ୍ତାନ୍ତର କରିବା ଏବଂ ପଦକ୍ଷେପ ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ବଡ଼ବିଲ ତହସିଲଦାରଙ୍କୁ ଆଦେଶ ଦେଇଥିଲେ। ଏହି ସ୍ଥାନର ଖାତା ନମ୍ବର ୨୨୪/୬୫୨ର ଜମି କ୍ଷୀରୋଦ କୁମାର ନାଏକଙ୍କ ନାମରେ ରହିଛି। ସେହି ଜମିରେ ମଦନ ମୋହନ ବାରିକ ଜବରଦଖଲ କରି ସତ୍‌ସଙ୍ଗ ମନ୍ଦିର ନିର୍ମାଣ କରିଥିବା ଅଭିଯୋଗ ପରେ ଚମ୍ପୁଆ ଉପଜିଲ୍ଲାପାଳଙ୍କ ଅଦାଲତରେ ମାମଲା ହୋଇଥିଲା। ଶୁଣାଣି ପରେ ଜମି ଫେରସ୍ତ ପାଇଁ ତହସିଲଦାରଙ୍କୁ ଆଦେଶ ହୋଇଥିଲେ ମଧ୍ୟ ଏଯାଏଁ ଜମି ଚିହ୍ନଟ ହୋଇ ଫେରସ୍ତ ହୋଇନାହିଁ। ଅଭିଯୋଗ ଅନୁସାରେ, ୦.୦୫୦ ଏକର ଜମିରେ ସତ୍‌ସଙ୍ଗ ମନ୍ଦିରର ବାଡ଼ ଦେଇ ଦଖଲ ରଖାଯାଇଛି। ଆଉ ୦.୦୫୦ ଏକର ଜମିକୁ ଏମ୍‌.ଡି. ବାବୁ ଖାନ୍‌ ନାମକ ବ୍ୟକ୍ତି ଘର ଓ ପାଚେରି ନିର୍ମାଣ କରି ଜବରଦଖଲ କରିଛନ୍ତି। ଅବଶିଷ୍ଟ ୦.୦୮୦ ଏକର ଜମି ଖାଲି ରହିଛି। ଏନେଇ ୭ ଏପ୍ରିଲ ୨୦୨୬ର ଚିଠି ନମ୍ବର ୧୩୦୩/୧୦ରେ ଉପଜିଲ୍ଲାପାଳ ଆଦେଶ ଦେଇଥିଲେ ମଧ୍ୟ ଜମି ଏଯାଏଁ ଫେରସ୍ତ ମିଳିନାହିଁ ବୋଲି କ୍ଷୀରୋଦ ଅଭିଯୋଗ କରିଛନ୍ତି। ଏନେଇ ସେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ବିନା ଅନୁମତିରେ ଆଦିବାସୀ ଜମି ଜବରଦଖଲ ଓ ହସ୍ତାନ୍ତର ବେଆଇନ ବୋଲି ଦର୍ଶାଇ, ଜମି ଚିହ୍ନଟ କରି ଜମି ସ୍ୱତ୍ୱାଧିକାରୀଙ୍କୁ ହସ୍ତାନ୍ତର ପାଇଁ ଉପଜିଲ୍ଲାପାଳ ତହସିଲଦାରଙ୍କୁ ଏକ ମାସ ମଧ୍ୟରେ ପଦକ୍ଷେପ ରିପୋର୍ଟ ଦେବାକୁ ଆଦେଶ ଦେଇଛନ୍ତି।

Leave A Reply

Your email address will not be published.