ଏକ୍ସପ୍ଲୋରା-୨୦୨୬ରେ ଏଆଇ, କୋଡିଂଠାରୁ ଆରମ୍ଭ କରି ସ୍ୱୟଂଚାଳିତ ଜଳସେଚନ ପର୍ଯ୍ୟନ୍ତ ନୂତନ ଉଦ୍ଭାବନର ଝଲକ ପ୍ରଦର୍ଶିତ କଲେ ବାଲ ବୈଜ୍ଞାନିକ।
ଖୋର୍ଦ୍ଧାରୁ (ସେକ ଜାଫର ) : ଖୋର୍ଦ୍ଧା: ନୂତନ ଶିକ୍ଷାନୀତି ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ସହ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ବିକାଶ ଓ ସୃଜନଶୀଳତାର ସୁଯୋଗ ଦେବା ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ସିଗମା ପବ୍ଲିକ ସ୍କୁଲ, ଖୋର୍ଦ୍ଧା ପକ୍ଷରୁ ଦୁଇଦିନିଆ ଜ୍ଞାନ-ବିଜ୍ଞାନ ମେଳା ‘ଏକ୍ସପ୍ଲୋରା-୨୦୨୬’ ଆୟୋଜିତ ହୋଇଥିଲା। ଏଥିରେ ବିଭିନ୍ନ ବିଭାଗରେ ଛାତ୍ରଛାତ୍ରୀ ତଥା କୁନି ବୈଜ୍ଞାନିକମାନଙ୍କ ପକ୍ଷରୁ ୧୦୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।
ବିଦ୍ୟାଳୟର ଚେୟାରମ୍ୟାନ ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟଙ୍କ ନିର୍ଦ୍ଦେଶନାରେ ଆୟୋଜିତ ଏହି ମେଳାକୁ ପ୍ରାଣନାଥ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ସୁବୋଧ ଜଗଦେବ ଓ ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରମୋଦ କୁମାର ଦାସ ଉଦ୍ଘାଟନ କରିଥିଲେ।
ପ୍ରଥମ ଦିନରେ ମାଧ୍ୟମିକ ଓ ଉଚ୍ଚ ପ୍ରାଥମିକ ସ୍ତରର ଛାତ୍ରଛାତ୍ରୀମାନେ ନିଜ ନିଜର ବୈଜ୍ଞାନିକ ଚିନ୍ତାଧାରା ଓ ଉଦ୍ଭାବନ ପ୍ରଦର୍ଶନ କରିଥିଲେ। କମ୍ ବିଦ୍ୟୁତ୍ ଶକ୍ତିରେ ଚାଲୁଥିବା ଇଣ୍ଡକ୍ସନ୍ ଚୁଲା, ସ୍ୱୟଂଚାଳିତ ଜଳସେଚନ ବ୍ୟବସ୍ଥା, ଶିଳ୍ପାଞ୍ଚଳରୁ କାର୍ବନ୍ ବିଶୋଧନ, କମ୍ପ୍ୟୁଟର ପ୍ରୋଗ୍ରାମିଂରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଓ କୋଡିଂର , ଗଣିତର ତ୍ରିମାତ୍ରିକ ଶିକ୍ଷା ପଦ୍ଧତି ଏବଂ ପ୍ରାଚୀନ ସୂର୍ଯ୍ୟମନ୍ଦିରରେ ସୂର୍ଯ୍ୟକିରଣର ଗତିବିଧି ଆଦି ଆକର୍ଷଣୀୟ ପ୍ରକଳ୍ପ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏଥିସହ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସେବା ଓ ଦୈନନ୍ଦିନ ଜୀବନରେ ଉପଯୋଗୀ ହେଉଥିବା ଅନେକ ପ୍ରକଳ୍ପ ମଧ୍ୟ ପ୍ରଦର୍ଶିତ ହୋଇଥିଲା।

