ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା

9

ବଲାଙ୍ଗୀର (୩୧/୧୦): ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଜାତୀୟ ଏକତା, ଭାଇଚାରା, ଶାରୀରିକ ସୁସ୍ଥତା ଓ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରସାର ଉଦ୍ଦେଶ୍ୟରେ “ଡିବ୍ରି” ଏବଂ “ପଲ୍ଲୀ ଆଲୋକ ପାଠାଗାର”ର ମିଳିତ ଆନୁକୂଲ୍ୟରେ “ୟୁନିଟି ରାଇଡ୍ ସାଇକ୍ଲୋଥନ୍-୨୦୨୬” ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଯୋଗଦେଇଥିଲେ। ମାନ୍ୟବର ମନ୍ତ୍ରୀ ନିଜେ ସାଇକେଲ ଚାଳନାରେ ଅଂଶଗ୍ରହଣ କରି ପ୍ରାୟ ୭୦ କିଲୋମିଟର ଦୀର୍ଘ ଯାତ୍ରା ସମ୍ପୂର୍ଣ୍ଣ କରିଥିଲେ। ତାଙ୍କର ଏହି ଉତ୍ସାହଜନକ ଅଂଶଗ୍ରହଣ ଯୁବପିଢ଼ି ଓ ସାଇକେଲ ପ୍ରେମୀଙ୍କୁ ଉତ୍ସାହିତ କରିବା ସହ ଏକ ସୁସ୍ଥ ଜୀବନଶୈଳୀ ଆପଣାଇବାକୁ ପ୍ରେରଣା ଯୋଗାଇଥିଲା।

ସକାଳ ୭ଟାରେ ଆଗଲପୁରଠାରୁ ଏହି ସାଇକ୍ଲୋଥନ୍ ଆରମ୍ଭ ହୋଇ ଭରସୁଜା, କରକଚିଆ ଛକ, ଲୋଇସିଂହା, ଦୁର୍ଗାପାଲି, ଜାମଗାଁ, ସାତମାଇଲ ଛକ, ଛତାପିପଲ ଓ ଦଶପୁର ଦେଇ ଶେଷରେ ମହିମୁଣ୍ଡାଠାରେ ଉଦ୍‌ଯାପିତ ହୋଇଥିଲା । ଏହି ସାଇକ୍ଲୋଥନ୍ କେବଳ ଏକ କ୍ରୀଡ଼ାଭିତ୍ତିକ କାର୍ଯ୍ୟକ୍ରମ ନଥିଲା, ବରଂ ସମାଜରେ ଏକତା, ସମନ୍ୱୟ, ଭାଇଚାରା ଓ ସାମାଜିକ ଦାୟିତ୍ୱବୋଧର ଭାବନାକୁ ସୁଦୃଢ଼ କରିବାର ଏକ ଅଭିନବ ପ୍ରୟାସ ଥିଲା। ଏଥିରେ ବହୁ ସଂଖ୍ୟାରେ ସାଇକେଲ ଆରୋହୀ, ଯୁବବର୍ଗ ଓ ସ୍ଥାନୀୟ ନାଗରିକ ଉତ୍ସାହର ସହ ଯୋଗଦେଇ ଜାତୀୟ ଏକତାର ସନ୍ଦେଶକୁ ଜନମାନସରେ ପହଞ୍ଚାଇଥିଲେ।

“ଏକତା ହିଁ ଆମ ଶକ୍ତି, ସୁସ୍ଥ ଜୀବନ ହିଁ ସମୃଦ୍ଧ ସମାଜର ଆଧାର” — ଏହି ମହତ୍ ବାର୍ତ୍ତାକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମ ସମଗ୍ର ଅଞ୍ଚଳରେ ଏକତା ର ନୂତନ ଉତ୍ସାହ ସୃଷ୍ଟି କରିଥିଲା।

Leave A Reply

Your email address will not be published.