ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୭୦ତମ ଜାତୀୟ ବିଦ୍ୟାଳୟ କ୍ରୀଡ଼ା ରଗ୍ବୀ ବାଳକ ଅଣ୍ଡର-୧୪ ପ୍ରତିଯୋଗିତାରେ ଓଡ଼ିଶା ଦଳ ରୌପ୍ୟ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛି। ଅକ୍ଟୋବର ୨୩ ରୁ ୨୮ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀଠାରେ ଆୟୋଜିତ ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶା ଦଳ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ଫାଇନାଲ୍ରେ ପହଞ୍ଚିଥିଲା।
ପ୍ରତିଯୋଗିତାରେ ଓଡ଼ିଶା ଦଳ ଉତ୍ତରପ୍ରଦେଶ , ଗୁଜରାଟ ଓ ତେଲେଙ୍ଗାନାକୁ ସାମ୍ନା କରିବା ସହ ସେମିଫାଇନାଲ୍ରେ ଦିଲ୍ଲୀକୁ ପରାସ୍ତ କରି ଫାଇନାଲ୍ରେ ବିହାର ସହ ମୁକାବିଲା କରିଥିଲା। ଶେଷରେ ଦଳ ରୌପ୍ୟ ପଦକ ହାସଲ କରିଥିଲା।
ଏହି ସଫଳତାରେ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ , ଜୀବାର ଅଷ୍ଟମ ଶ୍ରେଣୀର ଦୁଇ ଛାତ୍ର ଚିନ୍ନା ସବର ଓ ଇଶାକ ସବର ଓଡ଼ିଶା ରାଜ୍ୟ ଦଳରେ ସ୍ଥାନ ପାଇ ଜାତୀୟସ୍ତରରେ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି। ଉଭୟଙ୍କ ଏହି ସଫଳତାରେ ବିଦ୍ୟାଳୟ , ଗୁମ୍ମା ବ୍ଲକ୍ ଓ ଗଜପତି ଜିଲ୍ଲାରେ ଆନନ୍ଦର ଲହରୀ ଖେଳିଯାଇଛି।
ଏହି ଗୌରବମୟ ସଫଳତା ପାଇଁ ଗଜପତି ଜିଲ୍ଲା ଶିକ୍ଷାଧିକାରୀ ଡଃ ମାୟାଧର ସାହୁ ଉଭୟ ଖେଳାଳିଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ସେ ଖେଳାଳିମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଆଗାମୀ ଦିନରେ ଆହୁରି ଉଚ୍ଚ ସଫଳତା ହାସଲ କରିବାକୁ ଶୁଭାଶୀଷ ଦେଇଛନ୍ତି।
ସେହିପରି ଗଜପତି ଜିଲ୍ଲାର ଭାରପ୍ରାପ୍ତ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ଉଭୟ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, “ଏହି ସଫଳତାରେ ଆତ୍ମସନ୍ତୁଷ୍ଟ ନ ହୋଇ ନିୟମିତ ଅଭ୍ୟାସ ଜାରି ରଖ। ଆହୁରି କଠିନ ପରିଶ୍ରମ ଓ ଦୃଢ଼ ମନୋବଳ ସହ ଖେଳ। ନିଶ୍ଚିତ ଭାବେ ଆଗାମୀ ଦିନରେ ସ୍ୱର୍ଣ୍ଣ ପଦକ ହାସଲ କରି ଚାମ୍ପିଅନ୍ ହେବ”।
ଉଭୟ ଖେଳାଳିଙ୍କ ଏହି ସଫଳତାରେ ସେମାନଙ୍କ ଅଭିଭାବକ , ପ୍ରଶିକ୍ଷକ , ଶାରୀରିକ ଶିକ୍ଷା ଶିକ୍ଷକ , ପ୍ରଧାନଶିକ୍ଷକ ଓ ଓଡ଼ିଶା ରଗ୍ବୀ ଦଳକୁ ବିଭିନ୍ନ ମହଲରୁ ଅଭିନନ୍ଦନ ଜଣାଯାଇଛି। ଜାତୀୟ କ୍ରୀଡ଼ା ମାନଚିତ୍ରରେ ଗଜପତି ଜିଲ୍ଲାର ଏହି ସଫଳତା ଏକ ନୂତନ ଗୌରବମୟ ଅଧ୍ୟାୟ ଯୋଡ଼ିଛି।
Sign in
Sign in
Recover your password.
A password will be e-mailed to you.