ଉଦ୍ଯାପନୀ ଦିବସରେ ଅଧ୍ୟକ୍ଷା ମମତାଞ୍ଜଳି ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ସିଭି ରମଣ ଗ୍ଲୋବାଲ ଶିକ୍ଷାନୁଷ୍ଠାନର କମ୍ପ୍ୟୁଟର ପ୍ରୋଗ୍ରାମର ପ୍ରକାଶ କୁମାର ସାହୁ, ବରିଷ୍ଠ ଶିକ୍ଷକ ଅଗାଧୁ ଚରଣ ସେଠୀ ଓ ଶିକ୍ଷାବିତ୍ ଅମୃତାମୟୀ ପଣ୍ଡା ଅତିଥି ଭାବେ ଯୋଗଦେଇଥିଲେ। ସେମାନେ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ ତାହାର ବୈଜ୍ଞାନିକ ଉପଯୋଗିତା ଓ ନୂତନତ୍ୱକୁ ବିଚାର କରିଥିଲେ।
ହାଇସ୍କୁଲ ସ୍ତରରେ ଶ୍ରେୟାସି ରଥ, ଆରୟାନ ଶର୍ମା, ଶୁଭାଙ୍ଗି ବିଶ୍ୱାଳ, ତୃପ୍ତିମୟୀ ସ୍ୱାଇଁ, ଜିଗନ୍ ଚୌଧୁରୀ, ସାଇ ପ୍ରତୀକ ବିଶ୍ୱାଳ, ସାଇ ଶାଶ୍ୱତୀ ବେହେରା, ଶ୍ରିଟିକା ମହାନ୍ତି, ଜଗନ ଚୌଧୁରୀ, ଶାସ୍ୱନି ମହାପାତ୍ର, ଶ୍ରୀୟାଂଶୀ ହରିଚନ୍ଦନ ଓ ସାଇ ସମ୍ପନ୍ନ ସେଠୀଙ୍କ ପ୍ରକଳ୍ପ ଶ୍ରେଷ୍ଠ ବିବେଚିତ ହୋଇଥିଲା। ବିଦ୍ୟାଳୟର ପୁରାତନ ଛାତ୍ର ମନୋୱାର ହୁସେନ କମ୍ପ୍ୟୁଟର ଶିକ୍ଷାରେ ଏଆଇ ଓ କୋଡିଂର ପ୍ରୟୋଗ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସା ଲାଭ କରିଥିଲେ।

ବିଦ୍ୟାଳୟର ଏକାଡେମିକ୍ ଡିନ୍ ବନଦୁର୍ଗା ଶାହାଙ୍କ ଦିଗ୍ଦର୍ଶନରେ ସୁମିତା ତ୍ରିପାଠୀ, ସୌମ୍ୟଲଗ୍ନା ମହାନ୍ତି, ବିରଞ୍ଚି ନାରାୟଣ ପଣ୍ଡା, ବର୍ଣ୍ଣାଳୀ ମାଜୀ, ଦୀପ୍ତିରଞ୍ଜନ ରଣା, ରଚିତା ସ୍ୱାଇଁଙ୍କ ସମେତ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପ୍ରକଳ୍ପ ପ୍ରସ୍ତୁତିରେ ଛାତ୍ରଛାତ୍ରୀଙ୍କୁ ସହଯୋଗ କରିବା ସହ ସମଗ୍ର କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ।
ଏହି ପ୍ରଦର୍ଶନୀକୁ ଖୋର୍ଦ୍ଧା ସହରର ବହୁ ଜନସାଧାରଣ ପରିଦର୍ଶନ କରିଥିଲେ। କୁନି ବୈଜ୍ଞାନିକମାନଙ୍କର ନୂତନ ଚିନ୍ତାଧାରା, ଉଦ୍ଭାବନ ଓ ସୃଜନଶୀଳତାକୁ ଉପସ୍ଥିତ ଦର୍ଶକମାନେ ଭୂୟସୀ ପ୍ରଶଂସା କରିଥିଲେ। ଶେଷରେ ବିଭିନ୍ନ ବିଭାଗର ଶ୍ରେଷ୍ଠ ପ୍ରକଳ୍ପଗୁଡ଼ିକୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।
ଶିକ୍ଷା ସହିତ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ନୂତନ ଉଦ୍ଭାବନର ମିଶ୍ରଣ ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁସନ୍ଧାନମୂଳକ ମନୋଭାବ ସୃଷ୍ଟି କରିବାରେ ଏକ୍ସପ୍ଲୋରା-୨୦୨୬ ଏକ ସଫଳ ପ୍ରୟାସ ବୋଲି ମତପ୍ରକାଶ ପାଇଥିଲା।