ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପବିତ୍ର କାର୍ତ୍ତିକ ବ୍ରତ ଅବସରରେ ସ୍ଥାନୀୟ ଶ୍ରୀରସିକରାଜ ମନ୍ଦିର (ପରିଚ୍ଛା ମଠ) ସ୍ଥିତ ବାଳ-ମୁକୁନ୍ଦ କେନ୍ଦ୍ରରେ ପ୍ରାତଃକାଳୀନ ପୂଜାର୍ଚ୍ଚନା ଓ ସଂକୀର୍ତ୍ତନ ପରେ ଶାଖା କେନ୍ଦ୍ରଗୁଡ଼ିକରେ ଏକାଧିକ ସଂସ୍କାର କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି।
କେନ୍ଦ୍ର ପକ୍ଷରୁ କୁମ୍ଭାର ସାହି ପ୍ରାଥମିକ ସଂସ୍କାର କେନ୍ଦ୍ର ଏବଂ ଚିତ୍ରକାର ସାହି ପ୍ରାଥମିକ ସଂସ୍କାର କେନ୍ଦ୍ରଠାରେ ଶିଶୁ ଓ କିଶୋରମାନଙ୍କୁ ନେଇ ବିଶେଷ ସମାବେଶ ଅନୁଷ୍ଠିତ ହୋଇଥିଲା।
ଏହି ଶିବିରରେ ଗତ ମାସରେ ସମ୍ପାଦିତ ହୋଇଥିବା ବିଭିନ୍ନ ସେବା କାର୍ଯ୍ୟ , ପରିବେଶ ସ୍ୱଚ୍ଛତା , ଘଟିଯାଇଥିବା ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଏବଂ ଜାତୀୟ ଏକତା ଦିବସର ତାତ୍ପର୍ଯ୍ୟ ଉପରେ ସମୀକ୍ଷା କରାଯାଇଥିଲା। ବାଳ-ମୁକୁନ୍ଦ କେନ୍ଦ୍ରର ମୁଖ୍ୟ ସଂଯୋଜକ ଶ୍ରୀ ନିତ୍ୟାନନ୍ଦ ଚୌଧୁରୀ ଏଥିରେ ଯୋଗଦେଇ କହିଥିଲେ ଯେ ମଣିଷ ନିଜ ସ୍ୱାର୍ଥ ପାଇଁ ପ୍ରକୃତିର ବିନାଶ କରୁଥିବାରୁ ବାରମ୍ବାର ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ସଙ୍କଟ ସୃଷ୍ଟି ହେଉଛି। ତେଣୁ ଆଗାମୀ ଦିନରେ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବାକୁ ହେଲେ ପ୍ରଥମେ ନିଜେ ପ୍ରକୃତି ଓ ପରିବେଶକୁ ନଷ୍ଟ ନକରିବାକୁ ଦୃଢ଼ ସଂକଳ୍ପ ନେବାକୁ ପଡ଼ିବ।
ଏହି ପରିପ୍ରେକ୍ଷୀରେ ଉପସ୍ଥିତ ସମସ୍ତ ଶିଶୁ ଏବଂ କର୍ମକର୍ତ୍ତା ପ୍ରକୃତି ସଂରକ୍ଷଣର ଶପଥ ନେଇଥିଲେ। ପରେ ଜଗଦ୍ଗୁରୁ ଶ୍ରୀ କୃପାଳୁ ଜୀ ମହାରାଜଙ୍କ ନିର୍ଦ୍ଦେଶିତ ‘କୃପାଳୁ ଧ୍ୟାନ ଯୋଗ’ (ରୂପଧ୍ୟାନ) ମାଧ୍ୟମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଚରଣରେ ବିଶ୍ୱଶାନ୍ତି ଓ ରାଜ୍ୟକୁ ପ୍ରାକୃତିକ ବିପର୍ଯ୍ୟୟରୁ ମୁକ୍ତ ରଖିବା ପାଇଁ ସାମୂହିକ ପ୍ରାର୍ଥନା କରାଯାଇଥିଲା।
କାର୍ଯ୍ୟକ୍ରମରେ ଉଭୟ ସାହିର ଶିକ୍ଷାର୍ଥୀ , ଅଭିଭାବକ ତଥା ସ୍ଥାନୀୟ ବାଳ-ମୁକୁନ୍ଦ ସଂସ୍କାର କେନ୍ଦ୍ରର ସ୍ୱେଚ୍ଛାସେବୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.