ସମ୍ବଲପୁର,୫/୧୧(ଲିପନ ନାୟକ) ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମୟୁ), ସମ୍ବଲପୁରଠାରେ ଜାତୀୟ ଏସ୍ସି-ଏସ୍ଟି ହବ୍, ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଏବଂ ଜିଏମ୍ୟୁର ଷ୍ଟାର୍ଟଅପ୍ ସେଲ୍ର ମିଳିତ ଆନୁକୂଲ୍ୟରେ ଏସ୍ସି, ଏସ୍ଟି ଓ ମହିଳା ଉଦ୍ୟୋଗୀଙ୍କ ପାଇଁ ଉଦ୍ୟୋଗୀ ସଚେତନତା ଓ ସ୍ୱତନ୍ତ୍ର ବିକ୍ରେତା ବିକାଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହା ଇଣ୍ଡିଆନ୍ ଚେମ୍ବର୍ସ ଅଫ୍ କମର୍ସ ଫର୍ ଏସ୍ସି, ଏସ୍ଟି ଓ ୱିମେନ୍ ଏଣ୍ଟରପ୍ରେନ୍ୟୋର୍ସ ଏବଂ ସ୍କୁଲ୍ ଅଫ୍ କମର୍ସ ଓ ଆଇଏସ୍ଟିର ସହଯୋଗରେ ଅନୁଷ୍ଠିତ ହୋଇଥିଲା।
ଉଦ୍ଘାଟନୀ ଅଧିବେଶନରେ ଆଇସିସିଏସଡବ୍ଲୁଇ
ର ସାଧାରଣ ସମ୍ପାଦିକା ହେମା ଏକ୍କା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଏନଏସଏସଏଚଓ, ଭୁବନେଶ୍ୱରର ଉପମହାପ୍ରବନ୍ଧକ ସୁଜିତ କୁମାର ଶାହା ଏବଂ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଅଭିଭାଷଣ ପ୍ରଦାନ କରିଥିଲେ ।
ବୈଷୟିକ ଅଧିବେଶନରେ ଏମଏସଏମଇ ଯୋଜନା ଓ ଆଲୋକପାତ କରାଯାଇଥିଲା। ଜିଇଏମ ପୋର୍ଟାଲ୍ ସମ୍ପର୍କରେ ଭର୍ଚୁଆଲ୍ ମାଧ୍ୟମରେ ଉପସ୍ଥାପନା କରାଯାଇଥିଲା। ସେହିପରି ଏଫସିଆଇ ଏବଂ ଏନଟିପିସିର ତାଳଚେରର ଟିଟିପିଏସ ପକ୍ଷରୁ ଉତ୍ପାଦ ଓ ସେବା, ସରକାରୀ କ୍ରୟ ପ୍ରକ୍ରିୟା, ବିକ୍ରେତା ପଞ୍ଜୀକରଣ, ଗୁଣବତ୍ତା ଓ ଅନୁପାଳନ ମାନଦଣ୍ଡ ଏବଂ ଇନ୍ଭଏସ୍ ପେମେଣ୍ଟ ପ୍ରକ୍ରିୟା ବିଷୟରେ ଆଲୋଚନା କରାଯାଇଥିଲା।
ଜିଲ୍ଲା ଶିଳ୍ପ କେନ୍ଦ୍ର, ସମ୍ବଲପୁର ପକ୍ଷରୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦିଆଯାଇଥିଲା। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ରିଜିଓନାଲ୍ ବିଜନେସ୍ ଅଫିସ୍, ସମ୍ବଲପୁର ପକ୍ଷରୁ ବ୍ୟାଙ୍କ ଋଣ ଯୋଜନା ଏବଂ ସରକାରୀ ଆଇଟିଆଇ, ହୀରାକୁଦ ପକ୍ଷରୁ ଦକ୍ଷତା ବିକାଶ ସମ୍ପର୍କରେ ଆଲୋକପାତ କରାଯାଇଥିଲା।