- “ବେଆଇନ ଗୋଚାଲାଣ ପଛରେ ବିଜେପି,କେବଳ ନିଲମ୍ବନ ନୁହେଁ”,
- ପୁଲିସର ଭୂମିକାକୁ ନେଇ ପ୍ରଶ୍ନବାଚୀ,ଘଟଣାର ଉପଯୁକ୍ତ ତଦନ୍ତ ନହେଲେ ଆନ୍ଦୋଳନ,
ଗୋ-ଚାଲାଣରେ ବିଜେପି ଓ ବିଜେପି ଯୁବ ମୋର୍ଚ୍ଚାର ସମ୍ପୃକ୍ତିକୁ ନେଇ ବିଜୁ ଯୁବ ଜନତା ଦଳ ର ଜିଲ୍ଲା ସଭାପତି ତାପସ ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ଦୃଢ଼ ପ୍ରତିବାଦ କରିଛି | ବିଜେପି ଯୁବ ମୋର୍ଚ୍ଚାର ଉପସଭାପତି ବରେନ୍ଦ୍ର ମହାଳିକ, କୋଷାଧ୍ୟକ୍ଷ ଦେବାଶିଷ କବି ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ଖୋଲମଖୋଲା ସମ୍ପୃକ୍ତି ନେଇ ଅଡିଓ ଭାଇରଲ ହେବା ପ୍ରସଙ୍ଗକୁ ଦଳ ଅସ୍ତ୍ର କରିଛି | ଯେଉଁ ଦଳ ହିନ୍ଦୁତ୍ୱର କଥା କୁହେ, ଗୋମାତା ନାମରେ ରାଜନୀତି କରେ ସେହି ଦଳର କର୍ମକର୍ତ୍ତା ଲୋକଙ୍କୁ ମିଛ ନ୍ୟାରେଟିଭ ମଧ୍ୟରେ ରଖି ନିଜେ ଗୋ-ତସ୍କରୀରେ ସାମିଲ ଥିବା ଦଳ ଦାବି କରିଛି | ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ତାପସ ପାଣିଗ୍ରାହୀ, ଯୁବ କାର୍ଯ୍ୟକାରୀ ସଭାପତି ଭରତ ଭୂଷଣ ଦାସ, ଜିଲ୍ଲା ଛାତ୍ର ବିଜେଡି ସଭାପତି ହରେକୃଷ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଏଭଳି ଖୋଲମଖୋଲା ଅଭିଯୋଗ ଆଣିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନହେଲେ ଦଳ ଆନ୍ଦୋଳନକୁ ଉହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି | ଗୋ-ମାଫିଆଙ୍କ ଠାରୁ ଚାନ୍ଦା ଆଦାୟ ମାମଲାରେ ଜଡ଼ିତ ହେବା ଜାଣି ବିଜେପି ଜଣଙ୍କୁ ନିଲମ୍ବନ କରିଛି | ତେବେ କେବଳ ନିଲମ୍ବନ ନୁହେଁ, ସେମାନଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ, ଘଟଣାର ଉପଯୁକ୍ତ ତଦନ୍ତ, ସେମାନଙ୍କ ସିଡିଆର ଯାଞ୍ଚ, ଏଥିରେ ଥିବା ବଡ଼ ନେତାଙ୍କ ସମ୍ପୃକ୍ତି, ରେକଡିଂରେ ଥିବା ଅନ୍ୟାନ୍ୟ ନାମ ଗୁଡ଼ିକ କିଏ ଏବଂ ସେମାନଙ୍କର ଏଥିରେ ଭୂମିକା କଣ ଆଦି ଯାଞ୍ଚ ଉପରେ ଦଳ ପ୍ରଶ୍ନ ଉଠାଇଛି | ଏଥିସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନହେଲେ ବିଜୁ ଯୁବ ଛାତ୍ର ଆନ୍ଦୋଳନକୁ ଉହ୍ଲାଇବ ବୋଲି ହୋଟେଲ ଫାଣ୍ଟାସୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି | ଏହି ପରିପ୍ରେକ୍ଷୀରେ ଯୁବ ଜନତାର କର୍ମକର୍ତ୍ତାଙ୍କ ମଧ୍ୟରେ ଭବାନୀ ପଣ୍ଡା ଓ ଅଭିନାଶ ନାୟକ ମଞ୍ଚାସୀନ ଥିବା ବେଳେ ବିଶ୍ୱଜିତ ଜେନା, ଦେବାଶିଷ ଦାସ, ବିଶ୍ୱଜିତ ମହାନ୍ତି, ଅଶ୍ୱିନୀ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |